ନୂଆଦିଲ୍ଲୀ ୨୮।୧୦; ଟ୍ରେନ୍‌ରେ ଯାତ୍ରା କରୁଛନ୍ତି କି? ତାହାହେଲେ ମୋବାଇଲ୍ ଚାର୍ଜିଂକୁ ନେଇ ଆପଣଙ୍କ ପାଇଁ ରହିଛି ଏକ ବଡ଼ ଖବର! ଏଣିକି ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଟ୍ରେନ୍ରେ ବନ୍ଦ ରହିବ ମୋବାଇଲ୍ ଚାର୍ଜିଂ ପଏଣ୍ଟ! ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଳବାଇ ପକ୍ଷରୁ ଏଭଳି କଟକଣା ଲଗାଯାଇଥିବା ଖବର ସାମ୍ନାକୁ ଆସିଛି। ତେବେ କାହିଁକି ନିଆଗଲା ଏହି ପଦକ୍ଷେପ? ଏହା ପଛରେ ରହିଛି କେଉଁ ବଡ଼ କାରଣ? ଆସନ୍ତୁ ଜାଣିବା ପୂରା ଖବର।

ଟ୍ରେନ୍ରେ ଯାତ୍ରା ସମୟରେ ମୋବାଇଲ୍ ଚାର୍ଜ କରିବା ଏବେ ପ୍ରାୟ ସମସ୍ତଙ୍କ ଅଭ୍ୟାସ। ହେଲେ ଏହି ଅଭ୍ୟାସ ଯେ ଯାତ୍ରୀଙ୍କ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିପାରେ, ତାହାକୁ ନେଇ ଏବେ ଚିନ୍ତା ବଢ଼ିଛି। ସୂଚନା ଅନୁସାରେ, ରାତି ୧୧ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଟ୍ରେନ୍ର କୋଚ୍ଗୁଡ଼ିକରେ ଥିବା ମୋବାଇଲ୍ ଚାର୍ଜିଂ ପଏଣ୍ଟ ବନ୍ଦ ରଖିବାକୁ ରେଳବାଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଖବର ପ୍ରକାଶ ପାଇଛି। ଏହି ପଦକ୍ଷେପ ପଛରେ ରହିଛି ଅଗ୍ନିକାଣ୍ଡ ଆଶଙ୍କା।

ଦକ୍ଷିଣ ପୂର୍ବ ରେଳବାଇ ଜୋନ୍‌ରେ ଏକ ଘଟଣା ପରେ ଏଭଳି ସତର୍କତାକୁ ଗୁରୁତ୍ୱ ଦିଆଯାଇଥିବା କୁହାଯାଉଛି। ଚାର୍ଜିଂ ସମୟରେ ଜଣେ ଯାତ୍ରୀଙ୍କ ପାୱାର ବ୍ୟାଙ୍କରୁ ଧୂଆଁ ବାହାରିବା ସହ ବିସ୍ଫୋରଣ ଘଟିଥିବା ସୂଚନା ରହିଛି। ଏଭଳି ଘଟଣାର ପୁନରାବୃତ୍ତି ରୋକିବା ଏବଂ ଟ୍ରେନରେ ନିଆଁ ଲାଗିବାର ଆଶଙ୍କା କମାଇବା ପାଇଁ ସୁରକ୍ଷା ନିୟମର କଡ଼ାକଡ଼ି ଅନୁପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ରେଳ କର୍ମଚାରୀଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦେବା ସହ ଅଧିକାରୀମାନଙ୍କୁ ଆକସ୍ମିକ ଯାଞ୍ଚ କରିବାକୁ ମଧ୍ୟ କୁହାଯାଇଛି। ତେବେ ଯାତ୍ରୀମାନେ ଟ୍ରେନ୍‌ରେ ଯାତ୍ରା କରିବା ପୂର୍ବରୁ ମୋବାଇଲ୍ ଓ ପାୱାର ବ୍ୟାଙ୍କ୍ ଚାର୍ଜ କରି ନେବା ସହ ଚାର୍ଜିଂ ସମୟରେ ସତର୍କ ରହିବା ଜରୁରୀ।