India respons Trumhellholes remarks: କିଛି ସମୟ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ, ଚୀନ ସମେତ ଅନ୍ୟ ଦେଶଗୁଡ଼ିକୁ ନର୍କ ବୋଲି କହିଥିଲେ। ସେ ତାଙ୍କ ସୋସିଆଲ୍ ମିଡିଆ ଟ୍ରୁଥ୍ ସୋସାଲ୍‌ରେ ଏକ ଚିଠି ପୋଷ୍ଟ କରିଥିଲେ। ଯେଉଁଥିରେ ଲେଖାଥିଲା- ଭାରତ ଓ ଚୀନ ଭଳି ଅନ୍ୟ ନର୍କରୁ ଆସିଥିବା ଲୋକେ ଆମେରିକାକୁ ଅଳିଆ ଡବା କରୁଛନ୍ତି।

ଟ୍ରମ୍ପଙ୍କର ଏତେବଡ଼ ଅସୌଜନ୍ୟ ଆଚରଣ ପରେ ଭାରତ ସରକାରଙ୍କ ପକ୍ଷରୁ ମନ୍ତବ୍ୟ ଆସିଛି। ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ରଣଧୀର ଜୟସ୍ୱାଲ୍ କହିଛନ୍ତି “ଆମେ କିଛି ରିପୋର୍ଟ ଦେଖିଲୁ,ଏ ପ୍ରସଙ୍ଗକୁ ଏଇଠି ଛାଡ଼ି ଦେବା”। ବାସ୍ ଭାରତ ସରକାରଙ୍କ ପକ୍ଷରୁ ଏତିକି ମନ୍ତବ୍ୟ ହିଁ ଆସିଛି।  ଭାରତ ପୁଣିଥରେ ଟ୍ରମ୍ପଙ୍କର ଖରାପ ଆଚରଣ ପ୍ରତି ନିରବତା ଅଲମ୍ବନ କରିଛି।

Also read- ହର୍ମୁଜରେ ମାଇନ୍ସ ବିଛାଉଥିବା ଯେକୌଣସି ଡଙ୍ଗାକୁ ଗୁଳି କରି ହତ୍ୟା କର: ଡୋନାଲ୍ଡ ଟ୍ରମ୍ପଙ୍କ କଡ଼ା ନିର୍ଦ୍ଦେଶ
 

ଭାରତ ବର୍ତ୍ତମାନ ବିକାଶ ପଥରେ କାମ କରିବାକୁ ଗୁରୁତ୍ୱ ଦେଉଛି। ତେଣୁ ଆମେରିକା ସହ ଝଗଡ଼ାରେ ମାତିବାକୁ ଚାହୁଁନି। ତେଣୁ ଭାରତ ସରକାର ସବୁବେଳେ ଆମେରିକାର ଔଧତ୍ୟ ପ୍ରତି ନିରପେକ୍ଷ ଆଚରଣ କରୁଛନ୍ତି।

ଭାରତ-ଚୀନକୁ ଇରାନର ସମର୍ଥନ

ଟ୍ରମ୍ପଙ୍କର ଏଭଳି ମନ୍ତବ୍ୟର କଡ଼ା ଜବାବ ଦେଇଛି ଇରାନ। ଭାରତ ଏବଂ ଚୀନ ସମର୍ଥନରେ ବାହାରି ଇରାନ କହିଛି ଏହି ଦୁଇ ଦେଶ ସଭ୍ୟତାର ପାଳନ କରନ୍ତି। ହାଇଦ୍ରାବାଦରେ ଥିବା ଇରାନୀ ଦୂତାବାସ ଏକ୍ସରେ ପୋଷ୍ଟ କରି ଲେଖିଛି, "ଚୀନ୍ ଏବଂ ଭାରତ ସଭ୍ୟତାର ଉଦ୍ଗମ ସ୍ଥଳ। ପ୍ରକୃତରେ, ନର୍କ ହେଉଛି ସେଇଠି ଅଛି ଯେଉଁଠି ଯୁଦ୍ଧ-ଅପରାଧୀ ରାଷ୍ଟ୍ରପତି ଇରାନରେ ସଭ୍ୟତାକୁ ନଷ୍ଟ କରିବାକୁ ଧମକ ଦେଉଛନ୍ତି।"

କ’ଣ କହିଥିଲେ ଟ୍ରମ୍ପ ?

ସୋସିଆଲ୍ ମିଡିଆରେ ଏକ ଚିଠି ଶେୟାର କରିଛନ୍ତି। ଯେଉଁଠାରେ ଭାରତକୁ ନର୍କର ଜାଗା ବୋଲି କୁହାଯାଇଛି। କେବଳ ଭାରତ ନୁହେଁ ଏହି ଚିଠିରେ ଚୀନ ଓ ଅନ୍ୟ ଦେଶମାନଙ୍କୁ ବି ନର୍କ ବୋଲି କୁହାଯାଇଛି। ଜନ୍ମଜାତ ନାଗରକିତାକୁ କଡ଼ା ସମାଲୋଚନା କରି ଟ୍ରମ୍ପ ଏହି ଚିଠି ପୋଷ୍ଟ କରିଛନ୍ତି।

ଚିଠିରେ କଣ ଲେଖାଯାଇଛି?

