ନୂଆଦିଲ୍ଲୀ, ୧୨/୧୦ : ଭାରତ ଏବଂ ଓ୍ୱେଷ୍ଟ୍ ଇଣ୍ଡିଜ୍ ମଧ୍ୟରେ ଚାଲିଥିବା ୫ ଟିକିଆ ଟି୨୦ ସିରିଜରେ ୨-୧ରେ ଆଗୁଆ ରହିଛି ଶ୍ରେୟସ ସେନା । ଦଳ ତୃତୀୟ ମୁକାବିଲାରେ ଇଣ୍ଡିଜକୁ ୧୪ ରନରେ ପରାସ୍ତ କରିଛି । ଇନ୍ଦୋରରେ ଖେଳାଯାଇଥିବା ମୁକାବିଲାରେ ଭାରତୀୟ ବୋଲର ଭଲ ପ୍ରଦର୍ଶନ କରିଥିଲେ । ଫଳରେ ଜିତିବା ସମ୍ଭବପର ହୋଇଥିଲା ।

ମୁକାବିଲାରେ ପ୍ରଥମେ ଅଭିଷେକ ଶର୍ମାଙ୍କ ଦମଦାର ଅର୍ଧଶତକ ବଳରେ ଟିମ୍ ୨୦୦ରୁ ଅଧିକ ରନ୍ ସ୍କୋର କରିଥିଲା । ଯାହାକୁ ଚେଜ୍ କରିବାରେ ଇଣ୍ଡିଜ୍ ବ୍ୟାଚର ବିଫଳ ହୋଇଥିଲେ । ଏହାପଛରେ ଭାରତୀୟ ପେସ୍ ବାହିନୀର ହାତ ରହିଥିବା କହିଛନ୍ତି ଅଧିନାୟକ ଶ୍ରେୟସ ଆୟର । ସେ ମ୍ୟାଚ୍ ପରେ ବୋଲରଙ୍କୁ ପ୍ରଶଂସା କରିଛନ୍ତି ।

ଶ୍ରେୟସ କହିଛନ୍ତି ଯେ, ବୋଲିଂ ରଣନୀତି ଉପରେ ତାଙ୍କର ଭରସା ଥିଲା । ଯୋଜନାକୁ ପଡିଆରେ ସେ ସଠିକ ଭାବେ ଲାଗୁ କରିଥିଲେ । ସମସ୍ତ ବୋଲର ଚ୍ୟାଲେଞ୍ଜକୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଥିଲେ । ଯାହା ଖେଳରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ।

Also Read :- ଛାତ୍ର ସଂସଦ ନିର୍ବାଚନକୁ ଉତ୍କଳ ବିଶ୍ୱ ବିଦ୍ୟାଳୟ କ୍ୟାମ୍ପସରେ ଉତ୍ତେଜନା, ରାତିରେ ବାଣୀ ବିହାରରେ ଫୁଟିଲା ବୋମା

ସେ ଆହୁରି କହିଛନ୍ତି ଯେ, ବୋଲରଙ୍କ ଆତ୍ମବିଶ୍ୱାସ ସେମାନଙ୍କ ରଣନୀତିରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥିଲା । ଇନ୍ଦୋରରେ ବଡ ସ୍କୋର ହୋଇଥାଏ । ବିପକ୍ଷ ଟିମକୁ ରୋକିବା ସହଜ କଥା ନୁହେଁ । କିନ୍ତୁ ବୋଲରମାନେ ସଠିକ୍ ବୋଲିଂ କରିଥିଲେ ଏବଂ ଦଳକୁ ବିଜୟୀ କରାଇଥିଲେ ।

ଅଧିନାୟକ ଶ୍ରେୟସ ଆହୁରି କହିଛନ୍ତି ଯେ, ଓ୍ୱେଷ୍ଟ୍ ଇଣ୍ଡିଜ୍ ଭଳି ଦଳକୁ ଦୁର୍ବଳ ଭାବିବା କଥା ନୁହେଁ । କିନ୍ତୁ ଭାରତୀୟ ଖେଳାଳି ନିଜ ନିଜ ପ୍ଲାନରେ ଅଟଳ ଥିଲେ । ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ଜରୁରୀ ଥିଲା । ଅଭିଷେକ ଶର୍ମା ଏବଂ ଇଶାନ କିଷାନ ଭଲ ବ୍ୟାଟିଂ କରିଥିଲେ । ଫଳରେ ଦଳ ୨୦୦ ରନ୍ ଉପରେ କରିଥିଲା । ଯାହା ବିଜୟର ଅନ୍ୟତମ ପ୍ରମୁଖ କାରଣ ବୋଲି ଶ୍ରେୟସ ପ୍ରକାଶ କରିଛନ୍ତି ।