• ଏୟାରପୋର୍ଟରେ ବାରମ୍ବାର ତାଙ୍କ କାଗଜ ଦେଖାଇବାକୁ ଲମ୍ବା ଧାଡିରେ ଛିଡାହେବାର ଝିନଝଟ ଏବେ ସମାପ୍ତ ହେବ
  • ଯାତ୍ରୀଙ୍କୁ ଏୟାରପୋର୍ଟରେ ଏଣ୍ଟ୍ରି କରିବାକୁ, ସିକ୍ୟୁରିଟି ଚେକ୍ କରିବାକୁ ଓ ବୋର୍ଡିଂ ସମୟରେ ବାରମ୍ବାର ପାସପୋର୍ଟ ଓ ଟିକେଟ୍ ଦେଖାଇବାକୁ ପଡୁଛି
  • ଏହି ଟ୍ରାୟଲ ଦେଶର ୭ ପ୍ରମୁଖ ବିମାନ ବନ୍ଦରରେ ନଭେମ୍ବର ୧ ତାରିଖରୁ ଆରମ୍ଭ ହେବ ଓ ଡିସେମ୍ବର ମାସ ପର୍ଯ୍ୟନ୍ତ ଜାରି ରହିବ

ନୂଆଦିଲ୍ଲୀ:ବିଦେଶ ଯାଉଥିବା ଯାତ୍ରୀଙ୍କୁ ଏୟାରପୋର୍ଟରେ ବାରମ୍ବାର ତାଙ୍କ କାଗଜ ଦେଖାଇବାକୁ ଲମ୍ବା ଧାଡିରେ ଛିଡାହେବାର ଝିନଝଟ ଏବେ ସମାପ୍ତ ହେବାକୁ ଯାଉଛି। ଏହାର କାରଣ ହେଉଛି କେନ୍ଦ୍ର ସରକାର ଏବେ ଅନ୍ତର୍ଜାତୀୟ ଉଡାଣ ଲାଗି ‘ଡିଜି ଯାତ୍ରା’ ସୁବିଧାର ପରିସର ବଢାଇବାକୁ ଯାଉଛନ୍ତି। ନଭେମ୍ବର ୧ ତାରିଖରୁ ଦେଶର ୭ଟି ଏୟାରପୋର୍ଟରେ ଏହାର ଟ୍ରାୟଲ ଆରମ୍ଭ ହେବ, ଯାହା ଡିସେମ୍ବର ପର୍ଯ୍ୟନ୍ତ ଚାଲିବ।

ଏ ପର୍ଯ୍ୟନ୍ତ ବିଦେଶ ଯାତ୍ରା ପାଇଁ ଯାତ୍ରୀଙ୍କୁ ଏୟାରପୋର୍ଟରେ ଏଣ୍ଟ୍ରି କରିବାକୁ, ସିକ୍ୟୁରିଟି ଚେକ୍ କରିବାକୁ ଓ ବୋର୍ଡିଂ ସମୟରେ ବାରମ୍ବାର ପାସପୋର୍ଟ ଓ ଟିକେଟ୍ ଦେଖାଇବାକୁ ପଡୁଛି। ନୂଆ ବ୍ୟବସ୍ଥାରେ ଆପଣଙ୍କୁ ପ୍ରଥମରୁ ଡିଜିଟାଲ ରୂପେ ଭେରିଫାଏ କରିନିଆଯିବ। ଏଣୁ ବାରମ୍ବାର କାଗଜପତ୍ର ବାହାର କରିବାକୁ ଓ ଦୀର୍ଘ ଧାଡିରେ ଛିଡା ହେବାକୁ ପଡିବନି। ଏହା ଦ୍ୱାରା ସମୟ ବଞ୍ଚିବା ସହ ଯାତ୍ରାର ନୂଆ ଅଭିଜ୍ଞତା ମିଳିପାରିବ। ଏହି ଟ୍ରାୟଲ ଦେଶର ୭ ପ୍ରମୁଖ ବିମାନ ବନ୍ଦରରେ ନଭେମ୍ବର ୧ ତାରିଖରୁ ଆରମ୍ଭ ହେବ ଓ ଡିସେମ୍ବର ମାସ ପର୍ଯ୍ୟନ୍ତ ଜାରି ରହିବ।

