ସୋନିପତ: ଯେଉଁ ବାପା ନିଜର ସମସ୍ତ ସୁଖ-ସ୍ଵାଚ୍ଛନ୍ଦ୍ୟ ସବୁ ତ୍ୟାଗ କରି ଝିଅମାନଙ୍କୁ ପାଠ ପଢାଇ ମଣିଷ କରିଥିଲେ, ଶେଷ ସମୟରେ ସେହି ବାପାଙ୍କ ଶବ ପାଖରେ ଛିଡ଼ା ହେବାକୁ କାହା ପାଖରେ ସମୟ ନଥିଲା। ହରିୟାଣାର ସୋନିପତ ସ୍ଥିତ ଏକ ବୃଦ୍ଧାଶ୍ରମରୁ ଆସିଛି ଏମିତି ଏହି ହୃଦୟବିଦାରକ ଘଟଣା। ଏହାର ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ସହ ଚର୍ଚ୍ଚାର ବିଷୟ ପାଲଟିଛି।

ମୁମ୍ବାଇର ପୂର୍ବତନ ବସ୍ତ୍ର ବ୍ୟବସାୟୀ ଶିବଚରଣ ରାମ ରତନ ଗୁପ୍ତା ନିଜ ସ୍ତ୍ରୀଙ୍କ ସହ ପ୍ରାୟ ଦୁଇ ବର୍ଷ ହେବ ସୋନିପତର ଏକ ବୃଦ୍ଧାଶ୍ରମରେ ରହୁଥିଲେ। କିଛି ଦିନ ପୂର୍ବରୁ ସ୍ତ୍ରୀଙ୍କର ପରଲୋକ ହୋଇଥିବା ବେଳେ, ଦୀର୍ଘ ଦିନର ଅସୁସ୍ଥତା ପରେ ମଙ୍ଗଳବାର ଭୋର ସମୟରେ ଶିବଚରଣଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।

Also Read: ୫୦୦ କୋଟିର ମାଲିକ, ହେଲେ ପିନ୍ଧିଛନ୍ତି ୧୦ ହଜାରର ଟଙ୍କାର ନକଲି Rolex

ଭିଡିଓ କଲ୍‌ରେ ଦେଖିଲେ ଶେଷକୃତ୍ୟ

ଶିବଚରଣଙ୍କର ତିନି ଜଣ ଝିଅ ଅଛନ୍ତି। ବଡ଼ ଝିଅ ନେପାଳରେ ଜଣେ ଶିକ୍ଷୟିତ୍ରୀ, ମଝିଆ ଝିଅ ଉତ୍ତର ପ୍ରଦେଶର ଆଜମଗଡ଼ରେ ଓ ସାନ ଝିଅ ମୁମ୍ବାଇରେ ରହୁଛନ୍ତି। ବାପାଙ୍କ ମୃତ୍ୟୁ ଖବର ବୃଦ୍ଧାଶ୍ରମ କର୍ତ୍ତୃପକ୍ଷ ତିନି ଝିଅଙ୍କୁ ଜଣାଇଥିଲେ। କିନ୍ତୁ ସମସ୍ତେ ଆସିବାକୁ ଅସମର୍ଥତା ପ୍ରକାଶ କରିବା ସହ ଭିଡିଓ କଲ୍ ମାଧ୍ୟମରେ ଅନ୍ତିମ ଦର୍ଶନ କରିଥିଲେ। ନେପାଳରେ ରହୁଥିବା ଝିଅ ଶ୍ରାଦ୍ଧ ଓ କର୍ମ ପାଇଁ ଅନ୍ଲାଇନ୍ରେ ୫,୧୦୦ ଟଙ୍କା ପଠାଇ ଦେଇଥିଲେ।

ଆଉ କେତେ ସମୟ ଲାଗିବ ?

ସୋନିପତ୍ର ସ୍ଥାନୀୟ ଲୋକ ଓ ବୃଦ୍ଧାଶ୍ରମ କର୍ମଚାରୀମାନେ ମିଶି ଶିବଚରଣଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ଏହି ସମୟରେ ଝିଅମାନେ ଭିଡିଓ କଲରେ ସବୁ ଦେଖୁଥିଲେ। ସବୁଠାରୁ ଆଶ୍ଚର୍ଯ୍ୟର କଥା, ଶ୍ମଶାନରେ ଦାହ ସଂସ୍କାର ଚାଲିଥିବା ବେଳେ ଜଣେ ଝିଅ ଭିଡିଓ କଲରେ ପଚାରିଥିଲେ, "ଆଉ କେତେ ସମୟ ଲାଗିବ ? ଆମକୁ ଖାଇବାକୁ ଓ ଗାଧୋଇବାକୁ ଅଛି।" ଏପରିକି ଚିତାଭସ୍ମ ସଂଗ୍ରହ କରିବାକୁ କେହି ଆସିପାରିବେ ନାହିଁ ବୋଲି କହିବା ପରେ ବୃଦ୍ଧାଶ୍ରମ କର୍ମଚାରୀମାନେ ଅସ୍ଥିକୁ ଗଙ୍ଗାରେ ବିସର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Also Read: କନିଷ୍ଠ ଯନ୍ତ୍ରୀ ରଶ୍ମିରଞ୍ଜନ ସେଠୀ ମୃତ୍ୟୁ ମାମଲାରେ ଟ୍ବିଷ୍ଟ, ସନ୍ଦେହ ବଢ଼ାଇଲା ପୋଷ୍ଟ ମର୍ଟମ ରିପୋର୍ଟ

ମୃତ୍ୟୁ ପରେ ଆଖି ଦାନ

ସୋସିଆଲ ମିଡିଆରେ ଏହି ଘଟଣାକୁ ନେଇ କ୍ଷୋଭ ପ୍ରକାଶ ପାଇଥିବା ବେଳେ, ଶିବଚରଣଙ୍କର ଗୋଟିଏ ସମ୍ମାନଜନକ ଦିଗ ସାମ୍ନାକୁ ଆସିଛି। ତାଙ୍କ ପରିବାରର ଇଚ୍ଛାକ୍ରମେ ମୃତ୍ୟୁ ପରେ ତାଙ୍କର ଦୁଇଟି ଯାକ ଆଖି ଦାନ କରାଯାଇଛି, ଯାହା ଦ୍ୱାରା ଅନ୍ୟ କାହା ଜୀବନରେ ଆଲୋକ ଆସିପାରିବ।