ନୂଆଦିଲ୍ଲୀ: ଯୌନ ଅପରାଧୀ ଜେଫ୍ରି ଏପଷ୍ଟିନ ମୃତ୍ୟୁକୁ ନେଇ ରହସ୍ୟ ଲାଗିରହିଛି । ଜେଲ୍‌ରେ ବନ୍ଦୀ ଥିବା ବେଳେ ସେ ଆତ୍ମହତ୍ୟା କରିଥିଲା ବୋଲି କୁହାଯାଏ । କିନ୍ତୁ ଜେଫ୍ରି ଏପଷ୍ଟିନର କଳା ସାମ୍ରାଜ୍ୟ ସହ ଜଡ଼ିତ ଥିଲେ ବହୁ ବଡ଼ ବଡ଼ ନେତା ଏବଂ ବ୍ୟବସାୟୀ।  ତେଣୁ ତାକୁ ଜେଲ୍‌ରେ ହତ୍ୟା କରାଯାଇଥିଲା ବୋଲି ମଧ୍ୟ ବିଭିନ୍ନ ଦାବି ପ୍ରକାଶ ପାଏ । ଏଭଳି ସମୟରେ ଆଉ ଏକ ଫରେନ୍ସିକ ରିପୋର୍ଟ ଚର୍ଚ୍ଚା ସୃଷ୍ଟି କରିଛି । ଏପଷ୍ଟିନକୁ ତଣ୍ଟି ଚିପି ହତ୍ୟା କରାଯାଇଥିଲା, ତାର ଶରୀରର କ୍ଷତ ଚିହ୍ନ ଆତ୍ମହତ୍ୟା ସହ ମେଳ ଖାଉନି ବୋଲି ଏହି ରିପୋର୍ଟରେ ଦାବି କରାଯାଇଛି । 

ଅନ୍ତର୍ଜାତୀୟ ଫରେନସିକ୍ ବିଶେଷଜ୍ଞ ଦଳ ଦାବି କରିଛନ୍ତି ଯେ, ଏପଷ୍ଟିନର ଶବ ବ୍ୟବଚ୍ଛେଦରୁ ମିଳିଥିବା ପ୍ରମାଣ ଏହା ଏକ ଆତ୍ମହତ୍ୟା ନୁହେଁ ବରଂ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସୂଚାଉଛି। ଅନ୍ୟପଟେ, ନ୍ୟୁୟର୍କ ସିଟି ମେଡିକାଲ ଏକ୍ସାମିନର କାର୍ଯ୍ୟାଳୟ ୨୦୧୯ ମସିହାର ନିଜର ପୂର୍ବ ନିଷ୍ପତ୍ତି ବଦଳାଇବାକୁ ମନା କରିଦେଇଛି ।  ଏପଷ୍ଟିନ ଆତ୍ମହତ୍ୟା କରିଥିବା ନେଇ ନିଜ ମତରେ ଅଟଳ ରହିଛି ମେଡିକାଲ ଏକ୍ସାମିନର କାର୍ଯ୍ୟାଳୟ।

ଲଣ୍ଡନରେ ଫରେନସିକ୍ ମେଡିସିନ୍ ବିଶେଷଜ୍ଞ ମାଇକେଲ୍ ଫ୍ରିମ୍ୟାନ୍, ସ୍ୱିଡେନର ଉମେଆ ବିଶ୍ୱବିଦ୍ୟାଳୟର ଫରେନସିକ୍ ପାଥୋଲୋଜିଷ୍ଟ ଆଣ୍ଡର୍ସ ଏରିକସନ୍ ଏବଂ କଗନିଟିଭ୍ ନ୍ୟୁରୋସାଇଣ୍ଟିଷ୍ଟ ଇଟିଏଲ୍ ଡ୍ରୋର୍ ଏହି ନୂଆ ରିପୋର୍ଟ ଉପସ୍ଥାପନ କରିଛନ୍ତି। ବିଶେଷଜ୍ଞ ଦଳ କହିଛନ୍ତି ଯେ, ସେମାନେ ଏପଷ୍ଟିନର ସମ୍ପୂର୍ଣ୍ଣ ଅଟୋପ୍ସି ଫାଇଲ୍ ସମୀକ୍ଷା କରିଛନ୍ତି ।  ତା ମୃତଦେହର ଫଟୋଗୁଡ଼ିକୁ ଅନୁଧ୍ୟାନ କରିଛନ୍ତି। ସେମାନଙ୍କ ମତରେ, ଏପଷ୍ଟିନ ଶରୀରରେ ଥିବା କ୍ଷତ ଚିହ୍ନଗୁଡ଼ିକ ଫାଶୀ ଲଗାଇ ଆତ୍ମହତ୍ୟା କରିବା ସମୟରେ ହେଉଥିବା କ୍ଷତ ସହ ଆଦୌ ମେଳ ଖାଉନାହିଁ। ଏପରିକି ତା ଶରୀରରେ ଅନ୍ୟ କୌଣସି ମାଡ଼ କିମ୍ବା କ୍ଷତ ଚିହ୍ନ ନଥିଲା । ରିପୋର୍ଟରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ‘ବେକରେ ଥିବା ଦାଗଗୁଡ଼ିକ ପଛପଟୁ କୌଣସି ପତଳା କପଡ଼ାରେ ଗଣ୍ଠି ପକାଇ ତଣ୍ଟି ଚିପି ହତ୍ୟା କରାଯାଇଥିବା ଭଳି ମନେହେଉଛି।’

ସେପଟେ ନ୍ୟୁୟର୍କ ସିଟି ଅଫିସ୍ ଅଫ୍ ଚିଫ୍ ମେଡିକାଲ ଏକ୍ସାମିନର ସିଏନଏନକୁ କହିଛନ୍ତି ଯେ, ଏପଷ୍ଟିନ୍ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ନେଇ ସେମାନେ ନିଜର ପୂର୍ବ ନିଷ୍ପତ୍ତିରେ କାଏମ୍ ଅଛନ୍ତି। ଏହି ନୂଆ ରିପୋର୍ଟ ସାମ୍ନାକୁ ଆସିବା ପରେ ଏପଷ୍ଟିନର ଭାଇ ମାର୍କ ଏପଷ୍ଟିନ୍ ଏହି ଘଟଣାରେ ହତ୍ୟା ତଦନ୍ତ କରିବାକୁ ଦାବି କରିଛନ୍ତି। ମଙ୍ଗଳବାର ମାର୍କ କହିଛନ୍ତି ଯେ, କର୍ତ୍ତୃପକ୍ଷ ତୁରନ୍ତ ଏହି ମାମଲାକୁ ପୁଣି ତରେ ଖୋଲିବା ଉଚିତ। 

ସୂଚନାଯୋଗ୍ୟ ଯେ, ନାବାଳିକାମାନଙ୍କୁ ନେଇ ସେକ୍ସ ଟ୍ରାଫିକିଂ ନେଟୱାର୍କ ଚଳାଇବା ଅଭିଯୋଗରେ ବିଚାରାଧୀନ ଥିବା ଜେଫ୍ରି ଏପଷ୍ଟିନକୁ ୨୦୧୯ ମସିହା ଅଗଷ୍ଟ ୧୦ ତାରିଖରେ ନ୍ୟୁୟର୍କର ମେଟ୍ରୋପଲିଟାନ୍ କରେକ୍ସନାଲ୍ ସେଣ୍ଟରର ନିଜ ସେଲ୍ ଭିତରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମୃତ୍ୟୁର କିଛି ସପ୍ତାହ ପୂର୍ବରୁ ତାକୁ 'ସୁଇସାଇଡ୍ ୱାଚ୍'ରେ ରଖାଯାଇଥିଲା । କିନ୍ତୁ ଜୁଲାଇ ୨୪, ୨୦୧୯ ରେ ତାକୁ ସେଥିରୁ ହଟାଇ ଦିଆଯାଇଥିଲା।  ଏପଷ୍ଟିନର ମୃତ୍ୟୁ ପରେ ଜେଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଏପଷ୍ଟିନର ମୃତ୍ୟୁ ରହସ୍ୟଘେରରେ ରହିଆସିଥିବା ବେଳେ, ଏହି ନୂଆ ରିପୋର୍ଟକୁ ନେଇ ଆଗକୁ କଣ ହେବ ତା ଉପରେ ସମଗ୍ର ବିଶ୍ବର ନଜର ।