ନୂଆଦିଲ୍ଲୀ ୨୯।୦୯; ଆମେରିକାର ପୁଏର୍ତ୍ତୋ ରିକୋର ପଶ୍ଚିମ ଉପକୂଳରୁ ଏକ ବଡ଼ଧରଣର ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି। ପ୍ରବାସୀମାନଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ମଝି ସମୁଦ୍ରରେ ଓଲଟି ପଡ଼ିବାରୁ ବଡ଼ଧରଣର ଅଘଟଣ ଘଟିଛି। ଆମେରିକା କୋଷ୍ଟ ଗାର୍ଡର ତୁରନ୍ତ ତତ୍ପରତା ଯୋଗୁଁ ବର୍ତ୍ତମାନ ସୁଦ୍ଧା ଅତିକମରେ ୪୦ରୁ ଅଧିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଛି।

ସୂଚନା ଅନୁଯାୟୀ, ଡଙ୍ଗାରେ ପ୍ରାୟ ୬୦ ଜଣ ଯାତ୍ରୀ ଥିଲେ। ଏବେ ବି ଅନେକ ଲୋକ ନିଖୋଜ ଥିବା ଆଶଙ୍କା କରାଯାଉଛି ଯେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇପାରେ। ସୋମବାର ସନ୍ଧ୍ୟାରେ କୋଷ୍ଟ ଗାର୍ଡ ପକ୍ଷରୁ ଜୋରଦାର ଖୋଜାଖୋଜି ଜାରି ରହିଥିଲା। ତଦନ୍ତରୁ ଜଣାପଡ଼ିଛି ଯେ, ରବିବାର ବିଳମ୍ବିତ ରାତିରେ ଡଙ୍ଗା ଭିତରେ ଯାତ୍ରୀମାନଙ୍କ ମଧ୍ୟରେ କୌଣସି କାରଣରୁ ବିବାଦ ଦେଖାଦେଇଥିଲା। ଏପରିକି ଧାରୁଆ ଅସ୍ତ୍ର ଆକ୍ରମଣରେ କିଛି ଲୋକ ଗୁରୁତର ଆହତ ମଧ୍ୟ ହୋଇଥିଲେ। ଜୀବନ ବିପଦରେ ପଡ଼ିବାରୁ କିଛି ଯାତ୍ରୀ ବିନା ଲାଇଫ୍ ଜ୍ୟାକେଟ୍ରେ ଗଭୀର ପାଣିକୁ ଡେଇଁ ପଡ଼ିଥିଲେ, ଯାହାଫଳରେ ଡଙ୍ଗାଟି ଅନିୟନ୍ତ୍ରିତ ହୋଇ ଓଲଟି ପଡ଼ିଥିଲା। ଦୁର୍ଘଟଣାଗ୍ରସ୍ତ ଲୋକମାନେ ୧୨ ଘଣ୍ଟାରୁ ଅଧିକ ସମୟ ଧରି ସମୁଦ୍ର ପାଣିରେ ଫସି ରହିଥିଲେ। ପରେ ଏକ ସାମୁଦ୍ରିକ ଜାହାଜ ସେମାନଙ୍କୁ ଦେଖି କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲା।

ହିଂସା କାରଣରୁ ହିସ୍ପାନିଓଲା ଦ୍ୱୀପ ଅଞ୍ଚଳରୁ ଲୋକେ ପ୍ରାୟତଃ ଏହିପରି ବିପଜ୍ଜନକ 'ମୋନା ପାସେଜ୍' ଦେଇ ପୁଏର୍ତ୍ତୋ ରିକୋ ଯିବାକୁ ପ୍ରୟାସ କରିଥାନ୍ତି। ବିଶେଷକରି ଗ୍ୟାଙ୍ଗ୍ ହିଂସା ଯୋଗୁଁ ହାଇତିରେ ପରିସ୍ଥିତି ଅତ୍ୟନ୍ତ ସାଙ୍ଘାତିକ ରହିଛି। ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀରୁ ଜୁନ୍ ମଧ୍ୟରେ କେବଳ ହାଇତିରେ ୩,୦୫୦ରୁ ଅଧିକ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ୧୫ ଲକ୍ଷରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ବର୍ତ୍ତମାନ ଏହି ଦୁର୍ଘଟଣା ନେଇ ଆମେରିକା କୋଷ୍ଟ ଗାର୍ଡ ପକ୍ଷରୁ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି।