ନୂଆଦିଲ୍ଲୀ: ଭାରତର ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରା ଓ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଟ୍ରେଭିସ ହେଡ ଘରେ ବସି ବେଶ ମଉଜ କରିଛନ୍ତି। ଦୁଇ ଖେଳାଳି ବୁଧବାର ଆଇସିସି ଦ୍ଵାରା ଜାରି ସଦ୍ୟତମ ଟେଷ୍ଟ ବୋଲର ଓ ବ୍ୟାଟିଂ ମାନ୍ୟତାରେ ଶୀର୍ଷରେ ରହିଛନ୍ତି। ବୁମରା ଟେଷ୍ଟ ବୋଲିଂ ତାଲିକାରେ ମ୍ୟାଟ ହେନରୀଙ୍କୁ ପଛରେ ପକାଇ ନିଜର ଶୀର୍ଷ ସ୍ଥାନ ମଜବୁତ କରିଛନ୍ତି। ବୁମରାଙ୍କ ପାଖରେ ୮୭୦ ରେଟିଂ ପଏଣ୍ଟ ଥିବା ବେଳେ ସେ ଶେଷ ଥର ୨୦୨୫ ଡିସେମ୍ବରରେ ନିଜର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ହେନରୀ(୮୬୧) ଗତ ସପ୍ତାହରେ ବୁମରାଙ୍କ ସହ ଯୁଗ୍ମ ଭାବେ ଶୀର୍ଷରେ ଥିଲେ। ମାତ୍ର ଇଂଲଣ୍ଡ ବିପକ୍ଷ ତୃତୀୟ ମ୍ୟାଚ୍ ନ ଖେଳିବା କାରଣରୁ ସେ ଦ୍ଵିତୀୟ ସ୍ଥାନକୁ ଖସି ଆସିଛନ୍ତି।

ଜୋ ରୁଟଙ୍କୁ ପଛରେ ପକାଇଲେ ହେଡ୍

ଟ୍ରେଭିସ ହେଡ ଦୁଇଟି ସ୍ଥାନ ଉପରକୁ ଉଠି ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ଶୀର୍ଷରେ ପହଞ୍ଚିଛନ୍ତି। ତାଙ୍କ ଖାତାରେ ୮୫୩ ରେଟିଂ ଅଙ୍କ ରହିଛି। ହେଡ ଇଂଲଣ୍ଡର ବରିଷ୍ଠ ବ୍ୟାଟର ଜୋ ରୁଟ(୮୪୦)ଙ୍କୁ ପଛରେ ପକାଇ ଏହି ଉପଲବ୍ଧି ହାସଲ କରିଛନ୍ତି। ରୁଟ୍ ବର୍ତ୍ତମାନ ତୃତୀୟ ସ୍ଥାନକୁ ଖସି ଆସିଛନ୍ତି। ସେ ଅଷ୍ଟ୍ରେଲିଆ ପକ୍ଷରୁ ଶେଷ ଟେଷ୍ଟ ମ୍ୟାଚ୍ ଫେବୃଆରୀରେ ଖେଳିଥିଲେ। ରୁଟଙ୍କ ସାଥୀ ଖେଳାଳି ହ୍ୟାରି ବ୍ରୁକ(୮୫୨) ଦ୍ଵିତୀୟ ସ୍ଥାନରେ ଅପରିବର୍ତ୍ତିତ ରହିଛି। ରୁଟ୍ ନର୍ଟିଂହାମ ଟେଷ୍ଟର ଉଭୟ ଇନିଂସରେ ବିଫଳ ହୋଇଥିବା ବେଳେ ହ୍ୟାରୀ ବ୍ରୁକ ଅର୍ଦ୍ଧଶତକ ହାସଲ କରିଥିଲେ।

Also Read: ଟି-୨୦ ରାଙ୍କିଂରେ ବାଜି ମାରିଲେ ଇଶାନ, ଛଅ ମାସରେ ଅଭିଷେକଙ୍କୁ ପଛରେ ପକାଇ ହେଲେ ନମ୍ୱର ୱାନ୍

ଟପ୍-୧୦ରେ ଭାରତର ଦୁଇ ଖେଳାଳି ରହିଛନ୍ତି। ଅଧିନାୟକ ଶୁଭମନ ଗିଲ୍(୭୪୩) ଓ ଓପନର ଯଶସ୍ଵୀ ଜୟସ୍ଵାଲ(୭୩୩) କ୍ରମଶଃ ଷଷ୍ଠ ଓ ନବମ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡର ରଚିନ ରବୀନ୍ଦ୍ରନ ଦୁଇଟି ସ୍ଥାନ ଉପରକୁ ଉଠି ସପ୍ତମ, ଡେରିଲ ମିଚେଲ୍ ୫ଟି ସ୍ଥାନ ଉନ୍ନତି ଘଟାଇ ୧୧ତମ, ଡେଭନ କନଓ୍ଵେ ୧୪ଟି ସ୍ଥାନ ଉପରକୁ ଉଠି ୧୫ତମ ଓ ଟମ୍ ଲାଥମ ୧୨ଟି ସ୍ଥାନ ଉପରକୁ ଉଠି ୩୧ତମ ସ୍ଥାନରେ ପହଞ୍ଚିଛନ୍ତି।