ବଡ଼ବିଲ ୩୧।୧୦: ପାରିବାରିକ କଳହର କରୁଣ ପରିଣତି । ବାପାର ଛୁରାମାଡ଼ରେ ପୁଅର ମୃତ୍ୟୁ । ବାପା, ମାଆଙ୍କ ସହିତ ଝଗଡ଼ା କରୁଥିବା ବେଳେ ବିରୋଧ କରିବାରୁ ପ୍ରାଣ ହରାଇଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଅନ୍ତର୍ଗତ ଗୁମୁରା ଗ୍ରାମରେ । ବାପାର ଛୁରାମାଡ଼ରେ ପୁଅର ମୃତ୍ୟୁ ଘଟିଥିବା ବେଳେ ଘଟଣା ପରେ ଅଭିଯୁକ୍ତ ବାପା ଫେରାର ହୋଇଯାଇଛି । ମୃତ ଯୁବକ ଜଣକ ହେଲେ ଚନ୍ଦନ ଓରଫ୍ ପପୁ ନାଏକ ।

ସୂଚନା ଅନୁସାରେ, ଗୁମୁରା ଗାଁର ଦେବୁ ନାଏକ ଶନିବାର କୌଣସି କାରଣକୁ ନେଇ ନିଜ ସ୍ତ୍ରୀଙ୍କ ସହ ଝଗଡ଼ା କରୁଥିଲେ । କଳହ ଉଗ୍ରରୂପ ନେବାରୁ ପୁଅ ପପୁ ଏହାକୁ ବିରୋଧ କରିଥିଲେ । ବାପାଙ୍କୁ ଝଗଡ଼ାରୁ ନିବୃତ୍ତ ରହିବାକୁ କହିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ବାପା ଦେବୁ ହଠାତ୍ ଏକ ଧାରୁଆ ଛୁରୀରେ ପୁଅ ପପୁକୁ ଆକ୍ରମଣ କରିଥିଲେ । ଛୁରାମାଡ଼ରେ ପପୁ ରକ୍ତ ଜୁଡ଼ୁବୁଡ଼ୁ ହୋଇ ତଳେ ପଡ଼ିଯାଇଥିଲେ । ଗୁରୁତର ଅବସ୍ଥାରେ ପପୁଙ୍କ ସ୍ତ୍ରୀ ଏବଂ ତାଙ୍କ ଭାଇ ତୁରନ୍ତ ଏକ ଅଟୋ ଯୋଗେ ତାଙ୍କୁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Also Read:- ମାଡ଼ି ଆସୁଛି ଆଉ ଏକ ବାତ୍ୟା ! ନଭେମ୍ବର ୪ରୁ ବଦଳିବ ପାଗ, ୫ ଜିଲ୍ଲାରେ ପ୍ରବଳ ବର୍ଷିବ !

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଚମ୍ପୁଆ ଏସଡିପିଓ ଡାକ୍ତରଖାନାରେ ପହଞ୍ଚି ପରିସ୍ଥିତିର ଅନୁଧ୍ୟାନ କରିବା ସହ ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି । ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତ ବାପା ଦେବୁ ନାଏକ ଫେରାର ଥିବା ବେଳେ ତାଙ୍କୁ ଧରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯିବା ସହ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।