ନୂଆଦିଲ୍ଲୀ ୨୨।୦୯; ବିବାହ ଉତ୍ସବର ଖୁସି ଶେଷ ହୋଇନଥିଲା। ଘରକୁ ଫେରିବା ବାଟରେ ଘଟିଗଲା ଭୟଙ୍କର ଅଘଟଣ। ହିମାଚଳ ପ୍ରଦେଶର କୁଲ୍ଲୁ ଜିଲ୍ଲା ଆନି ଉପଖଣ୍ଡରେ ଘଟିଛି ଛାତିଥରାଇ ଦେବା ଭଳି ସଡ଼କ ଦୁର୍ଘଟଣା। ଭୋର ପ୍ରାୟ ସାଢ଼େ ୩ଟା ୩୦। ହରିପୁର ନିକଟରେ ହଠାତ୍ ଭାରସାମ୍ୟ ହରାଇଲା କାର୍। ଆଉ ତା’ପରେ ପ୍ରାୟ ୩୫୦ ମିଟର ଗଭୀର ଖାଇକୁ ଖସିପଡ଼ିଲା କାରଟି।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର୍ଟି ସମ୍ପୂର୍ଣ୍ଣ ଚୁର୍ମାର୍ ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ଚାରି ଜଣଙ୍କ ଜୀବନ ଚାଲିଗଲା। ଆଉ ଜଣେ ଯୁବକ ଗୁରୁତର ଆହତ ହୋଇ ମୃତ୍ୟୁ ସହ ଲଢ଼ୁଛନ୍ତି। ସବୁଠାରୁ ଦୁଃଖଦ କଥା ହେଉଛି, କାର୍ରେ ଥିବା ପାଞ୍ଚ ଜଣ ଯାକ ଗୋଟିଏ ଗାଁର ସମ୍ପର୍କୀୟ। ଜଣେ ସମ୍ପର୍କୀୟଙ୍କ ବିବାହରେ ଯୋଗଦେଇ ଖୁସିରେ ଘରକୁ ଫେରୁଥିଲେ। କିନ୍ତୁ ଘରେ ପହଞ୍ଚିବା ପୂର୍ବରୁ ହିଁ ଘଟିଗଲା ଅଘଟଣ।

ମଙ୍ଗଳବାର ସକାଳେ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗଭୀର ଖାଇ ଭିତରକୁ ଓହ୍ଲାଇ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। ଏମାନେ ସମସ୍ତେ ଜାବୋଡା ଗାଁର ବାସିନ୍ଦା। ଅନ୍ୟପଟେ, ଗୁରୁତର ଆହତଙ୍କୁ ଗୁରୁତର ଥିବାରୁ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହି ଦୁର୍ଘଟଣା ପରେ ପୂରା ଅଞ୍ଚଳରେ ଶୋକର ଛାୟା। ଦୁର୍ଘଟଣାର ପ୍ରକୃତ କାରଣ କ’ଣ? ଚାଳକ କାହିଁକି ନିୟନ୍ତ୍ରଣ ହରାଇଲେ? ଏସବୁର ଉତ୍ତର ଖୋଜିବାକୁ ପୋଲିସ ତଦନ୍ତ ଆରମ୍ଭ କରିଛି।