ନୂଆଦିଲ୍ଲୀ, ୧୭।୧୧ : ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୧ରେ ଦିନିକିଆ ସିରିଜ୍ ଜିତିଛି ଭାରତ । କିନ୍ତୁ ଦମଦାର ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି ରୋହିତ ଶର୍ମା ଏବଂ ବିରାଟ କୋହଲି । କୋହଲି ନ୍ୟୁଜିଲାଣ୍ଡ ବିପକ୍ଷରେ ଚାରୋଟି ଇନିଂସରେ ୮୬ ରନ୍ କରିଥିଲେ । ଏହା ସତ୍ତ୍ୱେ ସେ ବ୍ୟାଟର ଭାବେ ସିରିଜରେ ଭାରତ ପକ୍ଷରୁ ସର୍ବାଧିକ ରନ୍ କରିଛନ୍ତି ।

ସିରିଜର ପ୍ରଥମ ମୁକାବିଲାରେ ସେ ୫୧ ବଲରୁ ୭୪ ରନ୍ କରିଥିଲେ । କିନ୍ତୁ ଅନ୍ୟ ସବୁ ମୁକାବିଲାରେ ସେ ବିଫଳ ହୋଇଥିଲେ । ରୋହିତ ଏହାଠୁ ମଧ୍ୟ ଖରାପ ପ୍ରଦର୍ଶନ କରିଛନ୍ତି । ସେ ଚାରୋଟି ପାଳିରେ ମାତ୍ର ୩୦ ରନ୍ କରିଛନ୍ତି । ଦୁଇ ଥର ସେ ବିନା କୌଣସି ରନରେ ପ୍ୟାଭିଲିୟନ ଫେରିଛନ୍ତି ।

କୁହାଯାଉଛି ଯେ, ଦୁଇ ଭେଟେରାନ୍ ନ୍ୟୁଜିଲାଣ୍ଡ ପରେ ଶ୍ରୀଲଙ୍କା ବିପକ୍ଷରେ ଘରୋଇ ଗ୍ରାଉଣ୍ଡରେ ଦିନିକିଆ ସିରିଜ୍ ଖେଳିପାରନ୍ତି । ଯାହା ଡିସେମ୍ବରରେ ଖେଳାଯିବ । ଦିନିକିଆ ସହ ଦୁଇ ଦେଶ ମଧ୍ୟରେ ଟି୨୦ ସିରିଜ୍ ମଧ୍ୟ ଖେଳାଯିବ । ଦିନିକିଆ ସିରିଜ୍ ଡିସେମ୍ବର ୧୩ରୁ ଆରମ୍ଭ ହେବ । ଏହାପରେ ୨୨ ତାରିଖରୁ ଟି୨୦ ସିରିଜ୍ ଆରମ୍ଭ ହେବ ।

ଅର୍ଥାତ ନ୍ୟୁଜିଲାଣ୍ଡ ସିରିଜ୍ ପରେ ରୋହିତ ଏବଂ ବିରାଟଙ୍କ ପାଖରେ ମାସେ ସମୟ ରହିଛି । ଏହାଦ୍ୱାରା ସେ ଅଧିକ ପ୍ରସ୍ତୁତି କରିପାରିବେ । ଏବେଯାଏଁ ଦଳ ଚୟନ ହୋଇନାହିଁ । ଫିଟନେସ ଟେଷ୍ଟ ପରେ ହିଁ ସେମାନେ ଚୟନ ପାଇଁ ଉପଲବ୍ଧ ହେବେ ।

Also Read :- ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍ ପରେ ବିପଦରେ ତିନି କ୍ରିକେଟରଙ୍କ କ୍ୟାରିୟର ! ଟିମରୁ କଟିପାରେ ପତ୍ତା

ସୂଚନାଯୋଗ୍ୟ, ଶ୍ରୀଲଙ୍କା ବିପକ୍ଷରେ ରୋହିତଙ୍କ ରେକର୍ଡ ଦମଦାର୍ ରହିଛି । ସେ ୫୫ଟି ମ୍ୟାଚରୁ ୪୫.୯୩ ଆଭରେଜରେ ୨୦୨୧ ରନ୍ କରିଛନ୍ତି । ଏଥିରେ ଦୁଇଟି ଦ୍ୱିଶତକ ମଧ୍ୟ ରହିଛି । ତାଙ୍କର ସର୍ବୋଚ୍ଚ ସ୍କୋର ୨୬୪ ମଧ୍ୟ ଶ୍ରୀଲଙ୍କା ବିପକ୍ଷରେ ଅଛି । ତେବେ ୨୦୨୪ରେ ଉଭୟ ଦଳ ଦିନିକିଆରେ ମୁହାଁମୁହିଁ ହୋଇଥିଲେ । କିନ୍ତୁ ଦଳ ସିରିଜ୍ ହାରିଥିଲା ।