ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ମାସ ଧରି ଚାଲିଥିବା ଯୁଦ୍ଧର ପ୍ରଭାବ ଏବେ ଦୈନନ୍ଦିନ ଜିନିଷ ଉପରେ ପଡ଼ିବାରେ ଲାଗିଛି। ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଲାଣି। ଏହି କ୍ରମରେ ଏବେ ଇରାନ ଯୁଦ୍ଧ କାରଣରୁ ଫିକା ପଡ଼ିଛି ଚିପ୍ସ ପ୍ୟାକେଟର ରଙ୍ଗ। ପ୍ରକୃତରେ ଜାପାନର ଲୋକପ୍ରିୟ ସ୍ନାକ୍ସ କମ୍ପାନି କାଲବି (Calbee) ଏହାର ଚିପ୍ସ ପ୍ୟାକେଟର ପ୍ୟାକେଜିଂକୁ ବଦଳାଇଛି। କମ୍ପାନିର ଚିପ୍ସ ପ୍ୟାକେଟ ଏବେ ‘କଳା- ଧଳା’ ହୋଇଛି। କାରଣ ଇରାନ ଯୁଦ୍ଧ କାରଣରୁ ସ୍ୟାହୀ ପାଇଁ ବ୍ୟବହାର ହେଉଥିବା ସାମଗ୍ରୀର ଯୋଗାଣ ଠପ୍ ହୋଇଛି।

କାଲବି ଏକ ବିବୃତ୍ତିରେ କହିଛି ଯେ, ଅସ୍ଥାୟୀ ଭାବରେ କମ୍ପାନିର କିଛି ଉତ୍ପାଦ କଳା ଧଳା ପ୍ୟାକେଜିଂ ହେବ। କମ୍ପାନିର କହିବା ଅନୁସାରେ ଏହାର ଚିପ୍ସ ଏବଂ ପ୍ରନ୍ସ କ୍ରାକର୍ସର ୧୪ଟି ଉତ୍ପାଦ ନୂଆ ଷ୍ଟାଇଲରେ ଆସିବ। କମ୍ପାନି ଏକ ବିବୃତ୍ତିରେ କହିଛି ଡିଜାଇନରେ ଏହି ପରିବର୍ତ୍ତନ ମଧ୍ୟପ୍ରାଚ୍ୟରେ ଚାଲୁଥିବା ଯୁଦ୍ଧ ମଧ୍ୟରେ କଞ୍ଚାମାଲର ଯୋଗାଣରେ ଅସ୍ଥିରତା କାରଣରୁ କରାଯାଇଛି। କମ୍ପାନି କହିଛି ଏହା ଏଥିପାଇଁ କରାଯାଇଛି ଯେମିତି ଚିପ୍ସ ଯୋଗାଣ ଠପ୍ ନହେବ। ଏହି ନିଷ୍ପତ୍ତିର ବଡ଼ କାରଣ ହେଉଛି ନେଫଥା ଯୋଗାଣ ବନ୍ଦ ହେବା। ନେଫଥା ଅଏଲ ରିଫାଇନିଂର ଏକ ଉତ୍ପାଦ ଆଉ ସ୍ୟାହୀ ଏବଂ ପ୍ଲାଷ୍ଟିକ ପାଇଁ ବ୍ୟବହାର ହୋଇଥାଏ। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏସିଆରେ ନେଫଥାର ଦାମ୍ ପ୍ରାୟ ଦୁଇଗୁଣା ହୋଇଛି। ଫଳରେ ଏହା ସହ ଜଡ଼ିତ ବ୍ୟବସାୟର ଖର୍ଚ୍ଚ ବଢ଼ିଛି।

Also Read: ବିଶ୍ୱ ଶକ୍ତି ସଙ୍କଟରୁ ସୁରକ୍ଷା ଦେବା ପାଇଁ ଦୈନିକ ୧୭୦୦ କୋଟି କ୍ଷତି ସହୁଛନ୍ତି ତୈଳ କମ୍ପାନୀ, ୧୦ ସପ୍ତାହରେ କ୍ଷତି ୧ ଲକ୍ଷ କୋଟିରୁ ଅଧିକ​​​​​​​

