କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଝାଲମୁଢ଼ି ବିକ୍ରି କରି ଚର୍ଚ୍ଚାକୁ ଆସିଥିବା ଦୋକାନୀ ନିଜ ସୁରକ୍ଷାକୁ ନେଇ ଚିନ୍ତିତ । ପଶ୍ଚିମବଙ୍ଗର ଝାଡ଼ଗ୍ରାମର ଝାଲମୁଢ଼ି ଦୋକାନୀ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ପାକିସ୍ତାନ ଏବଂ ବାଂଲାଦେଶରୁ ଧମକପୂର୍ଣ୍ଣ କଲ୍ ଆସୁଛି ।

ଦୋକାନୀ ବିକ୍ରମ ସାଓ ନାମକ ଦାବି କରିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କ ଆଲୋଚନାର ଭିଡିଓ ଭାଇରାଲ ହେବା ପରେ, କେହି ଅଜଣା ବ୍ୟକ୍ତି ତାଙ୍କୁ ଫୋନ୍ କରି ବାରମ୍ବାର ଧମକ ଓ ଗାଳିଗୁଲଜ କରୁଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଗତ କିଛି ଦିନ ହେବ ଆନ୍ତର୍ଜାତୀୟ ନମ୍ବରଗୁଡ଼ିକରୁ ପ୍ରତିଦିନ ଏଭଳି ଧମକପୂର୍ଣ୍ଣ କଲ୍ ଆସୁଛି ।

ବିକ୍ରମ ସାଓ କହିଛନ୍ତି, "ମୋତେ ଭିଡିଓ କଲ୍ ଏବଂ ଫୋନ୍ କଲ୍ ମାଧ୍ୟମରେ ପାକିସ୍ତାନରୁ ବାରମ୍ବାର ଧମକପୂର୍ଣ୍ଣ କଲ୍ ଆସୁଛି । ସେମାନେ ମୋତେ ବୋମାରେ ଉଡ଼େଇ ଦେବାକୁ ଧମକ ଦେଉଛନ୍ତି । ମୁଁ ସେମାନଙ୍କୁ କିଛି କୁହେ ନାହିଁ, କେବଳ କଲ୍ କାଟିଦିଏ । ତା’ପରେ ବାଂଲାଦେଶରୁ ଆଉ ଏକ କଲ୍ ଆସୁଛି ଏବଂ ସେମାନେ ପଚାରୁଛନ୍ତି ଯେ ମୁଁ ବଞ୍ଚିଛି ନା ମରିଗଲିଣି ।"

ସେ ଆହୁରି ମଧ୍ୟ ଦାବି କରିଛନ୍ତି, ଭିଡିଓ କଲ୍ ସମୟରେ ତାଙ୍କୁ ଡରାଯାଉଛି । ଭୟଙ୍କର ପରିଣାମ ଭୋଗିବାକୁ ଧମକ ଦେବା ସହ ଅସ୍ତ୍ରଶସ୍ତ୍ର ମଧ୍ୟ ଦେଖାଉଛନ୍ତି । ଏହାସହ ଅଜଣା ନମ୍ବରରୁ ବାରମ୍ବାର କଲ୍ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଏବଂ ହଇରାଣ କରାଯାଉଥିବା ସେ ଅଭିଯୋଗ କରିଛନ୍ତି ।

ସାଓ କହିଛନ୍ତି, ଏହି ଧମକ ବିଷୟରେ ପୋଲିସକୁ ଜଣାଇଛନ୍ତି ଏବଂ ବର୍ତ୍ତମାନ ତାଙ୍କ ସୁରକ୍ଷା ପାଇଁ କିଛି ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ଏଭଳି ବାରମ୍ବାର ଧମକପୂର୍ଣ୍ଣ କଲ୍ ଯୋଗୁଁ ସେ ଏବଂ ତାଙ୍କ ପରିବାର ଏବେ ନିଜ ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି । ସେ ସେ କହିଛନ୍ତି ଯେ ସେ ନିଜ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି । ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ମଧ୍ୟ ନିବେଦନ କରିଛନ୍ତି ।