ଭୁବନେଶ୍ଵର: ଛାତ୍ର ସଂସଦ ନିର୍ବାଚନକୁ ଆଉ ମାତ୍ର ବାକି ରହିଲା ୩ ଦିନ। ନିଜ ସପକ୍ଷକୁ ଭୋଟରଙ୍କୁ ଟାଣିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ଏବିଭିପି, ବିଜୁ ଛାତ୍ର ଜନତା ଦଳ ଏବଂ ଛାତ୍ର କଂଗ୍ରେସ। ଭଳି କି ଭଳି ପ୍ରତିଶ୍ରୁତି ଦେଉଛନ୍ତି। ଗତକାଲି ଏବିଭିପି ପକ୍ଷରୁ ଇସ୍ତାହାର ପ୍ରକାଶ ପରେ ଆଜି ରେଭେନ୍ସ ବିଶ୍ଵ ବିଦ୍ୟାଳୟ ପାଇଁ ବିଜୁ ଛାତ୍ର ଜନତା ଦଳ(BCJD) ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ଆଉ ଏଥିରେ ଅନେକ ସୁନେଲି ସ୍ଵପ୍ନ ଦେଖାଇଛି BCJD।

ସ୍ଥାୟୀ ଅଧ୍ୟାପକ ନିଯୁକ୍ତି, ସ୍ଵଳ୍ପ ମୂଲ୍ୟ କ୍ୟାଣ୍ଟିନ

ଶଙ୍ଖ ଭବନରେ ସୋମବାର ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଇସ୍ତାହାର ଘୋଷଣା କରିଛି BCJD। ଇସ୍ତାହାରରେ ବଡ଼ ଘୋଷଣା ହେଉଛି ୨୪ ଘଣ୍ଟିଆ ଲାଇବ୍ରେରୀ, ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ଓ ନୂଆ ଅଧ୍ୟୟନ ବିଦ୍ୟାଳୟ । ଛାତ୍ରଛାତ୍ରୀଙ୍କ ପାଇଁ ସ୍ଵଳ୍ପ ମୂଲ୍ୟ କ୍ୟାଣ୍ଟିନ, ଆହାର କେନ୍ଦ୍ର ଏବଂ ୨୪ ଘଣ୍ଟିଆ ଚା-ଜଳଖିଆ ଦୋକାନ ଆଦି ପ୍ରତିଶ୍ରୁତି ଦିଆଯାଇଛି।

Also Read: କ୍ୟାମ୍ପେନିଂରେ କମ୍ପୁଛି ସାରା କ୍ୟାମ୍ପସ, କାହାର ହେବ ବାଣୀବିହାର ଗଡ଼ ? ଜେନି ଜି ଭୋଟରଙ୍କ ଉପରେ ସଭିଙ୍କ ନଜର

୧୦ ହଜାର ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ

ପ୍ରତିଶ୍ରୁତିର ତାଲିକା ଏତିକିରେ ସରିନି। ଲେଡିଜ୍ ହଷ୍ଟେଲରେ କ୍ୟାଣ୍ଟିନ, ମହିଳା ହଷ୍ଟେଲ ପାଇଁ ସୁରକ୍ଷା, ସିସିଟିଭି ଓ ଉଚ୍ଚ ପାଚେରୀ ନିର୍ମାଣ, ୧୦ ହଜାର ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲ, ଦିବ୍ୟାଙ୍ଗଙ୍କ ପାଇଁ ଇ-ଗାଡ଼ି, ୬୦ କିମି ଦୂରରୁ ଆସୁଥିବା ଛାତ୍ରଙ୍କ ପାଇଁ ମାଗଣା ବସ୍ ସେବା ଯୋଗାଇବା । ଆଉ ସବୁଠୁ ବଡ଼ ପ୍ରତିଶ୍ରୁତି ଭିତରେ ରହିଛି ମାଗଣା IAS, OAS ପାଇଁ କୋଚିଂ ସେଣ୍ଟର ।

ଅନ୍ୟପଟେ ABVP ଜାରି କରିଥିବା ଇସ୍ତାହାର କିଛି ପୂରଣ କରିପାରିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛି BCJD ।ରେଭେନ୍ସା ପାଇଁ କେବଳ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନ ରହିଛି ବୋଲି କହିଛି BCJD । ସୂଚନାଯୋଗ୍ୟ, ଆସନ୍ତା ୧୪ରେ ହ୍ଵାଇ ଆଇ ଷ୍ଟାଣ୍ଡ ଫର ମିଟିଂ ହେବ। ୧୫ରେ ଭୋଟ୍ ହେବାକୁ ଥିବା ବେଳେ ୧୬ରେ ନବ ନିର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କରିବେ।