ଜାପାନ ଡେପୁଟି ଚିଫ୍ କ୍ୟାବିନେଟ ସେକ୍ରେଟାରୀ କି ସାତୋ ଗଣମାଧ୍ୟମକୁ କହିଛନ୍ତି ଯେ, ଯୁଦ୍ଧ ପୂର୍ବରୁ, ଜାପାନର ପ୍ରାୟ ୪୦% ନେଫଥା ମଧ୍ୟପ୍ରାଚ୍ୟରୁ ଆସୁଥିଲା। ଏହା ପୂର୍ବରୁ ଏପ୍ରିଲରେ ଜାପାନ ପ୍ରଧାନମନ୍ତ୍ରୀ ସନାଈ ତାକାଏଚୀ କହିଥିଲେ ଯେ, ଜାପାନ ନେଫଥା ଯୋଗାଣ ପାଇଁ ଅନ୍ୟ ଦେଶ ସହ ଆଲୋଚନା ଜାରି ରହିଛି।

ଏଥିରୁ ଜଣାପଡ଼ୁଛି ଯେ, କିଭଳି ଇରାନ ଯୁଦ୍ଧ ଏବେ ନ୍ଦୈନନ୍ଦିନ ସାମଗ୍ରୀ ଉପରେ ପ୍ରଭାବ ପକାଉଛି। ଫେବ୍ରୁଆରୀ ୨୮ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ହର୍ମୁଜ ପ୍ରଣାଳୀ ବନ୍ଦ ରହିଛି। ଫଳରେ ତେଲ- ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି। ନିକଟରେ ଦୁନିଆର ଅନେକ କମ୍ପାନି ଚେତାବନୀ ଦେଇଛନ୍ତି ଯେ, ଇନ୍ଧନ, ପ୍ଲାଷ୍ଟିକ ଏବଂ ହିଲିୟମ ଭଳି ସାମଗ୍ରୀର ଯୋଗାଣରେ ବାଧା କାରଣରୁ ସେମାନଙ୍କର ବ୍ୟବସାୟର ଖର୍ଚ୍ଚ ବଢ଼ୁଛି।

ଏସିଆ ଉପରେ ସର୍ବାଧିକ ପ୍ରଭାବ

ଇରାନ ଯୁଦ୍ଧ ଆରମ୍ଭ ହେବା ପରେ ସପ୍ଲାଏ ଚେନରେ ଆସିଥିବା ବାଧା ଯୋଗୁ ଏସୀୟ ଦେଶକୁ ସର୍ବାଧିକ କ୍ଷତି ହୋଇଛି। ତାହା ଏଥିପାଇଁ କାରଣ ଏସୀୟ ଦେଶ ଆମଦାନୀ ପାଇଁ ମଧ୍ୟପ୍ରାଚ୍ୟ ଏବଂ ହର୍ମୁଜ ଉପରେ ଅଧିକ ନିର୍ଭର ରହିଥାନ୍ତି।

ମେ ୧ରେ ଜାପାନର ଫୁଡ କମ୍ପାନି Mizkan ପଲିଷ୍ଟାଇରୀନ କଣ୍ଟେନର ଅଭାବ ଯୋଗୁ କିଛି ଉତ୍ପାଦର ବିକ୍ରି ଉପରେ ରୋକ ଲଗାଇଥିଲା ଏବଂ କିଛି ଉତ୍ପାଦର ଦାମ ବଢ଼ାଇଥିଲ। ଏହି କମ୍ପାନି ସୋୟାବିନ ସ୍ନାକ ପ୍ରସ୍ତୁତ କରିଥାଏ। ଏହାରି ମଧ୍ୟରେ ଟୋୟୋଟା ଏବଂ ହ୍ୟୁଣ୍ଡାଇ ଭଳି କାର ନିର୍ମାତା କହିଛନ୍ତି ଯେ, କଞ୍ଚାମାଲର ବଢ଼ୁଥିବା ଦାମ୍ ଏବଂ ବିକ୍ରରେ ଅଭାବ କାରଣରୁ ଲାଭ ଉପରେ ପ୍ରଭାବ ପଡ଼ିଛି। ଦୁନିଆରରେ ଅନେକ ଏୟାରଲାଇନ ଯୁଦ୍ଧ କାରଣରୁ ଜେଟ ଫୁଏଲ ଦାମରେ ବୃଦ୍ଧି ହୋଇଥିବାରୁ ଉଡ଼ାଣ ବନ୍ଦ କରିଛନ୍ତି।