ଟ୍ରମ୍ପ ଶେୟାର କରାଯାଇଥିବା ଏକ ଚିଠିରେ କାର୍ଲିଫର୍ଣ୍ଣିଆ ଟେକ୍ ସେକ୍ଟରରେ ନିଯୁକ୍ତି ପ୍ରକ୍ରିୟାକୁ ସମାଲୋଚନା କରାଯାଇଛି। ଏଥିରେ ଦାବି କରାଯାଇଛି ଯେ କାର୍ଲିଫର୍ଣ୍ଣିଆ ଟେକ୍ ସେକ୍ଟରରେ ଦିଆଯାଉଥିବା ଚାକିରି କ୍ଷେତ୍ରରେ ଭାରତୀୟ ଓ ଚୀନ ନାଗରିକଙ୍କ ପ୍ରଭାବ ଅଧିକ ରହିଛି। ହେଲେ ମୂଳ ଆମେରିକୀୟଙ୍କୁ ଚାକିରି ମିଳୁ ନାହିଁ। ତେବେ ତଥ୍ୟ ନେଇ କୌଣସି ପ୍ରମାଣ ଦିଆଯାଇ ନାହିଁ।

ଚିଠିରେ ଲେଖାଯାଇଛି “ଏଠାରେ(ଆମେରିକାରେ) ଜନ୍ମ ହୋଇଥିବା ପିଲା ତୁରନ୍ତ ନାଗରିକ ହୋଇଯାଏ ଏବଂ ତା’ପରେ ସେମାନେ ଚୀନ୍, ଭାରତ କିମ୍ବା ବିଶ୍ୱର ଅନ୍ୟ କୌଣସି 'ନର୍କ'ରୁ ସେମାନଙ୍କର ସମ୍ପୂର୍ଣ୍ଣ ପରିବାରକୁ ଏଠାକୁ ନେଇ ଆଶନ୍ତି। ଏହା ଦେଖିବା ପାଇଁ ଆପଣଙ୍କୁ ବହୁତ ଦୂର ଯିବାକୁ ପଡିବ ନାହିଁ। ଏଠାରେ ଆଉ ଇଂରାଜୀ କୁହାଯାଏ ନାହିଁ। ଆଜି ଯେଉଁ ପ୍ରବାସୀମାନେ ଏଠାକୁ ଆସୁଛନ୍ତି ସେମାନଙ୍କର ଏହି ଦେଶ ପ୍ରତି ପ୍ରାୟ କୌଣସି ଆନୁଗତ୍ୟ ନାହିଁ, ପୂର୍ବରୁ କିନ୍ତୁ ଏଭଳି ସ୍ଥିତି ନିଥିଲା।” ଚିଠିରେ ଆମେରିକାର ଜନ୍ମଜାତ ନାଗରିକତାକୁ ସମାଲୋଚନା କରାଯାଇଥିବା ବେଳେ ଭାରତ, ଚୀନ ଓ ଅନ୍ୟ ଦେଶଗୁଡ଼ିକୁ ନର୍କ କିମ୍ବା ବହୁତ ଖରାପ ଜାଗା ବୋଲି କୁହାଯାଇଛି।

ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ ଶୋସାଲରେ ଯେଉଁ ଚିଠି ଶେୟାର କରିଛନ୍ତି ସେଥିରେ ଆହୁରି ଲେଖାଯାଇଛି “ନା, ସେମାନେ ଆଜିର ୟୁରୋପୀୟ ଆମେରିକୀୟ କିମ୍ବା ସେମାନଙ୍କ ପୂର୍ବପୁରୁଷମାନଙ୍କ ପରି ନାହାନ୍ତି। ଆଇରିଶମାନେ ମିଶିଗଲେ, ଇଟାଲୀୟମାନେ ମିଶିଗଲେ, ପୋଲିଶମାନେ ମିଶିଗଲେ... ସେମାନେ ସମସ୍ତେ ମିଳିମିସି ଗଲେ ଓ ସେହି ମେଲ୍ଟିଂ ପଟ (ବିଭିନ୍ନ ସଂସ୍କୃତିର ମିଶ୍ରଣ)ରେ ଆମେରିକୀୟ ହୋଇଗଲେ। ମେଲ୍ଟିଂ ପଟର ସେହି ସମୟ ଏବେ ବହୁ ପୂର୍ବରୁ ହିଁ ଶେଷ ହୋଇସାରିଛି। ଏବେ ଏହା କେବଳ ଏକ କ୍ୟାସ୍ ଇନ ପଟ (ଟଙ୍କା ରୋଜଗାର କରିବାର ମାଧ୍ୟମ) ହୋଇ ରହିଯାଇଛି।”

ଚିଠିରେ ଆହୁରି ଲେକାଯାଇଛି “ ଆମେ ଏବେ ମେଲ୍ଟିଂ ପଟ୍ରୁ ଖସି ଚ୍ୟାମ୍ବର ପଟ(ଅଳିଆ ଗଦା) ପର୍ଯ୍ୟନ୍ତ ଆସିଲୁଣି। ଜନ୍ମସିଦ୍ଧ ନାଗରିକତା ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଦଶରେ ଭୋଟିଂ ହେବା ଆବଶ୍ୟକ। ଏହାକୁ ଓକିଲଙ୍କ ହାତରେ ଦିଆଯିବା ଉଚିତ୍ ନୁହେଁ।”