ନୂଆଦିଲ୍ଲୀ ୩୧।୧୦; ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ । ଜଳିଗଲା ଜୋତା କାରଖାନା । ଆଖି ପିଛୁଳାକେ ଚାରିଆଡ଼େ ମାଡ଼ିଗଲା ନିଆଁ। ଏହି ଭୟାବହ ଅଗ୍ନିକାଣ୍ଡରେ ଚାରି ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ଉତ୍ତର-ପଶ୍ଚିମ ଦିଲ୍ଲୀର ମଙ୍ଗୋଲପୁରୀ ଶିଳ୍ପାଞ୍ଚଳ ଫେଜ୍-୧ରେ ଥିବା ଏକ ଜୋତା କାରଖାନାରେ ହଠାତ୍ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ କାରଖାନାର ଅନ୍ୟ ଅଂଶକୁ ମଧ୍ୟ ବ୍ୟାପି ଯାଇଥିଲା। ଏହାପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ ।

ଖବର ପାଇ ଏକାଧିକ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ଅନୁଯାୟୀ, କାରଖାନା ଭିତରୁ ମୋଟ ୬ ଜଣଙ୍କୁ ଅଚେତ ଅବସ୍ଥାରେ ବାହାର କରାଯାଇ ସଞ୍ଜୟ ଗାନ୍ଧୀ ମେମୋରିଆଲ୍ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଚାରି ଜଣଙ୍କୁ ମୃତ ଘୋଷଣା କରାଯାଇଥିଲା। ବାକି ଦୁଇ ଜଣଙ୍କୁ ଚିକିତ୍ସା କରାଯାଉଛି। ପୋଲିସ କହିଛି ଯେ ଅଗ୍ନି ନିର୍ବାପନ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କାରଖାନା ଅଗ୍ନିକାଣ୍ଡର କାରଣ ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ କ୍ଷତିର ତଦନ୍ତ କରାଯାଉଛି। ପୋଲିସ ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।