କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ପିଛା ଛାଡ଼ୁନି ଲାଞ୍ଚ କାରବାର। ଆଉ ଲାଞ୍ଚୁଆ ସରକାରୀ କର୍ମଚାରୀଙ୍କ ବିରୋଧରେ ଭିଜିଲାନ୍ସର ଘନ ଘନ ଚଢ଼ାଉ ଜାରି ରହିଛି। ମାତ୍ର ଦୁଇ ଦିନ ମଧ୍ୟରେ ଦୁଇଟି ଲାଞ୍ଚ ମାମଲାରେ ସରକାରୀ କର୍ମଚାରୀ ଧରାପଡ଼ିବା ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶେଷ ବିଲ୍ କରାଇଦେବାକୁ ୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଜୁନାଗଡ଼ ଏନ୍ଏସିର ଏମ୍ଆଇଏସ୍ ପ୍ରଦ୍ୟୁମ୍ନ କୁମାର ଦାଶ।

ସୂଚନା ଅନୁଯାୟୀ, ଜଣେ ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ମୋଟ ୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏଥିମଧ୍ୟରୁ ପୂର୍ବରୁ ୧ ଲକ୍ଷ ୬୦ ହଜାର ଟଙ୍କାର ବିଲ୍ ହୋଇସାରିଥିବା ବେଳେ ଘର ନିର୍ମାଣ ମଧ୍ୟ ସମ୍ପୂର୍ଣ୍ଣ ହୋଇଥିଲା। ବାକି ୪୦ ହଜାର ଟଙ୍କାର ଶେଷ ବିଲ୍ ପାଇଁ ହିତାଧିକାରୀ ଅପେକ୍ଷା କରିଥିଲେ।

ହେଲେ ଶେଷ ବିଲ୍ ପ୍ରସ୍ତୁତ କରିବା ପାଇଁ ଏମ୍ଆଇଏସ୍ ପ୍ରଦ୍ୟୁମ୍ନ କୁମାର ଦାଶ ୭ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ଏନେଇ ହିତାଧିକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହେବା ପରେ ଯୋଜନା ମୁତାବକ ଶନିବାର ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ତାଙ୍କୁ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍। ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କୁ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟକୁ ନିଆଯାଇଛି।

ତେବେ କଳାହାଣ୍ଡିରେ ଲାଞ୍ଚ କାରବାରର ଏହା ପ୍ରଥମ ଘଟଣା ନୁହେଁ। ଏହାର ମାତ୍ର ଦୁଇ ଦିନ ପୂର୍ବରୁ ୧୨ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଥିଲେ ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ ଓ ତାଙ୍କ ଡ୍ରାଇଭର ପଙ୍କଜ ସିପକା। ଜମିର କିସମ ପରିବର୍ତ୍ତନ ଓ ସଂଶୋଧିତ ପଟ୍ଟା ପ୍ରଦାନ ପାଇଁ ଉଭୟେ ଏହି ଲାଞ୍ଚ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା। ଜାମିନ ନମିଳିବାରୁ ଉଭୟଙ୍କୁ ଜେଲ୍ ଯିବାକୁ ପଡ଼ିଥିଲା।

Also Read: ୧.୨୩ କୋଟି ସରକାରୀ ଟଙ୍କା ହଡ଼ପ୍ ଅଭିଯୋଗ, ସତକୋଶିଆ ବନଖଣ୍ଡର ବରିଷ୍ଠ ସହାୟକ ଗିରଫ

ଗୋଟିଏ ପଟେ ଜମିଜମା କାମ ପାଇଁ ଲାଞ୍ଚ ଦାବି, ଅନ୍ୟପଟେ ଗରିବ ହିତାଧିକାରୀଙ୍କ ଆବାସ ଯୋଜନାର ଶେଷ ବିଲ୍ ପାଇଁ ଲାଞ୍ଚ ଅଭିଯୋଗ। ଦୁଇ ଦିନ ମଧ୍ୟରେ ଏଭଳି ଦୁଇଟି ଘଟଣା ସରକାରୀ ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଉତ୍ତରଦାୟିତ୍ବକୁ ନେଇ ଅନେକ ପ୍ରଶ୍ନ ଉଠାଇଛି। ସାଧାରଣ ଲୋକେ ନିଜର ହକ୍‌ର ସରକାରୀ ସେବା ପାଇବା ପାଇଁ ଯଦି ଲାଞ୍ଚ ଦେବାକୁ ବାଧ୍ୟ ହୁଅନ୍ତି, ତେବେ ଦୁର୍ନୀତିମୁକ୍ତ ପ୍ରଶାସନର ଲକ୍ଷ୍ୟ କେତେଦୂର ସଫଳ ହେବ? ଏବେ ଏହି ଦୁଇ ଘଟଣାକୁ ନେଇ ସାରା କଳାହାଣ୍ଡି ଜିଲ୍ଲାରେ ଜୋରଦାର ଚର୍ଚ୍ଚା ଚାଲିଛି।