ନୂଆଦିଲ୍ଲୀ ୨୨।୦୯; କାହା ପାଇଁ ଭ୍ରମଣ ମାନେ ନୂଆ ସ୍ଥାନ ଦେଖିବା ତ ଆଉ କାହା ପାଇଁ ଭ୍ରମଣ ମାନେ ନୂଆ ସ୍ମୃତି ସାଉଁଟିବା। ହେଲେ ଶ୍ରୀକାନ୍ତ ପାଣ୍ଡେଙ୍କ ପାଇଁ ଭ୍ରମଣର ଅର୍ଥ ଟିକେ ଅଲଗା। ତାଙ୍କ ପାଇଁ ଭ୍ରମଣ ହେଉଛି ୮୦ ବର୍ଷୀୟ ବାପାଙ୍କ ସହ ଜୀବନର କିଛି ଅମୂଲ୍ୟ ମୁହୂର୍ତ୍ତ ସୃଷ୍ଟି କରିବା। ୮୦ ବର୍ଷର ବାପା… ଜୀବନରେ ପ୍ରଥମଥର ବିମାନରେ ଚଢ଼ିଛନ୍ତି। ଖୁସି ତାଙ୍କ ଆଖିରେ ସ୍ପଷ୍ଟ ଦେଖିବାକୁ ମିଳୁଛି। ଝରକା ପାଖରେ ବସି ଏକ ଛୋଟ ପିଲା ଭଳି ବାହାର ଦୁନିଆକୁ ଦେଖୁଛନ୍ତି। ଆଉ ସେହି ଖୁସିକୁ ଚୁପଚାପ ଦେଖୁଛି ପୁଅ।

ନିକଟରେ ଶ୍ରୀକାନ୍ତ ଏହି ମୁହୂର୍ତ୍ତର ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଆଉ ଦେଖୁ ଦେଖୁ ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଗଲା। ତାଙ୍କ ପାଇଁ ଏହା କେବଳ ଗୋଟିଏ ବିମାନ ଯାତ୍ରା ନୁହେଁ। ବରଂ ଯିଏ ତାଙ୍କୁ ପୂରା ଦୁନିଆ ଦେଇଛନ୍ତି, ସେହି ବ୍ୟକ୍ତିଙ୍କୁ ଜୀବନରୁ କିଛି ଫେରାଇଦେବାର ଏକ ଛୋଟ ପ୍ରୟାସ। ଶ୍ରୀକାନ୍ତଙ୍କ କହିବା କଥା—ଜୀବନର କୌଣସି ଭରସା ନାହିଁ। ତେଣୁ ଯେଉଁମାନଙ୍କୁ ଆମେ ଭଲପାଉଛେ, ସେମାନଙ୍କ ସହ ସମୟ ବିତାଇବାକୁ କେବେ ବିଳମ୍ବ କରିବା ଉଚିତ୍ ନୁହେଁ। ତେଣୁ ସେମାନଙ୍କ ପାଇଁ “କାଲି କରିବି” କହି ସମୟକୁ ଟାଳନ୍ତୁ ନାହିଁ… ବାପା ଚାକିରି ଜୀବନରେ ଯେଉଁ ସବୁ ସ୍ଥାନ ବୁଲିବାର ସ୍ୱପ୍ନ ଦେଖିଥିଲେ, ଏବେ ସେହି ସ୍ୱପ୍ନ ପୂରଣ କରିବାକୁ ଶ୍ରୀକାନ୍ତ ଚାହୁଁଛନ୍ତି ।

କାରଣ କିଛି ସମ୍ପର୍କ ପାଇଁ ସବୁଠାରୁ ବଡ଼ ଉପହାର ହେଉଛି ଆମର ସମୟ। ଏଥିପାଇଁ ଚାକିରି ଛାଡ଼ି ବାପାଙ୍କୁ ନେଇ ବିଭିନ୍ନ ସ୍ଥାନ ବୁଲାଇବାରେ ଲାଗିପଡିଛନ୍ତି। ସେ କହିଛନ୍ତି ଜୀବନରେ ଟଙ୍କା ପୁଣି ରୋଜଗାର କରିହେବ, ଚାକିରି ମଧ୍ୟ ପୁଣି ମିଳିପାରିବ। ହେଲେ ବାପାଙ୍କ ସହ ବିତାଇଥିବା ଏହି ମୁହୂର୍ତ୍ତଗୁଡ଼ିକ ଆଉ ଫେରିବ ନାହିଁ। ଶ୍ରୀକାନ୍ତଙ୍କ ଏହି ଚିନ୍ତାଧାରା ଓ ପଦକ୍ଷେପକୁ ଏବେ ସୋସିଆଲ୍ ମିଡିଆରେ ମିଳୁଛି ଭରପୂର ପ୍ରଶଂସା।