ଏଥିରେ ନୂଆଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ, କୋଚ୍ଚି ଓ ଅମୃତସର ଏୟାରପୋର୍ଟକୁ ସାମିଲ କରାଯାଇଛି। ଯଦି ଆପଣ ଏହି ସୁବିଧାର ଲାଭ ନେବାକୁ ଚାହୁଁଛନ୍ତି ତେବେ ଦୁଇଟି ଜିନିଷ ଥିବା ଆବଶ୍ୟକ। ତାହା ହେଉଛି ଯାତ୍ରୀଙ୍କ ନିକଟରେ ଚିପ୍ ଲଗା ଇ-ପାସପୋର୍ଟ ଥିବା ଦରକାର। ଅନ୍ୟ କଥାଟି ହେଲା ଆପଣଙ୍କ ଉଡାଣ ଏୟାର ଇଣ୍ଡିଆ ଅଥବା ଇଣ୍ଡିଗୋରେ କରୁଥିବା ଆବଶ୍ୟକ। ଏହି ଦୁଇଟି ଏୟାର ଲାଇନ୍ସକୁ ଟ୍ରାୟଲରେ ସାମିଲ କରାଯାଇଛି। ଏହି ବ୍ୟବସ୍ଥାରେ ଆପଣଙ୍କ ପାସପୋର୍ଟ ଓ ଭିସା ପୂର୍ବ ଭଳି ଅନିବାର୍ଯ୍ୟ ରହିବ। ସେହିପରି ଏୟାରଲାଇନ୍ସ ମଧ୍ୟ ପୂର୍ବ ଭଳି କାଗଜପତ୍ରର ଯାଞ୍ଚ, ସୁରକ୍ଷା ଓ ଇମିଗ୍ରେସନ ପ୍ରକ୍ରିୟା ଆଦି ଦେଖିବେ। ସେହିପରି ଆପଣ ବିଦେଶ ପହଞ୍ଚିବା ପରେ ସେହି ଦେଶର ସ୍ଥାନୀୟ ପ୍ରବେଶ ନିୟମ ଓ ଆଇନ ମଧ୍ୟ ଲାଗୁ ରହିବ।

ସାଧାରଣ ପାସପୋର୍ଟ ଭଳି ଦେଖା ଯାଉଥିବା ଇଲେକ୍ଟ୍ରୋନିକ୍ ପାସପୋର୍ଟରେ ଏକ ଚିପ୍ ଲାଗି ରହିଥାଏ। ଏହି ଚିପ୍ ରେ ଯାତ୍ରୀଙ୍କ ନାମ, ଜନ୍ମତାରିଖ, ଫଟୋ ଓ ବାୟୋମେଟ୍ରିକ ବିବରଣୀ ସୁରକ୍ଷିତ ଥାଏ। ଏଥିରେ ଡିଜି ଯାତ୍ରା କଥା କୁହାଗଲେ ୨.୬୫ କୋଟି ଯାତ୍ରୀ ଏବେ ଏହି ସୁବିଧା ଉପଲବ୍ଧ କରୁଛନ୍ତି। ଦେଶରେ ବିମାନ ଯାତ୍ରା କରୁଥିବା ଲୋକଙ୍କ ୩୦% ଏହି ସୁବିଧା ଉପଲବ୍ଧ କରୁଛନ୍ତି। ସେହିପରି ଦେଶର ୩୯ଟି ଘରୋଇ ବିମାନ ବନ୍ଦରରେ ଏହି ଯାତ୍ରା ସୁବିଧା ଉପଲବ୍ଧ ରହିଛି। ଏହାକୁ ଏକ ଅନ୍ତର୍ଜାତୀୟ ସ୍ତରରେ ପ୍ରୟୋଗ କରାଯାଉଛି।