ନୂଆଦିଲ୍ଲୀ ୨୪।୦୪: ବିଶ୍ୱର ଅତିଧନୀମାନେ ଏବେ ଫ୍ରାନ୍ସ ଏବଂ ବ୍ରିଟେନ ଭଳି ଦେଶଗୁଡ଼ିକୁ ଛାଡ଼ି ଇଟାଲି ମୁହାଁ ହେଲେଣି । କାରଣ ହେଉଛି ଫ୍ଲାଟ୍ ଟିକସ ଏବଂ ସହଜ ନିୟମ । ଆୟ ଯାହା ହେଉନା କାହିଁକି, ବିଦେଶୀ ଆୟ ଉପରେ ଏକ ଧାର୍ଯ୍ୟ ଟିକସ ଲାଗିଥାଏ । ଏହାର ସର୍ବୋଚ୍ଚ ସୀମା ୩ ଲକ୍ଷ ୟୁରୋ(ପାଖାପାଖି ୩ କୋଟି ଟଙ୍କା) ରହିଛି, ଯାହା ପୂର୍ବେ ଲକ୍ଷେ ଏବଂ ପରେ ୨ ଲକ୍ଷ ୟୁରୋ ଥିଲା । ଇଟାଲିରେ ସମ୍ପତ୍ତି ଏବଂ ଉତ୍ତରାଧିକାରୀ ଭାବେ ମିଳୁଥିବା ପୈତୃକ ସମ୍ପତ୍ତି ଟିକସରେ ରିହାତି ସହ ଅନ୍ୟାନ୍ୟ ଛାଡ଼ ବ୍ୟବସ୍ଥାର ଲାଭ ମଧ୍ୟ ମିଳିଥାଏ ।

ମଧ୍ୟପ୍ରାଚ୍ୟରେ ଅଶାନ୍ତି ଯୋଗୁ ଟ୍ରେଣ୍ଡ୍ ବଦଳିଯାଇଛି । ଦୁବାଇ ଭଳି ଟିକସମୁକ୍ତ ବିକଳ୍ପକୁ ନେଇ ଅନିଶ୍ଚିତତା ବୃଦ୍ଧି ପାଇଛି । ବଡ଼ ମାତ୍ରାରେ ଦେଶାନ୍ତର ବର୍ତ୍ତମାନ ହୋଇନାହିଁ । କିନ୍ତୁ ଲୋକେ ବିକଳ୍ପ ସନ୍ଧାନ କରୁଛନ୍ତି । ବିଶେଷଜ୍ଞଙ୍କ ଅନୁସାରେ, ଇଟାଲି ଭୌଗୋଳିକ ରୂପେ ୟୁରୋପ ମଝିଆ ମଝି ରହିଛି । ଏଠାରେ ରହୁଥିବା ଅରବପତିଙ୍କ ପାଇଁ ପ୍ୟାରିସ, ଲଣ୍ଡନ, ବର୍ଲିନ ଏବଂ ଜୁରିଚ୍ ଭଳି ପ୍ରମୁଖ ବ୍ୟବସାୟ କେନ୍ଦ୍ର ପର୍ଯ୍ୟନ୍ତ ପହଞ୍ଚିବା ସହଜ । ଏହା ଦୁବାଇ ଏବଂ ଅନ୍ୟ ଟିକସ ଭୁସ୍ୱର୍ଗ ଦେଶଗୁଡ଼ିକ ତୁଳନାରେ ଯାତ୍ରା ସମୟ ଏବଂ କନେକ୍ଟିଭିଟି ହିସାବରେ ଅଧିକ ସୁବିଧାଜନକ । ଇଟାଲିରେ ପ୍ରଥମ ସମ୍ପତ୍ତି କ୍ରୟ ଉପରେ ଷ୍ଟାମ୍ପ ଡ୍ୟୁଟି ଲାଗି ନ ଥାଏ ।

ଅନ୍ୟପକ୍ଷରେ, ଫ୍ରାନ୍ସରେ ଘର କିଣିବା ସମୟରେ ସରକାରୀ ରାଜକୋଷରେ ବଡ଼ ଆକାରରେ ଶୁଳ୍କ ଜମା କରିବାକୁ ପଡ଼ିଥାଏ । ସେହିଭଳି ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ବି ସମ୍ପତ୍ତି ଟିକସକୁ ରିୟଲ ଇଷ୍ଟେଟ୍ ଟିକସରେ ବଦଳାଇ ଧନୀଙ୍କ ଅଡୁଆ ବଢ଼ାଇ ଦେଇଛନ୍ତି । ଅନ୍ୟପକ୍ଷରେ, ଇଟାଲିରେ ପ୍ରଥମ ଘର ଉପରେ ସମ୍ପତ୍ତି ଟିକସ ସମ୍ପୂର୍ଣ୍ଣ ମୁକ୍ତ କରାଯାଇଛି । ନିବେଶ ହିସାବରେ ସବୁଠୁ ବଡ଼ ଆକର୍ଷଣ ହେଉଛି ଇନ୍ହେରିଟାନ୍ସ ବା ପୈତୃକ ସମ୍ପତ୍ତି ଟିକସର ଅନ୍ତର । ଇଟାଲିରେ ୧୦ ଲକ୍ଷ ୟୁରୋ ପର୍ଯ୍ୟନ୍ତ ପୈତୃକ ସମ୍ପତ୍ତି ହସ୍ତାନ୍ତର ଉପରେ ଶୁଳ୍କ ‘ଶୂନ’ ରହିଛି । ଏହି ସୀମା ପାର୍ କଲେ ୪%ର ସାମାନ୍ୟ ଟିକସ ଲାଗିଥାଏ । ଏସବୁ ଦୃଷ୍ଟିକୋଣରୁ ଇଟାଲି ଏବେ ଅତିଧନୀଙ୍କ ପସନ୍ଦ ପାଲଟୁଛି । ବିଶେଷଜ୍ଞଙ୍କ ଅନୁସାରେ, ଗତବର୍ଷ ଦୁବାଇ ଅରବପତିଙ୍କ ପ୍ରଥମ ପସନ୍ଦ ଥିଲା କାରଣ ସେଠାରେ ଟିକସ ଲାଗେ ନାହିଁ । ମଧ୍ୟପ୍ରାଚ୍ୟରେ ଅଶାନ୍ତି ଯୋଗୁ ୨୦୨୬ରେ ଏ ସଂଖ୍ୟା ହ୍ରାସ ପାଇଛି ।

Also Read-ଟ୍ରମ୍ପ ଭାରତକୁ ନର୍କ କହିବା ପରେ ଆସିଲା କେନ୍ଦ୍ର ସରକାରଙ୍କ ପ୍ରତିକ୍ରିୟା; ସମର୍ଥନରେ ବାହାରିଲା ଇରାନ