ଅନୁଗୋଳ ୨୧।୧୧ : ସରକାରୀ ଟଙ୍କା ହଡ଼ପ୍ ଅଭିଯୋଗରେ ଅନୁଗୋଳ ଜିଲ୍ଲା ସତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡର ବରିଷ୍ଠ ସହାୟକ ଅଜୟ କୁମାର ନାଏକଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଜାଲ୍ ବିଲ୍ ପ୍ରସ୍ତୁତ କରି HRMS ପୋର୍ଟାଲ ଜରିଆରେ ୧ କୋଟି ୨୩ ଲକ୍ଷ ୫୨ ହଜାର ୫୪୭ ଟଙ୍କା ହଡ଼ପ୍ କରିଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଛି।

ଖବର ଅନୁଯାୟୀ, ଅଜୟ ସତକୋଶିଆ ବନଖଣ୍ଡର DFO କାର୍ଯ୍ୟାଳୟର ପ୍ରତିଷ୍ଠାନ ବିଭାଗରେ ବରିଷ୍ଠ ସହାୟକ ଭାବେ କାର୍ଯ୍ୟରତ ଥିଲେ। କର୍ମଚାରୀଙ୍କ ଦରମା, ଅବ୍ୟବହୃତ ଛୁଟି ବାବଦ ପ୍ରାପ୍ୟ ଏବଂ ବକେୟା ଅର୍ଥ ପ୍ରଦାନ ଦାୟିତ୍ୱ ତାଙ୍କ ଉପରେ ଥିଲା।ଏହି ସୁଯୋଗରେ ସେ ୨୦୧୯ ଜାନୁଆରୀ ୧ରୁ ୨୦୨୫ ଜୁନ୍ ୩୦ ମଧ୍ୟରେ ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ନାଁରେ HRMS ପୋର୍ଟାଲରେ ଜାଲ୍ ବିଲ୍ ପ୍ରସ୍ତୁତ କରିଥିଲେ। ଏହି ଟଙ୍କା ପ୍ରକୃତ ହିତାଧିକାରୀଙ୍କ ଖାତାକୁ ନଯାଇ ନିଜ ବ୍ୟାଙ୍କ ଖାତା ସହ ଅନ୍ୟ ଦୁଇ ଜଣ ସହଯୋଗୀଙ୍କ ଖାତାକୁ NEFT ମାଧ୍ୟମରେ ଟ୍ରାନ୍ସଫର କରାଯାଇଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି।ଗତ ଅକ୍ଟୋବର ମାସରୁ ଅଜୟ ଫେରାର ଥିଲେ। ତାଙ୍କ ଗତିବିଧି ଉପରେ ନଜର ରଖିଥିବା ଭିଜିଲାନ୍ସ ଟିମ୍ ଗତକାଲି ରାତିରେ ଅନୁଗୁଳ ସହରରେ ଏକ କାର୍ ରେ ଘରକୁ ଯାଉଥିବା ବେଳେ ତାଙ୍କୁ କାବୁ କରିଥିଲା।ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ୪୪/୨୦୨୬ ନମ୍ବରରେ ଦୁର୍ନୀତି ନିବାରଣ ଆଇନ ଏବଂ BNSର ସମ୍ପୃକ୍ତ ଧାରାରେ ମାମଲା ରୁଜୁ ହୋଇଛି। ଗିରଫ ଅଜୟ କୁମାର ନାଏକଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।