ମୁମ୍ଵାଇ ୨୨।୦୯; କେଉଁଠି ଅଳିଆ ଆବର୍ଜନାର ପାହାଡ଼ ତ ଆଉ କେଉଁଠି ପ୍ଲାଷ୍ଟିକ୍, ପୂଜା ସାମଗ୍ରୀ ଆଉ ମଇଳା ପାଣି। ଦିଲ୍ଲୀର ଯମୁନା ଆଜି ଯେମିତି ନିଜ ଯନ୍ତ୍ରଣାର ଭୋଗୁଛି । ତାହା ଦେଖିବା ପରେ ଏହି ଯନ୍ତ୍ରଣାକୁ ଦୂର କରିବାକୁ ଏବେ ଆଗେଇ ଆସିଛନ୍ତି ‘ବିଟ୍ଟୁ ତବାହି’ ଭାବେ ପରିଚିତ ସୁରେନ୍ଦ୍ର ସିଂହ ଚୌଧୁରୀ। ମଧ୍ୟପ୍ରଦେଶର ଅଜନାର ନଦୀକୁ ସଫା କରି ଚର୍ଚ୍ଚାକୁ ଆସିଥିବା ବିଟ୍ଟୁ ଏବେ ଦିଲ୍ଲୀର ଯମୁନା କୂଳରେ। ଲକ୍ଷ୍ୟ ଯମୁନାକୁ ସଫା କରିବା ଆଉ ଲୋକଙ୍କ ମନରେ ସ୍ୱଚ୍ଛତାର ଚେତନା ଜାଗ୍ରତ କରିବା।

ବିଶ୍ୱ ସଫେଇ ଦିବସ ଅବସରରେ ସେପ୍ଟେମ୍ବର ୨୦ରୁ ଆରମ୍ଭ ହୋଇଛି ତିନି ଦିନିଆ ଯମୁନା ସଫେଇ ଅଭିଯାନ।ପ୍ରଥମ ଦିନରେ ହିଁ ପ୍ରାୟ ସାଢ଼େ ୪ ଘଣ୍ଟାର ଅଭିଯାନରେ ସଂଗ୍ରହ ହୋଇଛି ୫୮୫ କିଲୋଗ୍ରାମ୍ ଅଳିଆ ଆବର୍ଜନା। ବିଟ୍ଟୁଙ୍କ ସହ ସାମିଲ ହୋଇଛନ୍ତି ସ୍ଥାନୀୟ ଲୋକ ଓ ସ୍ୱେଚ୍ଛାସେବୀ। ଯମୁନା କୂଳରୁ ଉଠିଛି ପ୍ଲାଷ୍ଟିକ୍, ଫୁଲ ମାଳ, ପୂଜା ସାମଗ୍ରୀ ସହ ବିଭିନ୍ନ ପ୍ରକାରର ଆବର୍ଜନା। ବିଟ୍ଟୁଙ୍କ ଏହି ପ୍ରୟାସକୁ ନେଇ ସୋସିଆଲ ମିଡିଆରେ ବି ଚର୍ଚ୍ଚା ଜୋର ଧରିଛି। ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ପୂର୍ବରୁ ତାଙ୍କ ନଦୀ ସଫେଇ ପ୍ରୟାସକୁ ନେଇ ପ୍ରଶଂସା କରିସାରିଛନ୍ତି।

ଅଜନାର ନଦୀ ସଫେଇ ପରେ ବିଟ୍ଟୁଙ୍କ କାମ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଚର୍ଚ୍ଚାକୁ ଆସିଥିଲା। ‘ଦ ଓସନ୍ କ୍ଲିନଅପ୍’ର ପ୍ରତିଷ୍ଠାତା ବୋୟାନ୍ ସ୍ଲାଟଙ୍କ ପକ୍ଷରୁ ତାଙ୍କୁ ଚାକିରି ଅଫର୍ ମଧ୍ୟ ମିଳିଥିବା କୁହାଯାଏ। ଏବେ ଯମୁନା ପାଇଁ ଆଉ ଦୁଇ ଦିନ ଚାଲିବ ଏହି ସଫେଇ ଅଭିଯାନ। ତେବେ ବିଟ୍ଟୁଙ୍କ ଏହି ପ୍ରୟାସ କେବଳ ନଦୀ ସଫା କରିବାର ଅଭିଯାନ ନୁହେଁ…ଏହା ଏକ ବଡ଼ ବାର୍ତ୍ତା—ନଦୀକୁ ମଇଳା କରିବା ଯଦି ଆମର ଭୁଲ୍, ତେବେ ତାକୁ ସଫା ରଖିବା ମଧ୍ୟ ଆମର ଦାୟିତ୍ୱ। ସ୍ୱଚ୍ଛତା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ… ନିଜ ନଦୀ, ନିଜ ସହର ଓ ନିଜ ପରିବେଶକୁ ସଫା ରଖିବାରେ ପ୍ରତ୍ୟେକ ନାଗରିକଙ୍କ ଭୂମିକା ରହିଛି।