କନ୍ଧମାଳ: ସ୍ୱାସ୍ଥ୍ୟବିଭାଗରେ ଚାକିରୀ ଦେବାକୁ କହି ଠକେଇ କରିବା ଅଭିଯୋଗରେ ଗିରଫ ହେଲେ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ଏନଏଚଏମରେ କାର୍ଯ୍ୟରତ ଜିଲ୍ଲା ଆକାଉଣ୍ଟ ମ୍ୟାନେଜର ପରମେଶ୍ଵର ନାଏକ। ଦେବଗଡ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗରେ ବିଭିନ୍ନ ପଦବୀରେ ଚାକିରୀ କରାଇଦେବାକୁ କହି ସେ ଲୋକଙ୍କୁ ଠକିଥିବା ଅଭିଯୋଗ ହୋଇଥିଲା। ପରମେଶ୍ୱର ପୂର୍ବରୁ ଦେବଗଡ ଏନଏଚଏମରେ ଜିଲ୍ଲା ଆକାଉଣ୍ଟ ମ୍ୟାନେଜର ଭାବରେ କାମ କରୁଥିଲେ। ତେଣୁ ସେଠାରେ ଚାକିରି କରାଇ ଦେବାକୁ କହି ଲୋକଙ୍କୁ ଠକିଥିଲେ। ଏହି ଅଭିଯୋଗରେ ଦେବଗଡ ଆଦର୍ଶ ଥାନା ପୁଲିସ ପରମେଶ୍ୱରକୁ ଗିରଫ କରିଛି।

ପରମେଶ୍ଵର ଦେବଗଡ ଜିଲ୍ଲାରେ କାର୍ଯ୍ୟରତ ଥିବା ସମୟରେ ଦେବଗଡ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଯୁବକ ଯୁବତୀଙ୍କୁ ଡାକ୍ତରଖାନାରେ ସୁପରଭାଇଜର, ଆଟେଣ୍ଡାଣ୍ଟ, ଝାଡୁଦାର ପଦବୀରେ ଚାକିରୀ ଦେବାକୁ କହି ଟଙ୍କା ଆଦାୟ କରିଥିଲେ। ସେମାନଙ୍କ ମଧ୍ୟରୁ ୧୩ ଜଣ ଯୁବକ ଯୁବତୀଙ୍କ ଠାରୁ ଜଣଙ୍କ ପିଛା ଏକ ଲକ୍ଷ ତିରିଶ ହଜାର ଟଙ୍କା ଲେଖାଁଏ ମୋଟ ୧୫ ଲକ୍ଷ ୬୦ ହଜାର ଟଙ୍କା ଠକି ନେଇଥିଲେ।

ହେଲେ ସମୟ ଗଡ଼ି ଚାଲିଥିବା ବେଳେ ଚାକିରିର ଦେଖା ମିଳି ନଥିଲା। ଆଶାୟୀଙ୍କୁ ଆଜିକାଲି କହି ସମୟ ଗଡ଼େଇ ଚାଲିଥିଲେ ପରମେଶ୍ୱର। ଏହାପରେ ପରମେଶ୍ଵରଙ୍କ ବଦଳୀ କନ୍ଧମାଳ ଜିଲ୍ଲାକୁ ହୋଇଥିବା ବେଳେ ୨୦୨୫ ନଭେମ୍ବର ମାସରେ ସେ ସେଠାକୁ ଚାଲିଯାଇଥିଲେ। ଏହାପରେ କୁରଡ ଗ୍ରାମର ଲକ୍ଷ୍ମୀପ୍ରିୟା ବେହେରା ନାମକ ଜଣେ ମହିଳା ଦେବଗଡ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତି କରି ଦେବଗଡ ଥାନା ପକ୍ଷରୁ ତଦନ୍ତ କରାଯାଇ ସୋମବାର ପରମେଶ୍ୱରଙ୍କୁ ଗିରଫ କରାଯାଇ କୋର୍ଟ ଫରୱାର୍ଡ କରାଯାଇଛି।

Also Read- ନ୍ୟୁଜ ୭ର ମହାପ୍ରଭାବ: ଅଘୋରି ନିଆଁରେ ପୋଡ଼ି ଯାଇଥିବା ଭକ୍ତ ପାଖରେ ପହଞ୍ଚିଲା ପ୍ରଶାସନ

ଅଭିଯୁକ୍ତଙ୍କ ନାଁରେ ଦେବଗଡ ଆଦର୍ଶ ଥାନା ରେ ଦଫା ୩୧୮(୪), ୨୯୬, ୩୫୧(୩) ବିଏନଏସ ଆଇନ ଅନୁଯାଇ କେଶ ନମ୍ବର ୧୪୩/୨୦୨୬ ରୁଜୁ କରାଯାଇଛି। ଏହି ଠକେଇ ଘଟଣାରେ ଅନ୍ୟ କିଏ ସବୁ ସଂପୃକ୍ତ ଅଛନ୍ତି ସେନେଇ ପୋଲିସ ତଦନ୍ତ ଜାରି ରଖିଛି।