କାନପୁର: ଲୋକମାନେ ନିଜର ମୂଲ୍ୟବାନ ସାମଗ୍ରୀ ସୁରକ୍ଷିତ ରଖିବା ପାଇଁ ବ୍ୟାଙ୍କ ଲକର ବ୍ୟବହାର କରିଥାନ୍ତି । କିନ୍ତୁ କାନପୁରରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଲକର୍‌ର ସୁରକ୍ଷା ଏବଂ ବ୍ୟାଙ୍କ ରେକର୍ଡ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏସବିଆଇର ଏକ ଲକରରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ସୁନା ଗହଣା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି । ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ଏବଂ ଅନ୍ୟ କର୍ମଚାରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି ।

ଏହି ମାମଲା କାନପୁରର ସ୍ୱରୂପ ନଗରସ୍ଥିତ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ସହ ଜଡ଼ିତ । ଅଭିଯୋଗକାରୀ ମହିଳାଙ୍କ କହିବା ଅନୁଯାୟୀ, ସେ ୨୦୦୩ ମସିହାରେ ତତ୍କାଳୀନ ଷ୍ଟେଟ ବ୍ୟାଙ୍କ ଅଫ୍ ତ୍ରାଭାଙ୍କୋରର ସ୍ୱରୂପ ନଗର ଶାଖାରେ ଏକ ଲକର ନେଇଥିଲେ । ପରବର୍ତ୍ତୀ ସମୟରେ ବ୍ୟାଙ୍କଗୁଡ଼ିକର ମିଶ୍ରଣ ପରେ ଏହି ଶାଖା ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଂଶ ହୋଇଥିଲା ।

ମହିଳାଜଣକ ପୋଲିସରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ନିଜ ଲକରରେ ସୁନା ଗହଣା ଏବଂ ଅନ୍ୟାନ୍ୟ ମୂଲ୍ୟବାନ ଜିନିଷ ରଖିଥିଲେ । ଯାହାର ମୋଟ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ । ମହିଳାଙ୍କ ଅନୁଯାୟୀ, ବ୍ୟାଙ୍କ ଲକରରେ ଏହିସବୁ ସାମଗ୍ରୀ ସୁରକ୍ଷିତ ଅଛି ବୋଲି ତାଙ୍କର ଦୃଢ଼ ବିଶ୍ୱାସ ଥିଲା ।

ମହିଳା କହିଛନ୍ତି ଯେ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଲକ୍ଷ୍ନୌ ଚାଲିଯାଇଥିଲେ। । ଏହାପରେ ତାଙ୍କର ବ୍ୟାଙ୍କକୁ ଯିବା-ଆସିବା କମିଯାଇଥିଲା । ନିୟମିତ ଭାବେ ଲକର ଯାଞ୍ଚ କରିବା ପାଇଁ ସେ ବ୍ୟାଙ୍କ ଆସିପାରୁ ନଥିଲେ । କିନ୍ତୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଲକର୍ ଚାର୍ଜ ନିୟମିତ ଭାବେ କଟୁଥିଲା । ଏହି କାରଣରୁ ମହିଳାଜଣକ ଭାବୁଥିଲେ ଯେ ତାଙ୍କ ଲକର୍ ଆକ୍ଟିଭ ଅଛି ଏବଂ ସେଥିରେ ରଖାଯାଇଥିବା ସାମଗ୍ରୀ ସୁରକ୍ଷିତ ଅଛି ।

ନିକଟରେ ମହିଳାଜଣକ ବ୍ୟାଙ୍କରେ ପହଞ୍ଚି ନିଜ ଲକର ଖୋଲିବାକୁ ଚେଷ୍ଟା କଲେ । ବ୍ୟାଙ୍କ ମିଶ୍ରଣ ପରେ ତାଙ୍କ ଲକର୍ ସମ୍ବନ୍ଧୀୟ ରେକର୍ଡ ମିଳୁ ନ ଥିବା କୁହାଯାଇଥିଲା । ପରେ ବ୍ୟାଙ୍କ ପକ୍ଷରୁ ରେକର୍ଡ ଯାଞ୍ଚ କରାଯାଇ ଲକର୍ ସମ୍ପର୍କିତ ତଥ୍ୟ ଖୋଜା ଯାଇଥିଲା । ରେକର୍ଡ ମିଳିବା ପରେ ମହିଳାଙ୍କୁ ଲକର ଖୋଲିବାକୁ ଅନୁମତି ଦିଆଯାଇଥିଲା । କିନ୍ତୁ ଲକର ଖୋଲିବା ମାତ୍ରେ ମହିଳାଙ୍କ ହୋସ୍ ଉଡ଼ିଯାଇଥିଲା । ତାଙ୍କ କହିବା ଅନୁଯାୟୀ, ଲକର ଭିତରେ କୌଣସି ଗହଣା କିମ୍ବା ସାମଗ୍ରୀ ନଥିଲା । ଲକରଟି ସମ୍ପୂର୍ଣ୍ଣ ଖାଲି ପଡ଼ିଥିଲା ।

ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କ ଲକରରେ ରଖାଯାଇଥିବା ପ୍ରାୟ ୫୦ ଲକ୍ଷ ଟଙ୍କାର ଗହଣା ଓ ମୂଲ୍ୟବାନ ଜିନିଷ ଗାଏବ ହୋଇଯାଇଛି । ଏହାପରେ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ ।

ମହିଳାଙ୍କ ଅଭିଯୋଗ ଆଧାରରେ ସ୍ୱରୂପ ନଗର ଥାନାରେ ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ଏବଂ ଅନ୍ୟ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଲକରରୁ ସାମଗ୍ରୀ କେବେ ଏବଂ କିପରି ଗାଏବ ହେଲା, ସେ ନେଇ ପୋଲିସ ଏବେ ତଦନ୍ତ ଚଳାଇଛି । ପ୍ରାଥମିକ ତଦନ୍ତରୁ ପୋଲିସକୁ ବ୍ୟାଙ୍କ ରେକର୍ଡରେ ଏପରି କିଛି ଏଣ୍ଟ୍ରି ମଧ୍ୟ ମିଳିଛି, ଯାହାରୁ ଜଣାପଡ଼ୁଛି ଯେ ମହିଳାଙ୍କ ଲକରକୁ ପୂର୍ବରୁ ମଧ୍ୟ ଆକ୍ସେସ୍ କରାଯାଇଥିଲା ।