ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ବାର୍ତ୍ତା ନିମନ୍ତେ ତାଙ୍କ ପ୍ରତିନିଧିଙ୍କୁ ଇସ୍ଲାମାବାଦ ପଠାଇବାକୁ ମନା କରିଦେଇଛନ୍ତି। ସେହିପରି ଇରାନ ବିଦେଶ ମନ୍ତ୍ରୀ ଆବ୍ବାସ ଅରାଘଚୀ ପାକିସ୍ତାନ ଫିଲ୍ଡମାର୍ଶଲ ଅସୀମ ମୁନିର ଓ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସହ ଆଲୋଚନା କରି ତେହେରାନ ଫେରିଛନ୍ତି। ଏଥିରୁ ଇରାନ ବିରୋଧରେ ଯୁଦ୍ଧ ରୋକିବାକୁ ଦ୍ୱିତୀୟ ପର୍ଯ୍ୟାୟ ବାର୍ତ୍ତା ମଧ୍ୟ ବିଫଳ ହେଉଥିବା ଦେଖା ଯାଉଛି।

ଟ୍ରମ୍ପ ଜଣାଇଲେ ପ୍ରତିନିଧିଙ୍କୁ ଇସ୍ଲାମାବାଦ ନ ପଠାଇବାର କାରଣ
ଟ୍ରମ୍ପ କହିଛନ୍ତି ଯେ ସେ ତାଙ୍କର ଶୀର୍ଷ ଦୂତ ଷ୍ଟିଭ ଭିଟକଫ ଓ ଜରେଡ କୁଶ୍ନରଙ୍କୁ ଇରାନ ସହିତ ଆଲୋଚନା ଲାଗି ପାକିସ୍ତାନ ନ ଯିବାକୁ ନିର୍ଦ୍ଦେଶ ଦେଇଛି। ଫକ୍ସ ନ୍ୟୁଜ୍ କୁ ଦେଇଥିବା ବୟାନରେ ଟ୍ରମ୍ପ କହିଛନ୍ତି ସେ (ଇରାନ) ଯେବେ ଚାହିଁବ ଆମକୁ ଫୋନ କରିପାରିବ। ଇରାନ ରାଷ୍ଟ୍ରପତି ମସୂଦ ପେଜେସ୍କିୟନ କହିଛନ୍ତି ଯେ ପର୍ଯ୍ୟନ୍ତ ଆମେରିକା ଆମ ବନ୍ଦର ଉପରେ ନାକାବନ୍ଦୀ ଲଗାଇ ରଖିଛି ସେ ପର୍ଯ୍ୟନ୍ତ ତା ସହ କୌଣସି କଥାବାର୍ତ୍ତା ହେବ ନାହିଁ। ଏହା ପୂର୍ବରୁ ଶନିବାର ପେଜେସ୍କିୟନ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଟେଲିଫୋନ ବାର୍ତ୍ତାରେ ଆଲୋଚନା ଲାଗି ଆମେରିକାକୁ ପ୍ରଥମେ ସବୁ ପରିଚାଳନା ସମ୍ପର୍କିତ ବାଧା ହଟାଇବାକୁ ପଡିବ ବୋଲି କହିଥିଲେ। ଏହି ସୂଚନା ଇରାନର ଆଇଏସଏନଏ ଓ ତସ୍ନିମ ସମ୍ବାଦ ସରବରାହ ସଂସ୍ଥାରୁ ଆସୁଛି।

ଚୀନର ୪୦ କମ୍ପାନୀ ଉପରେ ବେନ୍ ଲଗାଇଲା ଟ୍ରମ୍ପ ପ୍ରଶାସନ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସ୍ରାଏଲ ଓ ଲେବାନନ ମଧ୍ୟରେ ହ୍ୱାଇଟହାଉସ୍ ରେ ହୋଇଥିବା କଥାବାର୍ତ୍ତା ପରେ ଇସ୍ରାଏଲ ଓ ହିଜବୁଲ୍ଲାହ ମଧ୍ୟରେ ଯୁଦ୍ଧବିରାମ ୩ ସପ୍ତାହ ବଢାଇବାକୁ ସହମତି ହୋଇ ଯାଇଛି। ଚଳିତମାସରେ ଏହି ଦୁଇ ଦେଶଙ୍କ ମଧ୍ୟରେ ଏହା ଦ୍ୱିତୀୟ ଉଚ୍ଚସ୍ତରୀୟ ବାର୍ତ୍ତା ଥିଲା। ଏହା ଛଡା ଟ୍ରମ୍ପ ପ୍ରଶାସନ ଚୀନ୍ ସ୍ଥିତ ଏକ ପ୍ରମୁଖ ତୈଳ ରିଫାଇନାରୀ ଓ ଇରାନର ତୈଳ ପରିବହନରେ ସାମିଲ ପାଖାପାଖି ୪୦ ସିପିଙ୍ଗ କମ୍ପାନୀ ତଥା ଟ୍ୟାଙ୍କରଙ୍କ ଉପରେ ଆର୍ଥିକ କଟକଣା ଲଗାଇଛି। ଅନ୍ୟପଟେ ମଧ୍ୟପ୍ରାଚ୍ୟ ଯୁଦ୍ଧ କାରଣରୁ ଜେଟ୍ ଇନ୍ଧନ ଯୋଗାଣ ପ୍ରଭାବିତ ହେବା ଯୋଗୁ ବିଶ୍ୱର ବିଭିନ୍ନ ଏୟାରଲାଇନ୍ସ ଏବେ ସେମାନଙ୍କ ଉଡାଣ ରଦ୍ଦ କରିବାରେ ଲାଗିଛନ୍ତି। ଏଥିରେ ୟୁରୋପର ଅବସ୍ଥା ଜଟିଳ ହୋଇପଡିଛି।