ଯାଜପୁର ରୋଡ୍, ୨୯/୦୯ : ଗୋଡେଇ ଗୋଡେଇ କାମୁଡିଲା ପାଗଳ ବିଲୁଆ । ଆହତ ହେଲେ ଶିଶୁଙ୍କ ସମେତ ୧୩ ଜଣ । ସମସ୍ତ ଆହତଙ୍କୁ କୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । କିଛି ଏମିତି ଘଟିଛି ଯାଜପୁର ଜିଲ୍ଲା କୋରାଇ ବ୍ଲକର ତାରାକୋଟ୍ ଗାଁରେ ।

ତେବେ ବିଲୁଆ କାମୁଡା ନେଇ ଗ୍ରାମବାସୀଙ୍କୁ ସତର୍କ କରାଇବା ସହ ପାଗଳ ବିଲୁଆକୁ ଖୋଜୁଛି ବନ ବିଭାଗ । ଆହତଙ୍କ ମଧ୍ୟରେ ଜଣେ ଶିଶୁ, ୮ ଜଣ ମହିଳାଙ୍କ ସମେତ ୪ ଜଣ ପୁରୁଷ ଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି ।

ଜଣାପଡିଛି ଯେ, ତାରାକୋଟ ଗାଁକୁ ସୋମବାର ରାତି ୧୦ଟା ବେଳେ ଏକ ପାଗଳ ବିଲୁଆ ପଶି ଆସିଥିଲା । ଏହା ପ୍ରଥମେ ଗାଁର ଏକ ଶିଶୁକୁ କାମୁଡି ରକ୍ତାକ୍ତ କରିଥିଲା। ପରେ ସ୍ଥାନୀୟ ଅଞ୍ଚଳର ଅନ୍ୟ ୧୨ ଜଣଙ୍କୁ କାମୁଡି ଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତଙ୍କୁ କୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

Also Read :- ପୁଏର୍ତ୍ତୋ ରିକୋ ଉପକୂଳରେ ଓଲଟିଲା ପ୍ରବାସୀ ଡଙ୍ଗା; ୨ ମୃତ, ଅନେକ ନିଖୋଜ

ଖବର ପାଇ ଯାଜପୁର ରୋଡ ବନ ବିଭାଗର ଏକ ଟିମ୍ ତରାକୋଟ ଗାଁରେ ପହଁଚି ଗ୍ରାମବାସୀଙ୍କୁ ସତର୍କ କରାଇବା ସହିତ ବିଲୁଆ ଧରିବାକୁ ଉଦ୍ୟମ ଜାରି ରଖିଛି । ଗ୍ରାମବାସୀମାନେ ମଧ୍ୟ ନିଜ ଜୀବନ ବଞ୍ଚାଇବାକୁ ହାତରେ ଠେଙ୍ଗା ବାଡ଼ି ଧରି ଗାଁରେ ଜଗି ରହିଛନ୍ତି ।