ମୁମ୍ବାଇ: ବଙ୍ଗୀୟ ସିନେମା ଜଗତରୁ ଆସିଛି ଦୁଃଖଦ ଖବର। ଲୋକପ୍ରିୟ ଅଭିନେତ୍ରୀ ମିଠୁ ମୁଖାର୍ଜୀଙ୍କ ପରଲୋକ ହୋଇଛି। ୭୧ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ପ୍ରାୟ ବର୍ଷେ ହେବ କ୍ୟାନସର ସହ ଲଢ଼ୁଥିବା ମିଠୁ ମୁଖାର୍ଜୀ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ରବିବାର ରାତିରେ ଆଖି ବୁଜିଛନ୍ତି। ତାଙ୍କ ମୃତ୍ୟୁ ଖବର ପୂରା ବଙ୍ଗୀୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ୧୯୭୦ ଓ ୧୯୮୦ ଦଶକରେ ବଙ୍ଗୀୟ ସିନେମାରେ ନିଜ ଅଭିନୟ ଓ ସ୍କ୍ରିନ୍ ପ୍ରେଜେନ୍ସ ପାଇଁ ମିଠୁ ବେଶ୍ ପରିଚିତ ଥିଲେ।

ମିଠୁ ମୁଖାର୍ଜୀଙ୍କ ଜନ୍ମ ୧୯୫୫ ମସିହାରେ କୋଲକାତାରେ । ମାତ୍ର ୧୭ ବର୍ଷ ବୟସରେ ସେ ଫିଲ୍ମ ଜଗତରେ ପାଦ ରଖିଥିଲେ। ୧୯୭୨ ମସିହାରେ ଚିତ୍ତ ବୋସଙ୍କ ନିର୍ଦ୍ଦେଶିତ ‘ଶେଷ ପର୍ବ’ ଫିଲ୍ମରୁ ଆରମ୍ଭ ହୋଇଥିଲା ତାଙ୍କ ଅଭିନୟ ଯାତ୍ରା। ଏହି ଫିଲ୍ମରେ ସେ ଅଭିନେତା ଶମିତ ଭଞ୍ଜଙ୍କ ସହ ନଜର ଆସିଥିଲେ।ତାଙ୍କ କ୍ୟାରିୟରରେ ‘ମର୍ଜିନା ଅବଦୁଲ୍ଲା’କୁ ଏକ ଗୁରୁତ୍ୱପୂର୍ଣ୍ଣ ଫିଲ୍ମ ଭାବେ ଗଣାଯାଏ। ଦିନେଶ ଗୁପ୍ତାଙ୍କ ଏହି ଫିଲ୍ମରେ ସେ ଦେବରାଜ ରାୟଙ୍କ ବିପକ୍ଷରେ ଅଭିନୟ କରିଥିଲେ। ଏହା ପରେ ବଙ୍ଗୀୟ ସିନେମାରେ ତାଙ୍କ ଲୋକପ୍ରିୟତା ଆହୁରି ବଢ଼ିଥିଲା ଓ ତାଙ୍କ ସ୍ଥିତି ମଜଭୁତ ହୋଇଥିଲା। ମିଠୁ ମୁଖାର୍ଜୀ ନିଜ କ୍ୟାରିୟରରେ ବଙ୍ଗୀୟ ସିନେମାର ଅନେକ ବର୍ଷୀୟାନ କଳାକାରଙ୍କ ସହ କାମ କରିଥିଲେ। ସେମାନଙ୍କ ମଧ୍ୟରେଉତ୍ତମ କୁମାର, ସୌମିତ୍ର ଚଟ୍ଟୋପାଧ୍ୟାୟ ଏବଂ ରଞ୍ଜିତ ମଲ୍ଲିକଙ୍କ ଭଳି ନାଁ ସାମିଲ ରହିଛି। ମିଠୁ ମୁଖାର୍ଜି ତାଙ୍କ କ୍ୟାରିଅରରେ ଅନେକ ଫିଲ୍ମ କରିଛନ୍ତି। ସେ ‘ନିଶିକନ୍ୟା’, ‘ମୌଚାକ’, ‘କାବି’, ‘ହୋଟେଲ ସ୍ନୋ ଫକ୍ସ’, ‘ପ୍ରତିମାସ ବନ୍ଧନ’, ‘ପ୍ରାର୍ଥନା’ ଏବଂ ‘ସ୍ୱୟଂସିଦ୍ଧ’ ଭଳି ଅନେକ ବଙ୍ଗୀୟ ଫିଲ୍ମରେ ସେ ଅଭିନୟ କରିଥିଲେ। ନିଜ ଅଭିନୟ ଦକ୍ଷତା ଓ ପରଦାରେ ଦମଦାର ଉପସ୍ଥିତି ଯୋଗୁଁ ଅଳ୍ପ ସମୟ ମଧ୍ୟରେ ସେ ଦର୍ଶକଙ୍କ ମଧ୍ୟରେ ପରିଚିତ ହୋଇଥିଲେ। କେବଳ ବଙ୍ଗୀୟ ଫିଲ୍ମ ନୁହେଁ, ମିଠୁ ମୁଖାର୍ଜୀ ହିନ୍ଦୀ ସିନେମାରେ ମଧ୍ୟ କାମ କରିଥିଲେ। ୧୯୭୬ ମସିହାରେ ଦୁଲାଲ ଗୁହାଙ୍କ ଫିଲ୍ମ‘ଖାନ ଦୋସ୍ତ’ଜରିଆରେ ସେ ହିନ୍ଦୀ ସିନେମାରେ ପାଦ ରଖିଥିଲେ। ଏହା ପରେ ବାସୁ ଚାଟାର୍ଜୀଙ୍କ ନିର୍ଦ୍ଦେଶିତ ‘ସଫେଦ ଝୁଠ’ ରେ ମଧ୍ୟ ସେ ଅଭିନୟ କରିଥିଲେ। ଏହା ବ୍ୟତୀତ ‘ଦିଲ୍ଲଗୀ’ ଏବଂ ‘ଦୋ ଲଡ଼କେ ଦୋନୋ କଡ଼କେ’ ଭଳି ଫିଲ୍ମରେ ମଧ୍ୟ ମିଠୁ ମୁଖାର୍ଜୀ ନଜର ଆସିଥିଲେ।

