ଭୁବନେଶ୍ୱର: ଆରମ୍ଭ ହୋଇଛି ବିଜେପିର ବିଧାୟକ ଦଳ ବୈଠକ। ବିଧାନସଭାର ୫୪ ନମ୍ବର ରୁମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଛି। ଆଗାମୀ ମୌସୁମୀ ଅଧିବେଶନରେ ବିରୋଧୀଙ୍କ ପ୍ରମୁଖ ମୁଦ୍ଦାକୁ କିଭଳି କାଉଣ୍ଟର କରାଯିବ, ସେନେଇ ବୈଠକରେ ରଣନୀତି ପ୍ରସ୍ତୁତ ହେଉଛି।

ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ କନକ ବର୍ଦ୍ଧନ ସିଂହଦେଓ ଉପସ୍ଥିତ ଅଛନ୍ତି। ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମର ମଧ୍ୟ ବୈଠକରେ ସାମିଲ ହୋଇଛନ୍ତି। ଶାସକ ଦଳର ସମସ୍ତ ମନ୍ତ୍ରୀ ଓ ବିଧାୟକ ମଧ୍ୟ ବୈଠକରେ ଉପସ୍ଥିତ ଅଛନ୍ତି।

ମୌସୁମୀ ଅଧିବେଶନରେ ବିରୋଧୀ ଦଳ ଉଠାଇବାକୁ ଥିବା ବିଭିନ୍ନ ପ୍ରସଙ୍ଗକୁ ନେଇ ବିଜେପି ବିଧାୟକ ଦଳ ଆଲୋଚନା କରୁଛି। ବିଶେଷକରି MMDR ସଂଶୋଧନ, ବହି ତ୍ରୁଟି, ବନ୍ୟା ପରିଚାଳନା ଓ ଆଇନଶୃଙ୍ଖଳା ଭଳି ପ୍ରସଙ୍ଗ ବିରୋଧୀଙ୍କ ପକ୍ଷରୁ ପ୍ରମୁଖ ମୁଦ୍ଦା ହୋଇପାରେ।

Also Read: ଚାଲିଛି ସର୍ବଦଳୀୟ ବୈଠକ, ବିଭିନ୍ନ ପ୍ରସଙ୍ଗ ନେଇ ଚାଲିଛି ଆଲୋଚନା

ଏହି ପ୍ରସଙ୍ଗଗୁଡ଼ିକରେ ସରକାରଙ୍କ ପକ୍ଷରୁ କିଭଳି ଜବାବ ରଖାଯିବ ଏବଂ ବିଧାନସଭାରେ ବିରୋଧୀଙ୍କୁ କିଭଳି କାଉଣ୍ଟର କରାଯିବ, ସେନେଇ ବୈଠକରେ ଆଲୋଚନା ଚାଲିଛି। ମୌସୁମୀ ଅଧିବେଶନକୁ ଦୃଷ୍ଟିରେ ରଖି ଶାସକ ଦଳ ଏହି ବୈଠକରେ ନିଜର ରଣନୀତିକୁ ଅନ୍ତିମ ରୂପ ଦେବାକୁ ପ୍ରସ୍ତୁତି କରୁଛି।