ନୂଆଦିଲ୍ଲୀ: ବୀମା କିଣିବାକୁ ଯୋଜନା ରଖିଥିବା ଗ୍ରାହକଙ୍କ ପାଇଁ ଆଶ୍ୱସ୍ତିକର ଖବର । ବୀମା ନିୟାମକ ଆଇଆରଡିଏଆଇ ଶିଳ୍ପରେ ପରିବର୍ତ୍ତନ ଆଣିବା ପାଇଁ କେତେକ ନୂତନ ପ୍ରସ୍ତାବ ଦେଇଛି, ଯାହାଦ୍ଵାରା ପ୍ରଭାବିତ ହେବେ ବୀମା କମ୍ପାନି ଏବଂ ବିତରକ । ଲାଭରେ ରହିବେ ଗ୍ରାହକ । ଗ୍ରାହକଙ୍କୁ ମିସ୍-ସେଲିଂରୁ ଚଞ୍ଚାଇବା ଏବଂ ବିତରଣ ଖର୍ଚ୍ଚକୁ କମ କରି ବୀମାକୁ ଶସ୍ତା କରିବା ଏହାର ଉଦ୍ଦେଶ୍ୟ ।

କମ୍ପାନିଗୁଡ଼ିକର ଖର୍ଚ୍ଚ କମ କରିବା, କମିଶନ ଉପରେ ସୀମା ଧାର୍ଯ୍ୟ କରିବା ଏବଂ ବୀମା ୱେବସାଇଟଗୁଡ଼ିକରେ ଗ୍ରାହକଙ୍କଠାରୁ ବ୍ୟକ୍ତିଗତ ତଥ୍ୟ ନେବାର ପଦ୍ଧତିକୁ ବଦଳାଇବା ପ୍ରସ୍ତାବରେ ସାମିଲ ଅଛି । ଏହାଦ୍ୱାରା ଗ୍ରାହକଙ୍କ ପାଇଁ ସହଜରେ ବୀମା ସୂଚନା ଉପଲବ୍ଧ ହେବ ଏବଂ ବିକ୍ରି ସହ ଜଡ଼ିତ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖାଯାଇପାରିବ ।

ଆଇଆରଡିଏଆଇ ବୀମା କମ୍ପାନିଗୁଡ଼ିକର ଏକ୍ସପେନ୍ସ ଅଫ୍ ମ୍ୟାନେଜମେଣ୍ଟକୁ କମ୍ କରିବାକୁ ପ୍ରସ୍ତାବ ଦେଇଛି । ଜୀବନ ବୀମା କମ୍ପାନିଗୁଡ଼ିକୁ ୨ ବର୍ଷ ମଧ୍ୟରେ ନିଜର ଇଓଏମକୁ ପ୍ରିମିୟମର ୧୫%କୁ ଏବଂ ୫ ବର୍ଷରେ ୧୨.୫ ପ୍ରତିଶତକୁ ଖସାଇବାକୁ ପ୍ରସ୍ତାବରେ ଲକ୍ଷ୍ୟ ଦିଆଯାଇଛି । ସେହିଭଳି ସାଧାରଣ ବୀମା କମ୍ପାନିଗୁଡ଼ିକ ପାଇଁ ଏହି ସୀମାକୁ ୨ ବର୍ଷରେ ୨୫% ଏବଂ ୫ ବର୍ଷରେ ୨୦% ଖସାଇବାକୁ ପ୍ରସ୍ତାବ ଦିଆଯାଇଛି, ଯହାକି ବର୍ତ୍ତମାନ ୩୦% ଅଛି । ଅକ୍ଟୋବର ୨୫ ସୁଦ୍ଧା ପ୍ରସ୍ତାବଗୁଡ଼ିକ ଉପରେ ମତାମତ ଲୋଡ଼ିଛି ଆଇଆରଡିଏଆଇ ।

ଏହାର ଅର୍ଥ ହେଉଛି କମ୍ପାନିଗୁଡ଼ିକୁ ନିଜର ପରିଚାଳନା ଏବଂ ବିତରଣ ଖର୍ଚ୍ଚକୁ ଅଧିକ ନିୟନ୍ତ୍ରଣ କରିବାକୁ ପଡ଼ିବ । କମିଶନ ଏବଂ ଅନ୍ୟାନ୍ୟ ବିକ୍ରି ଖର୍ଚ୍ଚ ବି ଏ ପରିସରଭୁକ୍ତ । ଆଇଆର୍ଡିଏଆଇ ଭିନ୍ନ ଭିନ୍ନ ବୀମା ଉତ୍ପାଦ ପାଇଁ କମିଶନ ସୀମା ଧାର୍ଯ୍ୟ କରିବାର ପ୍ରସ୍ତାବ ଦେଇଛି । ସ୍ୱାସ୍ଥ୍ୟ ବୀମାରେ ନୂଆ ପଲିସି ଏବଂ ରିନ୍ୟୁଆଲ ଉପରେ କମିଶନ କମ୍ କରିବାକୁ ପ୍ରସ୍ତାବ ଦିଆଯାଇଛି । ପ୍ରସ୍ତାବ ଅନୁସାରେ, କିଛି ବିତରଣ ଚ୍ୟାନେଲଗୁଡ଼ିକ ପାଇଁ ଏହି କମିଶନ ନୂଆ ପଲିସି ଉପରେ ୧୫% ଏବଂ ରିନ୍ୟୁଆଲ ଉପରେ ୫% ରହିପାରେ । ଟର୍ମ ବାମା ଏବଂ ମୋଟର ଥାର୍ଡ-ପାର୍ଟି ବୀମାରେ ବି କମିଶନକୁ ସୀମିତ କରିବାର ପ୍ରସ୍ତାବ ଅଛି । ମୋଟର (ଥାର୍ଡ ପାର୍ଟି) ବୀମା କମିଶନ ବି ୧୫%ରୁ କମିବ ଏବଂ ପୁରୁଣା ବାହନ ପାଇଁ ଏହାକୁ ୨.୫% ପର୍ଯ୍ୟନ୍ତ ରଖିବାକୁ ପ୍ରସ୍ତାବ ଦିଆଯାଇଛି ।

