ଅନନ୍ତପୁର: ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲା ରାପ୍ତାଡୁ ମଣ୍ଡଳର ଏକ ସରକାରୀ ସ୍କୁଲରେ ଶନିବାର ସକାଳେ ଘଟିଛି ଅଭାବନୀୟ ଘଟଣା। ୧୦ମ ଶ୍ରେଣୀରେ ପାଠପଢା ଚାଲିଥିବା ବେଳେ ଜଣେ ୨୧ ବର୍ଷ ବୟଷ୍କ ଯୁବକ ଚେନସା ଗଛକଟା ମେସିନ ଧରି ଶ୍ରେଣୀଗୃହକୁ ପଶିବା ସହ ଏଥିରେ ୨ ଜଣଙ୍କୁ ଆକ୍ରମଣ କରିଥିଲା। ଫଳରେ ଜଣେ ଛାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ପ୍ରଚାରିତ ହେବା ପରେ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଛି।

ପ୍ରାରମ୍ଭିକ ସୂଚନା ଅନୁସାରେ ରାପତାଡୁ ଗାଁ ଜିଲ୍ଲା ପରିଷଦ ହାଇସ୍କୁଲରେ ଏହି କାଣ୍ଡ ପୂର୍ବାହ୍ନ ପ୍ରାୟ ସାଢେ ୧୦ଟା ବେଳେ ଘଟିଛି। ଏହି ଘଟଣା ଶ୍ରେଣୀଗୃହରେ ଘଟିଥିବା ବେଳେ ଶିକ୍ଷକ ସେତେବେଳେ ଛାତ୍ରୀଙ୍କୁ ପାଠ ପଢାଉଥିଲେ। ଅଚାନକ ଚେନସା ଗଛକଟା ମେସିନ ଛାତ୍ରୀଙ୍କ ଗଳାରେ ଚଳାଇ ଦେବାରୁ ଛାତ୍ରୀ ଗୁରୁତର ଆହତ ହୋଇଥିଲେ, ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ଅନ୍ୟ ଜଣେ ଛାତ୍ରୀ ମଧ୍ୟ ଆହତ ହୋଇଛନ୍ତି। ୨ ଆହତ ଛାତ୍ରୀଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ସରକାରୀ ବଡ ଡାକ୍ତରଖାନାକୁ ନିଆଯାଇଥିଲା। ଏଥିରୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ଖବର ଆସୁଛି।

ମାମଲାର ପୋଲିସ ପ୍ରାରମ୍ଭିକ ଯାଞ୍ଚ କରିଥିବା ବେଳେ ଛାତ୍ରୀଙ୍କ ଉପରେ ଆକ୍ରମଣ ପାଇଁ ଉପଯୋଗ ହୋଇଥିବା ଚେନସା ମେସିନକୁ ଜବତ କରିଛି। ସେହିପରି ଆକ୍ରମଣକାରୀକୁ ହେମନ୍ତ ଓରଫ ଡୁମ୍ମୁ ଭାବେ ଚିହ୍ନଟ କରାଯାଇଛି। କାଣ୍ଡ କରିବା ପରେ ଡୁମ୍ମୁ ଶ୍ରେଣୀ ଗୃହରେ ଚେନସା ମେସିନ ଛାଡି ପଳାଇଥିଲା। ପୋଲିସ ତାକୁ ଧର୍ମାଭରମ ରେଳ ଷ୍ଟେସନରୁ ଗିରଫ କରିଥିବା ଦାବି କରୁଛି। କୁହାଯାଉଛି ଡୁମ୍ମୁ ଶ୍ରୀ ସତ୍ୟସାଇ ଜିଲ୍ଲାର ଧର୍ମଭରମ ମଣ୍ଡଳ ନାଗାଲୁରର ବାସିନ୍ଦା ଓ ଆକ୍ରମଣର ଶିକାର ଛାତ୍ରୀଙ୍କ ଦୂର ସମ୍ପର୍କୀୟ।

ଏହି ଆକ୍ରମଣ ଘଟଣା ପରେ ଛାତ୍ରୀ ଓ ବିଦ୍ୟାଳୟ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ପୋଲିସ ଘଟଣାକ୍ରମ ଜାଣିବା ପାଇଁ ଓ ଆକ୍ରମଣ ପଛର ପରିସ୍ଥିତିକୁ ବୁଝିବା ଲାଗି ତଦନ୍ତ ଚଳାଇଛି। ଏଥିରେ ଆକ୍ରମଣର ଉଦ୍ଦେଶ୍ୟ ମଧ୍ୟ ପୋଲିସ ଉଜାଗର କରିବ ବୋଲି କହିଛି। ମୁଖ୍ୟମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାୟଡୁ ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ଏ ନେଇ ସେ ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ଯେଉଁ ଆକ୍ରମଣକାରୀ ସ୍କୁଲ ଭିତରେ ଆମ ଝିଅମାନଙ୍କୁ ଟାର୍ଗେଟ୍ କରୁଛନ୍ତି ସେମାନଙ୍କ ଲାଗି ଆମ ସମାଜରେ ସ୍ଥାନ ନାହିଁ ବୋଲି ଉଲ୍ଲେଖ କରିଛନ୍ତି।