ଟୋକିଓ : ସମୁଦ୍ର ଗଭୀରରେ ଲୁଚି ରହିଛି ବହୁ ଅମୂଲ୍ୟ ସମ୍ପଦ ।  ଆଉ ସେହି ଗଭୀର ସମୁଦ୍ର ତଳୁ ଜାପାନକୁ ମିଳିଛି ଏମିତି ଅମୁଲ୍ୟ ଜିନିଷ ଯାହା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି । ଜାପାନରେ ଗଭୀର ସମୁଦ୍ର ତଳେ ଠାବ ହୋଇଛି ସୁନା ଭଣ୍ଡାର । ଜାପାନ ନିଜ ସମୁଦ୍ର ସୀମା ତଳେ ବିପୁଳ ପରିମାଣର ସୁନା ଭଣ୍ଡାର ଆବିଷ୍କାର କରି ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ତେବେ ଏହି ସୁନାକୁ ବାହାର କରିବା ସହଜ କଥା ନୁହେଁ । ଗଭୀର ସମୁଦ୍ର, ଅତ୍ୟାଧୁନିକ ପ୍ରଯୁକ୍ତିର ଆବଶ୍ୟକତା ଓ ବିପୁଳ ଖର୍ଚ୍ଚ ଏହି ପ୍ରକଳ୍ପ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି।

ବୈଜ୍ଞାନିକଙ୍କ ଅନୁସନ୍ଧାନରୁ ଜଣାଯାଇଛି ଯେ, ଜାପାନ ନିକଟସ୍ଥ ସମୁଦ୍ର ଅଞ୍ଚଳରେ ଥିବା ସମୁଦ୍ରତଳୀୟ ଖଣିଜ ଭଣ୍ଡାରରେ ସୁନା ସମେତ ଅନେକ ଦୁର୍ଲଭ ଧାତୁ ରହିଛି। ଏହି ସମ୍ପଦ ଦେଶର ଅର୍ଥନୀତି ଓ ଖଣିଜ ଆମଦାନୀ ନିର୍ଭରତାକୁ କମାଇବାରେ ସହାୟକ ହୋଇପାରେ। ତେବେ ଏହି ସୁନା ଉତ୍ତୋଳନ କରିବା ଜାପାନ ପାଇଁ ଏକ ବଡ଼ ଚାଲେଞ୍ଜିଙ୍ଗ ରହିବ । କାରଣ ଏହା ସମୁଦ୍ରର ଅତ୍ୟନ୍ତ ଗଭୀର ଅଞ୍ଚଳରେ ରହିଛି। ସେଠାକୁ ପହଞ୍ଚିବା ପାଇଁ ଉଚ୍ଚ ପ୍ରଯୁକ୍ତି, ବିଶେଷ ଯନ୍ତ୍ରପାତି ଓ ବହୁତ ଅର୍ଥର ଆବଶ୍ୟକତା ରହିଛି।

​​​​​​​

ବିଶେଷଜ୍ଞମାନଙ୍କ ମତରେ, ସମୁଦ୍ର ତଳରୁ ଖଣିଜ ଉତ୍ତୋଳନ ପରିବେଶ ଉପରେ ମଧ୍ୟ ପ୍ରଭାବ ପକାଇପାରେ। ତେଣୁ ଜାପାନକୁ ଅର୍ଥନୈତିକ ଲାଭ ସହ ପରିବେଶ ସୁରକ୍ଷାର ସନ୍ତୁଳନ ରଖିବାକୁ ପଡ଼ିବ। ଯଦି ଜାପାନ ଏହି ସମ୍ପଦକୁ ସଫଳତାର ସହ ଉତ୍ତୋଳନ କରିଦିଏ, ତେବେ ଏହା ବିଶ୍ୱ ଖଣିଜ ବଜାରରେ ବଡ଼ ପରିବର୍ତ୍ତନ ଆଣିପାରେ । କିନ୍ତୁ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ସମୁଦ୍ର ଗଭୀରରେ ଥିବା ଏହି ସୁନା ଭଣ୍ଡାରକୁ ଜାପାନ କେତେ ସଫଳତାର ସହ ବାହାର କରିପାରୁଛି ?