ନୂଆଦିଲ୍ଲୀ ୨୮।୧୦; ଅକ୍ଟୋବରକୁ ବାଏ ବାଏ କହିବେ ନଭେମ୍ବରକୁ ସ୍ଵାଗତ କରିବେ। ଆଉ ନୂଆ ମାସ ସହ ଅନେକ ନିୟମକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ତେଣୁ ମାସ ଆରମ୍ଭରୁ ଆପଣଙ୍କୁ ରହିବାକୁ ପଡ଼ିବ ସତର୍କ। ନଭେମ୍ବର ପହିଲାରୁ ବଦଳିପାରେ ଆପଣଙ୍କ ଦୈନନ୍ଦିନ ଜୀବନ ସହ ଜଡ଼ିତ ଅନେକ ନିୟମ। ରୋଷେଇ ଘରର ଗ୍ୟାସ୍ ସିଲିଣ୍ଡର ଦରଠାରୁ ଆରମ୍ଭ କରି ମୋବାଇଲ୍ କଲ୍, ଜିଏସଟି ଏବଂ ରାଜପଥରେ ଗାଡ଼ି ଚଳାଚଳ ପର୍ଯ୍ୟନ୍ତ, ଆସୁଛି ଅନେକ ପରିବର୍ତ୍ତନର ଖବର। ଏହି ପରିବର୍ତ୍ତନ ଆପଣଙ୍କ ପକେଟ୍ ଉପରେ ପକାଇବ କି ପ୍ରଭାବ? କେଉଁ ନିୟମ ଆପଣଙ୍କ ପାଇଁ ଜାଣିବା ଜରୁରୀ? ଆସନ୍ତୁ ଜାଣିବା, ନଭେମ୍ବର ପହିଲାରୁ କେଉଁ କେଉଁ କ୍ଷେତ୍ରରେ ହୋଇପାରେ ପରିବର୍ତ୍ତନ।

ଏଲପିଜି ସିଲିଣ୍ଡର ଦର

ଅକ୍ଟୋବର ୧ରେ ୧୯ କିଲୋଗ୍ରାମ ବିଶିଷ୍ଟ ବାଣିଜ୍ୟିକ ସିଲିଣ୍ଡର ଦର ବିଭିନ୍ନ ସହରରେ ବୃଦ୍ଧି ପାଇଥିଲା । ଦିଲ୍ଲୀରେ ଦର ୬୨ ଟଙ୍କା ୫୦ ପଇସା ବଢ଼ିଥିଲା । ତେବେ ଘରୋଇ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଥିଲା । ନଭେମ୍ବର ୧ରେ ପୁଣି ଦର ବଦଳିପାରେ। ବିମାନ ଇନ୍ଧନ ଦରରେ ମଧ୍ୟ ପରିବର୍ତ୍ତନ ସମ୍ଭାବନା ରହିଛି ।

ଜିଏସଟି ନିୟମ

ଜିଏସଟି ବ୍ୟବସ୍ଥାକୁ ସରଳ କରିବା ପାଇଁ ସରକାର ଅନେକ ସଂସ୍କାର ଉପରେ କାମ କରୁଛନ୍ତି । ଟିକସ ରିଫଣ୍ଡ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଏବଂ କାଗଜପତ୍ର ବୋଝ କମାଇବାକୁ ପ୍ରସ୍ତାବ ରହିଛି । ବାର୍ଷିକ ୫ କୋଟି ଟଙ୍କା ପର୍ଯ୍ୟନ୍ତ କାରବାର କରୁଥିବା କେତେକ ଛୋଟ ବ୍ୟବସାୟୀଙ୍କ ପାଇଁ ଇଚ୍ଛାଧୀନ ସରଳ ବ୍ୟବସ୍ଥାକୁ ମଧ୍ୟ ଜିଏସଟି ପରିଷଦ ନୀତିଗତ ସମ୍ମତି ଦେଇଛି । ତେବେ ସମସ୍ତ ପ୍ରସ୍ତାବ ନଭେମ୍ବର ୧ରୁ ଲାଗୁ ହେବ ବୋଲି ସ୍ପଷ୍ଟ ହୋଇନାହିଁ ।

ମଦ ପାଇଁ ଡିଜିଟାଲ୍ ପେମେଣ୍ଟ

ତାମିଲନାଡୁରେ ନଭେମ୍ବର ୧ରୁ ୧ ହଜାର ଟଙ୍କାରୁ ଅଧିକ ମୂଲ୍ୟର ମଦ କିଣିଲେ ଡିଜିଟାଲ୍ ପେମେଣ୍ଟ ବାଧ୍ୟତାମୂଳକ ହେବ । ରାଜ୍ୟର ଟାସମାକ୍ ଦୋକାନରେ ୟୁପିଆଇ, ଡେବିଟ୍ କାର୍ଡ କିମ୍ବା କ୍ରେଡିଟ୍ କାର୍ଡ ମାଧ୍ୟମରେ ଟଙ୍କା ଦେବାକୁ ପଡ଼ିବ। ଅଧିକ ଦାମ୍ ଆଦାୟ ରୋକିବା ଏବଂ କାରବାରରେ ସ୍ୱଚ୍ଛତା ଆଣିବା ଏହାର ଉଦ୍ଦେଶ୍ୟ ।

ରାଜପଥରେ ଗାଡ଼ି ଚଳାଚଳ ନିୟମ

ମୁମ୍ବାଇ-ପୁଣେ ଏକ୍ସପ୍ରେସୱେର ନୂଆ କନେକ୍ଟିଂ ଲିଙ୍କରେ ନଭେମ୍ବର ୧ରୁ ସମସ୍ତ ମାଲବାହୀ ଯାନ ଚଳାଚଳ ଉପରେ କଟକଣା ଲାଗିବ । ଏଥିରେ ପିକଅପ୍ ଭ୍ୟାନ୍ ଓ ଛୋଟ ବାଣିଜ୍ୟିକ ଗାଡ଼ି ମଧ୍ୟ ସାମିଲ ରହିଛି । ତେବେ ବ୍ୟକ୍ତିଗତ କାର୍ ଏବଂ ଯାତ୍ରୀବାହୀ ବସ୍ ଚଳାଚଳ କରିପାରିବ ।

ମୋବାଇଲ୍ ସ୍କ୍ରିନରେ ଦେଖାଯିବ କଲରଙ୍କ ନାଁ

ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ଆସୁଛି ବଡ଼ ପରିବର୍ତ୍ତନ । ଦୂରସଞ୍ଚାର ବିଭାଗ ନଭେମ୍ବର ୧ରୁ ୪ଜି ଓ ୫ଜି ନେଟୱର୍କରେ କଲିଂ ନେମ୍ ପ୍ରେଜେଣ୍ଟେସନ୍ ବା ସିଏନଏପି ସେବା ଆରମ୍ଭ କରିବାକୁ ଟେଲିକମ୍ କମ୍ପାନୀଙ୍କୁ ନିର୍ଦ୍ଦେଶ ଦେଇଛି। ଫଳରେ ଅଜଣା ନମ୍ବରରୁ କଲ୍ ଆସିଲେ ମଧ୍ୟ ନେଟୱର୍କରେ ପଞ୍ଜୀକୃତ ନାଁ ଦେଖାଯିବ । ଏହା ଫୋନ୍ ବ୍ୟବହାରକାରୀଙ୍କୁ କଲରଙ୍କ ପରିଚୟ ଜାଣିବାରେ ସହାୟକ ହେବ ।