ଭୁବନେଶ୍ୱର ୨୧।୧୧ : ବିଧାନସଭା ଶୀତ ଅଧିବେଶନ । ତିନି ଦିନର ଅଚଳାବସ୍ଥା ପରେ ବିଧାନସଭାରେ ଫେରିବ କି ସ୍ୱାଭାବିକତା ? ଏସବୁ ଭିତରେ ସୋମବାରଠାରୁ ଗୃହକାର୍ଯ୍ୟ ସ୍ୱାଭାବିକ ହେବା ନେଇ ଆଶା ବଢ଼ିଛି। ସର୍ବଦଳୀୟ ବୈଠକ ପରେ ଏଭଳି ସଙ୍କେତ ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ଖବର ଅନୁଯାୟୀ, ଗତ ତିନି ଦିନ ଧରି ବିଭିନ୍ନ ପ୍ରସଙ୍ଗରେ ଗୃହରେ ହୋଇଥିଲା ଜୋରଦାର ହଟ୍ଟଗୋଳ। ବନ୍ୟା ପରିସ୍ଥିତିକୁ ନେଇ ବିଜେଡି ସରକାରଙ୍କୁ ଘେରିଥିବା ବେଳେ କୋଟିଆ ପ୍ରସଙ୍ଗରେ ପ୍ରତିବାଦ କରିଥିଲା କଂଗ୍ରେସ। ଫଳରେ ବାରମ୍ବାର ମୁଲତବୀ ହୋଇଥିଲା ଗୃହକାର୍ଯ୍ୟ। ଶନିବାର ମଧ୍ୟ ବନ୍ୟା ପ୍ରସଙ୍ଗକୁ ନେଇ ଗୃହରେ ଅଚଳାବସ୍ଥା ଜାରି ରହିଥିଲା। ସର୍ବଦଳୀୟ ବୈଠକରେ ଗୃହକାର୍ଯ୍ୟ ସ୍ୱାଭାବିକ କରିବା ନେଇ ବିରୋଧୀ ଦଳ ସହମତି ଜଣାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

Also Read:-ବାତ୍ୟାକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି; ଶନିବାର ବନ୍ଦ ରହିବ ବିଧାନସଭା, ସୋମବାର ଯାଏଁ ଗୃହ ମୁଲତବି

ସେପଟେ ବନ୍ୟା ପ୍ରସଙ୍ଗରେ ବିଜେଡି ଦେଇଥିବା ପ୍ରସ୍ତାବ ଏବେ ବିଚାରାଧୀନ ରହିଛି। ତେଣୁ ସୋମବାର ଗୃହରେ ଏହି ପ୍ରସଙ୍ଗ ଉଠିବା ସମ୍ଭାବନା ରହିଛି। ଏବେ ପ୍ରଶ୍ନ ହେଉଛି, ସର୍ବଦଳୀୟ ବୈଠକର ସହମତି କେତେଦୂର କାର୍ଯ୍ୟକାରୀ ହେବ? ବନ୍ୟା ଓ କୋଟିଆ ପ୍ରସଙ୍ଗରେ ବିରୋଧୀଙ୍କ ଦାବି ଗୃହରେ ଉଠିବ କି? ନା ପୁଣି ହଟ୍ଟଗୋଳରେ ଅଟକିବ ବିଧାନସଭା? ସୋମବାର ଗୃହକାର୍ଯ୍ୟ ଉପରେ ରହିବ ସମସ୍ତଙ୍କ ନଜର।