ନୂଆଦିଲ୍ଲୀ: ୨୦୨୫ ମେ ୧୨ ତାରିଖ, ଏହି ଦିନ ବିରାଟ କୋହଲି ନିଜ ଟେଷ୍ଟ କ୍ୟାରିୟର ଉପରେ ପକାଇଥିଲେ ପୂର୍ଣ୍ଣଛେଦ। ଇଂଲଣ୍ଡ ବିପକ୍ଷ ସିରିଜ୍ ନିକଟତର ହେଉଥିବା ସମୟରେ ବିରାଟଙ୍କ ଟେଷ୍ଟରୁ ସନ୍ନ୍ୟାସ ଘୋଷଣା କ୍ରିକେଟ୍ ଦୁନିଆକୁ କରିଥିଲା ଆଚମ୍ବିତ। ଏବେ ଭାରତର ପୂର୍ବତନ ଅଧିନାୟକ କପିଲ୍ ଦେବ ପୁଣି ଥରେ ଏହି ବିଷୟରେ ନିଜର ମତାମତ ରଖିଛନ୍ତି। କପିଲ୍ ବୟାନ ଦେଇ କହିଛନ୍ତି ଯେ, ବିରାଟ କୋହଲି ୧୦ ବର୍ଷ ପରେ ନିଜର ଏହି ନିଷ୍ପତ୍ତି ପାଇଁ ପଶ୍ଚାତାପ କରିବେ।

କପିଲ୍ ଦେବ କହିଛନ୍ତି, ଟେଷ୍ଟ କ୍ରିକେଟରୁ ତରବରିଆ ଭାବେ ସନ୍ନ୍ୟାସ ଘୋଷଣା କରି ବିରାଟ କୋହଲି ବଡ଼ ତ୍ରୁଟି କରିଛନ୍ତି। ବିରାଟ ଯେବେ ୧୦ ବର୍ଷ ପରେ ଏହି ନିଷ୍ପତ୍ତି ବିଷୟରେ ଚିନ୍ତା କରିବେ ନିଶ୍ଚୟ ପଶ୍ଚାତାପ କରିବେ। ୧୯୮୩ ବିଶ୍ଵକପ୍ ବିଜେତା ଦଳର ଅଧିନାୟକ କହିଛନ୍ତି ବିରାଟ ଏମିତି ସମୟରେ ଥିଲେ  ଯେଉଁଠି ସେ ଜଣେ ୨୫ ବର୍ଷୀୟ ଖେଳାଳିଙ୍କୁ ବି ଚ୍ୟାଲେଞ୍ଜ କରିବାକୁ ସକ୍ଷମ ଥିଲେ।

Also Read: ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ କାହାକୁ ମିଳିପାରେ ସ୍ଥାନ ? ବଡ଼ ସଙ୍କେତ ଦେଲେ ଶୁଭମନ ଗିଲ୍

ପଶ୍ଚାତାପ କରିବେ

କପିଲ୍ ଦେବ କହିଛନ୍ତି, ମୋ ନଜରରେ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେଇ ବଡ଼ ଭୁଲ୍ କରିଛନ୍ତି। ଟେଷ୍ଟ କ୍ରିକେଟକୁ ନେଇ ତାଙ୍କ ପାଖରେ ବହୁତ ଖେଳ ବାକି ଥିଲା। ତାଙ୍କର ଜବରଦସ୍ତ ଫିଟନେସ୍ ଥିଲା ଯାହା ଅନ୍ୟ ଖେଳାଳିଙ୍କଠୁ ଭିନ୍ନ ସ୍ତରରେ ଥିଲା। ତାଙ୍କର ଫର୍ମ ମଧ୍ୟ ଥିଲା। ଆଜି ନୁହେଁ କିନ୍ତୁ ୧୦ ବର୍ଷ ପରେ ବିରାଟ ନିଜର ଏହି ନିଷ୍ପତ୍ତି ପାଇଁ ପଶ୍ଚାତାପ କରିବେ।

ଠିକ୍ କଲେନି ବିରାଟ

ସେ କହିଛନ୍ତି ବିରାଟ ଏବେ ମଧ୍ୟ ୨୫ ବର୍ଷୀୟ ତଖେଳାଳିଙ୍କୁ ଚ୍ୟାଲେଞ୍ଜ କରି ପାରିବେ। ତାଙ୍କୁ ମହିନ୍ଦର ଅମରନାଥଙ୍କ ପରି ହେବାର ଥିଲା। ଅମରନାଥ ଅନେକ ଥର ଟିମରୁ ବାଦ୍ ପଡ଼ିଥିଲେ, ତଥାପି ସେ ପ୍ରତ୍ୟାବର୍ତ୍ତନ କରି ସଭିଙ୍କୁ ଭୁଲ୍ ପ୍ରମାଣିତ କରିଥିଲେ। ତେଣୁ ଯେ କୌଣସି ଖେଳାଳିଙ୍କୁ କ୍ରୋଧରେ ଆସି ନିଷ୍ପତ୍ତି ନେବା ଉଚିତ୍ ନୁହେଁ।

Also Read: ପୁଣି କେବେ ପଡିଆକୁ ଓହ୍ଲାଇବେ ବିରାଟ ଏବଂ ରୋହିତ ? ମନେ ରଖନ୍ତୁ ତାରିଖ

କୋହଲି ସେହି ସମୟରେ ଅବସର ଘୋଷଣା କଲେ  ଯେଉଁ ସମୟରେ ଭାରତ ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତି କରୁଥିଲା। ଉକ୍ତ ଗସ୍ତରେ ଭାରତ ଘରୋଇ ଇଂଲଣ୍ଡ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାର ଥିଲା। ଉଲ୍ଲେଖନୀୟ କୋହଲି ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ସାରିଥିବା ବେଳେ ଏବେ କେବଳ ଦିନିକିଆ କ୍ରିକେଟରେ ସକ୍ରିୟ ଅଛନ୍ତି।

ସୂଚନାଯୋଗ୍ୟ, ବିରାଟ କୋହଲି ୨୦୨୫ ମେରେ ଟେଷ୍ଟ କ୍ରିକେଟରୁ ଅବସର ଘେଷଣା କରିଥିଲେ। କ୍ରିକେଟର ସବୁଠୁ ଏହି ଲମ୍ବା ଫର୍ମାଟରେ ସେ ୧୪ ବର୍ଷ ଧରି ଭାରତୀୟ ଦଳର ପ୍ରତିନିଧିତ୍ଵ କରିଛନ୍ତି। ୧୨୩ ଟେଷ୍ଟରେ ୪୬.୮୫ ହାରରେ ୯ ହଜାର ୨୩୦ ରନ କରିଛନ୍ତି। ଏଥିରେ ୩୦ ଶତକ ଏବଂ ୩୧ ଅର୍ଦ୍ଧଶତକ ସାମିଲ୍। ୨୦୨୫ ଜାନୁଆରୀରେ ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷରେ ନିଜର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ।