ବୋରିଗୁମ୍ମା ୧୮।୧୧ : କୋଟିଏ ନୁହେଁ, ପ୍ରାୟ ୩୦ ଲକ୍ଷ ଟଙ୍କାର ସୁନା ବିସ୍କୁଟ ଚୋରି । ଆଉ ଚୋରି କରି ନିଜେ ଥାନାରେ ଅଭିଯୋଗ କରିଥିଲେ ଦୋକାନର କର୍ମଚାରୀ । ହେଲେ ପୋଲିସ ତଦନ୍ତରେ ଧରାପଡ଼ିଗଲା ତାଙ୍କ ଚାଲ୍ ।

ଖବର ଅନୁଯାୟୀ, କୋଟପାଡ଼ ସହରର ସାହିଲ ସୁନା ଦୋକାନରେ କାମ କରୁଥିଲେ ସୁଜିତ କୁମାର ବାଘ । ଗତ ୧୩ ନଭେମ୍ବର ୨୦୨୬ରେ ଦୋକାନ ମାଲିକ ମହାବୀର ଜୈନ ତାଙ୍କୁ ୨୧୧.୯୪୦ ଗ୍ରାମ ସୁନା ବିସ୍କୁଟ ଦେଇ ନବରଙ୍ଗପୁରରେ ଥିବା କଟକରୁ ଆସିଥିବା ସୁନା ଗହଣା କାରିଗରଙ୍କୁ ଦେବାକୁ କହିଥିଲେ । ଏହାପରେ ଏକ ବାଇକରେ ସୁଜିତ ନବରଙ୍ଗପୁର ଅଭିମୁଖେ ବାହାରିଥିଲେ । କିଛି ସମୟ ପରେ ବୋରିଗୁମ୍ମା ଥାନାରେ ପହଞ୍ଚି ସୁଜିତ ଅଭିଯୋଗ କରିଥିଲେ ଯେ, ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କଠାରୁ ସୁନା ବିସ୍କୁଟ ଝାମ୍ପି ନେଇ ଫେରାର ହୋଇଯାଇଛନ୍ତି । ଘଟଣାକୁ ନେଇ କୋରାପୁଟ ଏସ୍ପିଙ୍କ ନିର୍ଦ୍ଦେଶରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

Also Read:-

ଅନ୍ୟପଟେ ଦୋକାନ ମାଲିକ ମହାବୀର ଜୈନ ମଧ୍ୟ କର୍ମଚାରୀ ସୁଜିତଙ୍କ ଉପରେ ସନ୍ଦେହ କରି ବୋରିଗୁମ୍ମା ଥାନାରେ ଏତଲା ଦେଇଥିଲେ । ଏହାପରେ ସନ୍ଦେହ ଘେରକୁ ଆସିଥିଲେ ସୁଜିତ । ପୋଲିସ ପାପଡ଼ାହାଣ୍ଡି ସ୍ଥିତ ତାଙ୍କ ଘରେ ପହଞ୍ଚି ପଚରାଉଚରା କରିବା ପରେ ସେ ନିଜ ଦୋଷ ସ୍ୱୀକାର କରିଥିବା ପୋଲିସ କହିଛି । ତାଙ୍କ ଘରୁ ହିଁ ଲୁଚାଇ ରଖାଯାଇଥିବା ସୁନା ବିସ୍କୁଟ ଉଦ୍ଧାର ହୋଇଛି ।