ରିପୋର୍ଟ ଅନୁସାରେ, ବୀମା ୱେବସାଇଗୁଡ଼ିକରେ ଏକ ବଡ଼ ପରିବର୍ତ୍ତନ ଗ୍ରାହକଙ୍କ ପାଇଁ ଖାସ୍ ହୋଇପାରେ । ଯଦି କୌଣସି ବ୍ୟକ୍ତି କେବଳ କୌଣସି ପଲିସିର ପ୍ରିମିୟମ କିମ୍ବା ବୈଶିଷ୍ଟ୍ୟ ଦେଖିବାକୁ ଚାହାନ୍ତି ତେବେ ପ୍ରସ୍ତାବ ଅନୁସାରେ, ତାଙ୍କୁ ନିଜର ନାଁ, ମୋବାଇଲ ନମ୍ବର କିମ୍ବା ଇ-ମେଲ ଆଇଡି ଦେବାର ଆବଶ୍ୟକତା ରହିବା ଉଚିତ ନୁହେଁ । ଗ୍ରାହକ ବ୍ୟକ୍ତିଗତ ତଥ୍ୟ ନ ଦେଇ ହିଁ ପଲିସିର ଦର, ବୈଶିଷ୍ଟ୍ୟ, ପ୍ରଦର୍ଶନ ଏବଂ ଅନ୍ୟ ଜରୁରୀ ତଥ୍ୟ ଦେଖିପାରିବେ । ଆଇଆର୍ଡିଏଆଇର କହିବାନୁସାରେ, କେବଳ ତଥ୍ୟ ହାସଲ କରିବା ପାଇଁ ଗ୍ରାହକଙ୍କ ବିବରଣୀକୁ ନେଇ ତାହାକୁ ବିକ୍ରି ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ । ଆଇଆର୍ଡିଏଆଇ ବୀମା ୱେବ୍ସାଇଟଗୁଡ଼ିକରେ ବ୍ୟବହାର ହେଉଥିବା ତଥାକଥିତ ‘ଡାର୍କ ପାଟର୍ଣ୍ଣ' ଉପରେ ବି ରୋକ ଲଗାଇବାର ପ୍ରସ୍ତାବ ରଖିଛି । ସୂଚନାଯୋଗ୍ୟ, କୌଣସି ବୀମା ଉତ୍ପାଦର ଦର ଏବଂ ବୈଶିଷ୍ଟ୍ୟ ଦେଖିବା ପୂର୍ବରୁ ଗ୍ରାହକଙ୍କଠାରୁ ମୋବାଇଲ ନମ୍ବର କିମ୍ବା ଅନ୍ୟ ବ୍ୟକ୍ତିଗତ ବିବରଣୀ ମାଗିବା ଉପରେ ରୋକ ଲଗାଯିବ ।

ଏଯାବତ ବୀମା କମ୍ପାନିଗୁଡ଼ିକରେ ପ୍ରଥମ ବର୍ଷ ପ୍ରମିୟମ ଆସିବା ମାତ୍ରେ ଏଜେଣ୍ଟଙ୍କୁ ୩୦ରୁ ୪୦% ପର୍ଯ୍ୟନ୍ତ ମୋଟା 'ଅପ୍‌ଫୁଣ୍ଟ କମିଶନ' ମିଳୁଥିଲା । ଏବେ ଆଇଆର୍ଡିଏଆଇ ଏହି ସିଷ୍ଟମକୁ ସମାପ୍ତ କରି ଏହାକୁ ‘ଷ୍ଟାଗର୍ଡ ମଡେଲ’ରେ ବଦଳାଇବାକୁ ପ୍ରସ୍ତାବ ଦେଇଛି । ଅର୍ଥାତ ଏବେ କମିଶନ ଏକସଙ୍ଗେ ନୁହେଁ ବରଂ ପଲିସିର ସଂପୂର୍ଣ୍ଣ ଅବଧିରେ କିସ୍ତିରେ ଦିଆଯିବ । ଏହାଦ୍ୱାରା ଏଜେଣ୍ଟ କେବଳ ପଲିସି ବିକ୍ରି ଉପରେ ଧ୍ୟାନକେନ୍ଦ୍ରିତ ନ କରି ଗ୍ରାହକଙ୍କୁ ଲମ୍ବା ସମୟ ପର୍ଯ୍ୟନ୍ତ ସେବା ଦେବା ଉପରେ ଗୁରୁତ୍ୱ ଦେବେ ।