ନୂଆଦିଲ୍ଲୀ: ଜେନ ଜିଙ୍କ ବିରୋଧରେ ସର୍ବଦା ବିଷୋଦଗାର କିମ୍ବା ବିଷ ଓଗାଳୁଥିବା ବିବାଦୀୟ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରଣାଓ୍ଵତଙ୍କ ସ୍ଵର ନରମିଛି। ଜେନ ଜିଙ୍କୁ ନେଇ ୟୁ-ଟର୍ଣ୍ଣ ମାରିଛନ୍ତି କଙ୍ଗନା। ପ୍ରଥମେ ଜେନ ଜିଙ୍କୁ ନାଳ ପାଣିର ପିଢି କହି ବିବାଦ ଘେରକୁ ଆସିଥିବା ଏହି ବିଜେପି ସାଂସଦ ଏବେ ଏହି ପିଢିକୁ ଦେଶର ଭବିଷ୍ୟତ ବୋଲି କହିଛନ୍ତି। ତାଙ୍କର ଏହି ସଫେଇ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

ଗୁରୁବାର ସଂଘ ପ୍ରମୁଖ ମୋହନ ଭାଗବତ ଜେନ ଜିଙ୍କ ଉପରେ ବିସ୍ତୃତ ଭାବେ ନିଜର ମତ ରଖିଥିଲେ। ଏହା ପରେ ଶୁକ୍ରବାର ସଂସଦ ବାହାରେ ଗଣମାଧ୍ୟମ ପ୍ରତିନିଧି କଙ୍ଗନାଙ୍କୁ ପୁଣି ଥରେ ସେହି ପ୍ରଶ୍ନ କରିଥିଲେ। ଏହା ଉପରେ ଉତ୍ତର ଦେଇ ସେ କହିଛନ୍ତି, ଜେନ ଜି ଆମ ଦେଶର ଶକ୍ତି। ଗୋଟିଏ ପ୍ରକାର କହିବାକୁ ଗଲେ, ସେମାନେ ଆମ ଦେଶର ବଡ଼ ସଂପତ୍ତି। ଆମର ଯୁବ ପିଢି। ଆମେ ବହୁତ ଖୁସି ଯେ, ଆମର ଯୁବ ପିଢି ଦ୍ରୁତ ଗତିରେ ଆମ ସଂସ୍କୃତି ଓ ପରିଚୟର ଦୂତ ଭାବେ ଆଗକୁ ଆସୁଛନ୍ତି।

Also Read: ବୃଦ୍ଧାଶ୍ରମରେ ଚାଲିଗଲା ବାପାଙ୍କ ଜୀବନ: ଭିଡିଓ କଲ୍ରେ ଅନ୍ତିମ ସଂସ୍କାର ଦେଖିଲେ ୩ ଝିଅ, ଅନଲାଇନରେ ପଠାଇଲେ ୫,୧୦୦ ଟଙ୍କା

ଗଟର ଜେନେରେସନ କହି ବିବାଦରେ ଥିଲେ କଙ୍ଗନା

ଏହା ପୂର୍ବରୁ କଙ୍ଗନା ରଣାଓ୍ଵତ ଯୁବ ପିଢିଙ୍କୁ ‘ଗଟର ଜେନେରେସନ’ କହି କଟୁ ଶବ୍ଦରେ ସମାଲୋଚନା କରିଥିଲେ। ସାମାଜିକ ଗଣମାଧ୍ୟମରେ ତାଙ୍କୁ ଖୁବ୍ ସମାଲୋଚନା କରାଯାଇଛି। ହେଲେ ଗୁରୁବାର ସଂଘ ପ୍ରମୁଖ ମୋହନ ଭାଗବତ ଜେନ ଜି ଏବଂ ସେମାନଙ୍କ ଆନ୍ଦୋଳନକୁ ସମର୍ଥନ ଦେବା ପରେ ସଂପ୍ରତି କଙ୍ଗନାଙ୍କ ସ୍ଵରରେ ପରିବର୍ତ୍ତନ ଆସିଛି। ମୋହନ ଭାଗବତଙ୍କ ଜେନ ଜିଙ୍କ ପ୍ରତି ସମର୍ଥନକୁ ପ୍ରଶଂସା କରି କଙ୍ଗନା କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ଗାଳି ଦେଇଥିବା କିଛି ହାତ ଗଣତି ଲୋକ ପୂରା ଜେନ ଜି ପିଢିର ପ୍ରତିନିଧିତ୍ଵ କରୁ ନାହାନ୍ତି।