କରଞ୍ଜିଆ ୧୫।୩: ମୟୁରଭଞ୍ଜରେ ତାଣ୍ଡବ ରଚିଲା କାଳବୈଶାଖୀ । ହଠାତ୍ ମାଡ଼ି ଆସିଲା, କରାଳ ରୂପ ଧାରଣ କଲା । ଚାହୁଁଚାହୁଁ ସବୁ ଛାରଖାର ହୋଇଗଲା । କେଉଁଠି ଘର ଭାଙ୍ଗିଲା ତ ଆଉ କେଉଁଠି ଛପର ଉଡ଼ାଇଲା । ରାସ୍ତାରୁ ଅଟୋକୁ ନେଇ ପୋଖରୀରେ କଚାଡ଼ିଲା । ଲୋକ ବି ଏଥିରୁ ବର୍ତ୍ତିଲେନି । ଲୋକଙ୍କୁ ଗାଡ଼ି ସହ ରାସ୍ତାରୁ ଉଡ଼ାଇ ନେଇ କଚାଡ଼ିଦେଲା । ମାତ୍ର ୧୦ ମିନିଟ୍‌ରେ ସବୁକିଛି ଓଲଟପାଲଟ ହୋଇଗଲା । ଦୁଇ ଜଣଙ୍କ ଜୀବନ ନେବା ସହ ୪ ଜଣଙ୍କୁ ଗୁରୁତର କଲା ଏହି ଘୂର୍ଣ୍ଣିଝଡ଼ । 

ଦେଖନ୍ତୁ ଘୂର୍ଣ୍ଣିଝଡ଼ର କରାଳ ରୂପ:

ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ୍‌ର ତିନୋଟି ଗାଁରେ କାଳବୈଶାଖୀ ତାଣ୍ଡବ ରଚିଛି । କିଆ, ପାଣପୋଷି, ମେଣ୍ଢାଶିଙ୍ଗା ଗାଁରେ କାଳବୈଶାଖୀ ଘରଦ୍ବାର ଭାଙ୍ଗିବା ସହ ଅଘଟଣ ଘଟାଇଛି । ହଠାତ୍ ପବନ ମାଡ଼ିଆସିବା ସହ ଓ କୁଆ ପଥର ମାଡ଼ ହୋଇଥିଲା । ଯାହା ଫଳରେ ଏହି ତିନୋଟି ଗାଁରେ ପ୍ରାୟ ଶହେରୁ ଅଧିକ ଘର ଭାଙ୍ଗିଯାଇଥିବା ଜଣାପଡିଛି । ଏହାସହ ପ୍ରବଳ ପବନରେ କଙ୍କଡା ଗାଁ ରାସ୍ତାରେ ଯାଉଥିବା ଏକ ଯାତ୍ରୀବାହୀ ଅଟୋକୁ ଉଡାଇ ନେଇ ପୋଖରୀ ଭିତରେ ପକାଇ ଦେଇଥିବା ଦେଖିବାକୁ ମିଳିଛି । ରାସ୍ତାରେ ଯାଉଥିବା ଏକ ବାଇକ୍ ଓ ସ୍କୁଟରକୁ ମଧ୍ୟ ଉଡ଼ାଇ ନେଇ ଫିଙ୍ଗି ଦେଇଥିବା ଜଣାପଡିଛି । ତେବେ ଘୂର୍ଣ୍ଣିଝଡ଼ ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଗୁରୁତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ମଧ୍ୟ ଆଶଙ୍କା କରାଯାଉଛି ।

ଦେଖନ୍ତୁ କେମିତି ସବୁ ଛାରଖାର କରିଦେଲା ଘୂର୍ଣ୍ଣିଝଡ଼:​​​​​​​​​​​​​​