ରାଞ୍ଚି: ଝାଡ଼ଖଣ୍ଡର ହେମନ୍ତ ସୋରେନ୍ ସରକାର JSSC-CGL ୨୦୨୪ ଏବଂ ଅନ୍ୟାନ୍ୟ ଚାକିରି ପରୀକ୍ଷାକୁ ବାତିଲ କରିବା ପାଇଁ ଘୋଷଣା କରିବା ପରେ ରାଜ୍ୟରେ ଏକ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଛି। ପରୀକ୍ଷା ପରିଚାଳନା କରୁଥିବା ଏଜେନ୍ସି 'TSR Data Processing Pvt Ltd' (TDPL) ର ଅନିୟମିତତା ବିରୋଧରେ ଆନ୍ଦୋଳନ କରୁଥିବା ଛାତ୍ରଛାତ୍ରୀମାନେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ଅନ୍ୟପଟେ, JSSC-CGL ମାଧ୍ୟମରେ ଚୟନ ହୋଇ ସାରିଥିବା ପ୍ରାୟ ୨,୦୦୦ କର୍ମଚାରୀଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇପଡ଼ିଛି। 

ନିଯୁକ୍ତ କର୍ମଚାରୀମାନେ ରାଞ୍ଚିସ୍ଥିତ ଝାଡ଼ଖଣ୍ଡ ସଚିବାଳୟ ସାମ୍ନାରେ ବର୍ଷାରେ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି। ସରକାର ଜନସାଧାରଣ ଏବଂ ଆନ୍ଦୋଳନକାରୀଙ୍କ ଚାପରେ ଆସି ଏହି ଚାକିରି ହଡ଼ପ କରିଥିବା ସେମାନେ ଅଭିଯୋଗ କରିଛନ୍ତି। ଚାକିରି ହରାଇଥିବା ଅନେକ ପ୍ରାର୍ଥୀ ଅନ୍ୟାନ୍ୟ ସରକାରୀ ଚାକିରି (ଯେପରିକି ରେଳବାଇ ଓ ଶିକ୍ଷକତା) ଛାଡ଼ି ଏହି ପଦବୀରେ ଯୋଗ ଦେଇଥିଲେ। ବର୍ତ୍ତମାନ ସେମାନଙ୍କର ବୟସ ସୀମା ଅତିକ୍ରମ କରିସାରିଥିବାରୁ ସେମାନେ ଅନ୍ୟ କୌଣସି ପରୀକ୍ଷା ଦେବା ପାଇଁ ଅଯୋଗ୍ୟ ହୋଇପଡ଼ିଛନ୍ତି । 

ଜାନୁଆରୀ ୫, ୨୦୨୬ରେ ସୁପ୍ରିମକୋର୍ଟ ଏହି ନିଯୁକ୍ତି ବାତିଲ ନକରିବାକୁ ନିର୍ଦ୍ଦେଶ ଦେବା ପରେ ଏହି ପ୍ରାର୍ଥୀମାନେ କାର୍ଯ୍ୟରେ ଯୋଗ ଦେଇଥିଲେ। କୋର୍ଟଙ୍କ ଆଦେଶ ପରେ ବି ସରକାର ପରୀକ୍ଷା ବାତିଲ କରିଥିବାରୁ ସେମାନେ ନିଜର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ କିଏ ଶିକ୍ଷକତା ଛାଡ଼ି ତ ଆଉ କିଏ ଅନ୍ୟ ଚାକିରିରୁ ଇସ୍ତଫା ଦେଇ ଏଥିରେ ଯୋଗ ଦେଇଥିଲେ । ଏବେ କିନ୍ତୁ ସରକାରଙ୍କ ନିଷ୍ପତ୍ତି ସେମାନଙ୍କୁ ଅନ୍ଧକାରକୁ ଠେଲି ଦେଇଛି । JSSC-CGL ୨୦୨୪ ପରୀକ୍ଷା ଆରମ୍ଭରୁ ବିବାଦଘେରରେ ରହିଥିଲା। ଜାନୁଆରୀ ୨୦୨୪ରେ ପ୍ରଥମ ପରୀକ୍ଷା ସମୟରେ ପ୍ରଶ୍ନପତ୍ର ଲିକ୍ ହେବାରୁ ତାହାକୁ ବାତିଲ କରାଯାଇଥିଲା। ପରେ ସେପ୍ଟେମ୍ବରରେ ପୁନଃପରୀକ୍ଷା କରାଯାଇଥିଲେ ହେଁ ପୁଣି ଥରେ କର୍ତ୍ତୃପକ୍ଷଙ୍କ ଅନିୟମିତତାକୁ ନେଇ ବ୍ୟାପକ ଅଭିଯୋଗ ଆସିଥିଲା।

ସେପଟେ ସଚିବାଳୟ ବାହାରେ ଆନ୍ଦୋଳନ କରୁଥିବା ଜଣେ କର୍ମଚାରୀ ସନ୍ଦୀପ ଯାଦବ କହିଛନ୍ତି, ତାଙ୍କୁ ଏବେ ଅଫିସ୍‌ ଭିତରେ ପ୍ରବେଶ କରିବାକୁ ଦିଆଯାଉ ନାହିଁ । ସେ ଭିଜିଲାନ୍ସ ବିଭାଗରେ କାର୍ଯ୍ୟ କରୁଥିଲେ । ଏବେ ସିକ୍ୟୁରିଟି ଗାର୍ଡ ତାଙ୍କୁ ଅଫିସ ଭିତରକୁ ଯିବାକୁ ଦେଉ ନାହାନ୍ତି । ବର୍ଷେ ତଳେ ସେ ନିଯୁକ୍ତି ପାଇଥିଲେ ଏବଂ ୧୦-୬ କାମ କରୁଥିଲେ । ଏପରିକି ଏବେ ତାଙ୍କ ବିବାହ ବିଚ୍ଛେଦ ହେବାର ସମ୍ଭାବନା ରହିଛି ବୋଲି ସେ ଦାବି କରିଛନ୍ତି । ଚାକିରି ଦେଖି ଯେଉଁ ଝିଅ ତାଙ୍କୁ ବିବାହ କରିଥିଲା ଏବେ, ହୁଏତ ସେ ତାଙ୍କୁ ଛାଡ଼ିବାକୁ ବାଧ୍ୟ ହେବ । ସନ୍ଦୀପ ନିଜେ ମଧ୍ୟ ଏନେଇ ନିଜ ସ୍ତ୍ରୀଙ୍କୁ କହିସାରିଛନ୍ତି । ଏକଥା କହିବା ବେଳେ ସେ ଭାବବିହ୍ବଳ ହୋଇପଡ଼ିଛନ୍ତି ।

 ସେହିଭଳି ଦେଓଘରରେ ଏଏସଓ ଭାବରେ ନିଯୁକ୍ତ ଲାଲନ ପାଣ୍ଡେ ପରିବାରର ଏକମାତ୍ର ରୋଜଗାରିଆ ସଦସ୍ୟ । ତାଙ୍କ ଉପରେ ଦୁଇ ପିଲା ଏବଂ ପୁରା ପରିବାର ନିର୍ଭରଶୀଳ । ଗୁଞ୍ଜନ ସିଂହ ଏହା ପୂର୍ବରୁ ରେଳବାଇରେ କାମ ଛାଡ଼ି ରାଜ୍ୟରେ ନିଯୁକ୍ତି ପାଇଥିଲେ । ସରକାରଙ୍କ ନିଷ୍ପତ୍ତି ତାଙ୍କୁ ମରିବାକୁ ବାଧ୍ୟ କରିବ ବୋଲି ସେ କୋହଭରା କଣ୍ଠରେ କହିଛନ୍ତି । ଏଭଳି ଅନେକ କର୍ମଚାରୀ ଅଛନ୍ତି, ଯେଉଁମାନଙ୍କ ଚାକିରି ଯିବ । ଏଭଳି ସ୍ଥିତିରେ ଝାଡ଼ଖଣ୍ଡ ସରକାର ନିଜ ନିଷ୍ପତ୍ତି ପରିବର୍ତ୍ତନ କରିବେ ନା, ସ୍ଥିତି ଭିନ୍ନ ମୋଡ଼  ତା ଉପରେ ସାରା ଦେଶର ନଜର ରହିବ ।