Also Read- ‘ଜେଲର୍ ୨’ ଷ୍ଟାରକାଷ୍ଟ୍‌ ଘୋଷଣା: ରଜନୀକାନ୍ତଙ୍କ ପାନ୍-ଇଣ୍ଡିଆ ଫିଲ୍ମରେ ସାମିଲ ହେଲେ ବିଦ୍ୟା ବଲାନ୍‌

୧୯୮୦ ମସିହାରେ ରିଲିଜ୍ ହୋଇଥିବା‘ଦୁଜାନେ’ପରେ ମିଠୁ ମୁଖାର୍ଜୀ ଅଭିନୟରୁ ଦୀର୍ଘ ୧୦ ବର୍ଷର ବିରତି ନେଇଥିଲେ। ପ୍ରାୟ ଏକ ଦଶନ୍ଧି ପରେ ୧୯୯୦ରେ ଚନ୍ଦ୍ରା ବରୋଟଙ୍କ ନିର୍ଦ୍ଦେଶିତ‘ଆଶ୍ରିତା’ଜରିଆରେ ସେ ପୁଣିଥରେ ସିନେମାକୁ ଫେରିଥିଲେ। ତେବେ ‘ଆଶ୍ରିତା’ ପରେ ସେ ଆଉ କୌଣସି ଫିଲ୍ମରେ ଅଭିନୟ କରିନଥିଲେ। ଏହା ହିଁ ତାଙ୍କ ଶେଷ ଫିଲ୍ମ ହୋଇ ରହିଥିଲା। ପରବର୍ତ୍ତୀ ସମୟରେ ମିଠୁ ଧୀରେ ଧୀରେ ସିନେମା ଓ ଗ୍ଲାମର ଦୁନିଆଠାରୁ ଦୂରେଇ ଯାଇଥିଲେ। ବର୍ଷେ ହେବ ସେ କ୍ୟାନସର ସହ ଲଢ଼ୁଥିଲେ। ଶେଷରେ ୭୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ତାଙ୍କ ବିୟୋଗ ବଙ୍ଗୀୟ ସିନେମା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି।