ନୂଆଦିଲ୍ଲୀ: ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ କାଉନସିଲ୍ (ଆଇସିସି) ବୁଧବାର ପୁରୁଷ ଟି-୨୦ ଖେଳାଳିଙ୍କ ସଦ୍ୟତମ ରାଙ୍କିଂ ଜାରି କରିଛି । ନୂଆ ରାଙ୍କିଂ ତାଲିକାରେ ବଡ଼ ଧରଣର ଓଲଟପାଲଟ ଦେଖିବାକୁ ମିଳିଛି । ଭାରତୀୟ ୱିକେଟ୍ କିପରି ଇଶାନ କିଷନ ଟି-୨୦ରେ ନମ୍ୱର ୱାନ୍ ବ୍ୟାଟର ହୋଇଛନ୍ତି । ସାଥୀ ଖେଳାଳି ଅଭିଷେକ ଶର୍ମାଙ୍କୁ ଠାରୁ ସେ ଏହି ସ୍ଥାନ ଛଡ଼ାଇ ନେଇଛନ୍ତି । ବର୍ତ୍ତମାନ ଇଶାନ କିଷନଙ୍କ ରେଟିଂ ପଏଣ୍ଟ ୮୭୬ ରହିଛି । ଅଭିଷେକ ୮୬୯ ଅଙ୍କ ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଭାରତୀୟ ଓପନର ପ୍ରାୟ ୧୨ ମାସ ଧରି ତାଲିକାର ଶୀର୍ଷ ସ୍ଥାନରେ ରହିଥିଲେ । କିନ୍ତୁ ଇଶାନ ମାତ୍ର ୬ ମାସ ଭିତରେ ହିଁ ତାଙ୍କ ସିଂହାସନ ଛଡ଼ାଇ ନେଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଇଶାନ କିଷନ ଦୁଇ ବର୍ଷ ଭାରତୀୟ ଟିମରୁ ବାହାରେ ରହିବା ପରେ ଚଳିତ ବର୍ଷ ଜାନୁଆରୀରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଥିଲେ । ସେ ଗତ କିଛି ମାସ ଧରି ଚମତ୍କାର ପ୍ରଦର୍ଶନ କରି ଆସିଛନ୍ତି । ରାଙ୍କିଂରେ ଶୀର୍ଷ ସ୍ଥାନରେ ପହଞ୍ଚିବା ସହ ଇଶାନ ଏକ ବିଶେଷ କ୍ଲବରେ ସାମିଲ ହୋଇଛନ୍ତି । ଟି-୨୦ ବ୍ୟାଟର୍ସ ରାଙ୍କିଂରେ ଶୀର୍ଷ ସ୍ଥାନରେ ପହଞ୍ଚିବାରେ ଚତୁର୍ଥ ପୁରୁଷ କ୍ରିକେଟର ହୋଇଛନ୍ତି । ଇଶାନ, ଅଭିଷେକଙ୍କ ବ୍ୟତୀତ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବ ଏହି ସଫଳତା ପାଇଥିଲେ ।

ସୂର୍ଯ୍ୟକୁମାର ଏବେ ଭାରତୀୟ ଟିମରୁ ବାହାରେ ଅଛନ୍ତି । ତାଙ୍କ ପାଖରେ କ୍ୟାପ୍ଟେନ୍ସି ବି ଆଉ ନାହିଁ । ସଦ୍ୟ ରାଙ୍କିଂରେ ସେ ଅଷ୍ଟମ ସ୍ଥାନରେ ଅଛନ୍ତି । ଟପ୍ ୧୦ରେ ଚାରି ଜଣ ଭାରତୀୟ ଅଛନ୍ତି । ତିଲକ ବର୍ମା ଷଷ୍ଠ ସ୍ଥାନରେ ସ୍ଥିର ଅଛନ୍ତି । ସେପଟେ ଅଲରାଉଣ୍ଡର ତାଲିକାରେ ଶିଭମ ଦୁବେ ତିନି ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି ।