ନୂଆଦିଲ୍ଲୀ: ଅତି ଭୀଷଣ ବାତ୍ୟାର ରୂପ ଧରି ବାତ୍ୟା ‘ଅର୍ଣ୍ଣବ’ର ଆନ୍ଧ୍ର ପ୍ରଦେଶ ଏବଂ ୟାନନ ମଧ୍ୟରେ ଲ୍ୟାଣ୍ଡଫଳ ପ୍ରକ୍ରିୟା ସଂପୂର୍ଣ୍ଣ ସରି ସାରିଛି। ବର୍ତ୍ତମାନ ବାତ୍ୟା ଅତି ଭୀଷଣରୁ ଭୀଷଣର ବାତ୍ୟା ରୂପ ନେଇ ଉତ୍ତର ପଶ୍ଚିମ ଦିଗକୁ ଅଗ୍ରସର ହେଉଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୨୫ରୁ ୧୩୫ କିମି ରହିଥିଲା। କିନ୍ତୁ ଝଟକା ପବନର ବେଗ ୧୫୦ କିଲୋମିଟର ଛୁଇଁଥିଲା। ଏହା ମଧ୍ୟରେ INSAT-3DS ପାଣିପାଗ ସାଟେଲାଇଟରୁ ବାତ୍ୟା ଅର୍ଣ୍ଣବକୁ ନେଇ ସଦ୍ୟତମ ଖବର ସାମ୍ନାକୁ ଆସିଛି।

ଉପଗ୍ରହ ଚିତ୍ରରୁ ଦେଖିବାକୁ ମିଳିଛି ଯେ, ଆକାଶରେ ବାତ୍ୟାର ଏକ ବିଶାଳ ବାଦଲ ବଙ୍ଗୋପସାଗରଠୁ ନେଇ ପୂର୍ବ ଓ ଦକ୍ଷିଣ ଭାରତର ବିଶାଳ ଭୂଖଣ୍ଡକୁ ଘେରି ରହିଛି। ବାତ୍ୟା ଅର୍ଣ୍ଣବ ବର୍ତ୍ତମାନ ସ୍ଥଳପଥରେ ଅଗ୍ରସର ହେଉଛି। ପ୍ରଭାବରେ ବିଭିନ୍ନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ପବନ ବହୁଛି।

Also Read: SRCଙ୍କ ବଡ଼ ସୂଚନା, ଟଳିନି ବିପଦ.. ଆଗାମୀ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଏହି ଉପଗ୍ରହ ଚିତ୍ର ବୁଧବାର ପୂର୍ବାହ୍ନ ୯ଟା ୩୦ରୁ ୯ଟା ୫୭ ମଧ୍ୟରେ ନିଆଯାଇଛି। ଏଥିରେ ବାତ୍ୟାର ଘନ ବାଦଲ ଅଧା ଭାରତକୁ ବ୍ୟାପି ରହିଥିବା ଦେଖିବାକୁ ମିଳିଛି। ଉପଗ୍ରହ ଚିତ୍ରରୁ ଜଣା ପଡୁଛି ଯେ, ବାତ୍ୟାଟି କେବଳ ନିଜର କେନ୍ଦ୍ର ବିନ୍ଦୁ ଏବଂ ପରିଧିରେ ସୀମିତ ନାହିଁ ବରଂ ଏହା ବିଶାଳ ଭୂଖଣ୍ଡକୁ ବ୍ୟାପି ରହିଛି। କିନ୍ତୁ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଯେଉଁ ଅଞ୍ଚଳରେ ବାଦଲ ଦେଖାଯାଉଛି ସେଠି ଏହାର ପ୍ରଭାବ କେତେ ରହିବ।

INSAT-3DS ଭାରତର ପାଣିପାଗ ଉପଗ୍ରହ। ଏହାର ବ୍ୟବହାର ବାଦଲ, ବାତ୍ୟା ଏବଂ ପାଣିପାଗରେ ହେଉଥିବା ପରିବର୍ତ୍ତନ ଉପରେ ନଜର ରଖିବା ପାଇଁ କରାଯାଏ। ଏହାରି ଜରିଆରେ ବୈଜ୍ଞାନିକ ରାତିରେ ମଧ୍ୟ ବାଦଲର ଗତିବିଧି ଦେଖି ପାରନ୍ତି। ତେବେ ଅର୍ଣ୍ଣବ ବାତ୍ୟାର ବାଦଲ ଭୂପୃଷ୍ଠରୁ ବହୁ ଉଚ୍ଚରେ ରହିଛି। ଏମିତି ବାଦଲ ରହିବାର ଅର୍ଥ ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଥାଏ।

Also Read: ଓଡ଼ିଶାରେ ଆରମ୍ଭ ହୋଇଗଲା ପ୍ରଳୟ : ପଟାଙ୍ଗୀରେ ବର୍ଷା-ପବନରେ ଭାଙ୍ଗିଲା ଗଛ, ୧୩୨ ଜଣଙ୍କୁ ସ୍ଥାନାନ୍ତର

ତେବେ କେବଳ ଉପଗ୍ରହ ଚିତ୍ରରୁ ଭୂପୃଷ୍ଠରେ ପବନର ବେଗ କେତେ ରହିବ କିମ୍ବା କେତେ ବର୍ଷା ହେବ ତାହାର ଆକଳନ କରିବା ମୁସ୍କିଲ। ଏଥିପାଇଁ ପାଣିପାଗ ବିଭାଗର ଅନ୍ୟ ସୂଚନା ଏବଂ ପାଣିପାଗ ତଥ୍ୟ ବ୍ୟବହାର କରାଯାଇଥାଏ।

ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ

ସୂଚନାଯୋଗ୍ୟ, ପୂର୍ବାହ୍ନ ପ୍ରାୟ ୧୧ଟାରେ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଛି। ବାତ୍ୟା ଅର୍ଣ୍ଣବ ସମ୍ପୂର୍ଣ୍ଣ ଭାବେ ସ୍ଥଳଭାଗକୁ ପ୍ରବେଶ କରିଥିବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ଲ୍ୟାଣ୍ଡଫଲ୍ ପରେ ଅତି ଭୀଷଣ ବାତ୍ୟା ଦୁର୍ବଳ ହୋଇ ସାଧାରଣ ବାତ୍ୟାରେ ପରିଣତ ହେବ। ଆଜି ରାତି ସୁଦ୍ଧା ଏହା ମାଲକାନଗିରି ଦେଇ ଛତିଶଗଡ଼ ଆଡ଼କୁ ଗତି କରିବ। ମାଲକାନଗିରି ଅତିକ୍ରମ କରିବା ସମୟରେ ଏହା ଗଭୀର ଅବପାତ କିମ୍ବା ଅବପାତର ରୂପ ନେଇପାରେ।

Also Read: ବାତ୍ୟା ମୁକାବିଲାରେ ଆକ୍ସନ ମୋଡ୍‌ରେ ପ୍ରଶାସନ ! ୧ ଲକ୍ଷ ଲୋକ ସ୍ଥାନାନ୍ତର, ୧୯ ହଜାର ବୋଟ୍ ସୁରକ୍ଷିତ

୨୪ ଘଣ୍ଟା ପାଇଁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା !

ବାତ୍ୟାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପାଇଁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଓ ଝଡ଼ପବନ ଆଶଙ୍କା ରହିଛି। ଏଥିପାଇଁ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି। ଏହି ଜିଲ୍ଲାଗୁଡ଼ିକରେ ଘଣ୍ଟାପ୍ରତି ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୯୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ଏଥିସହ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ମଧ୍ୟ ଆଶଙ୍କା ରହିଛି।

ସେହିପରି କନ୍ଧମାଳ, ବଲାଙ୍ଗୀର, ନୂଆପଡ଼ା, ସୋନପୁର, ବରଗଡ଼, ବୌଦ୍ଧ, କଳାହାଣ୍ଡି, ନୟାଗଡ଼, ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୬୦ କିଲୋମିଟର ଛୁଇଁପାରେ। ଏହା ସହ ବର୍ଷା ହେବାର ସମ୍ଭାବନା ରହିଛି।