ଭୁବନେଶ୍ୱର: ଏମଏମଡିଆର, ଏସଆଇଆର, ପାଠ୍ୟପୁସ୍ତକରେ ତ୍ରୁଟି, ଧାନ ବିକ୍ରିରେ ଅବ୍ୟବସ୍ଥା ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଦଳ ବିଧାନସଭାରେ ସରକାରଙ୍କୁ ଟାର୍ଗେଟ କରିବ ବିଜେଡି। ଏଥିପାଇଁ ଶଙ୍ଖ ଭବନରେ ଯୋଜନା ପ୍ରସ୍ତୁତ କରିଛି ଦଳ।

ବୈଠକରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ବିଧାୟକମାନଙ୍କୁ ସମ୍ବୋଧିତ କରି ନବୀନ କହିଥିଲେ ଯେ, ରାଜ୍ୟରେ ବିଜେପି ସରକାର ଆସିବାର ଇତି ମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ବିତି ଗଲାଣି । କିନ୍ତୁ ଯେଉଁ ପରିବର୍ତ୍ତନର ନାରା ଦେଇ ସେମାନେ କ୍ଷମତାକୁ ଆସିଥିଲେ, ତାହା ଆଦୌ ହୋଇନାହିଁ।

ଏହି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି । ବିଫଳତା ଏ ସରକାରର ହଲ୍ ମାର୍କ ହୋଇଯାଇଛି । କେବଳ ସରକାରୀ ଅର୍ଥ ଅପବ୍ୟୟ କରି ଗୁଡାଏ ମିଥ୍ୟା ପ୍ରଚାର କରାଯାଉଛି । ଆଇନ ଶୃଙ୍ଖଳାଠାରୁ ଆରମ୍ଭ କରି ବନ୍ୟା ପରିଚାଳନାରେ ବିଫଳତା, ଦରବୃଦ୍ଧି, ଆର୍ଥିକ କୁପରିଚାଳନା, ବଜେଟ୍ ଅର୍ଥ ଖର୍ଚ୍ଚ କରି ନ ପାରିବା ଆଦି ବିଭିନ୍ନ ପ୍ରସଙ୍ଗ ରହିଛି ବୋଲି କହିଛନ୍ତି ନବୀନ ।

ଏଏମଡିଆର ପ୍ରସଙ୍ଗ:

ନବୀନ କହିଥିଲେ, ସଂସଦରେ MMDR ସଂଶୋଧନ ଆଇନ ବିନା ଆଲୋଚନାରେ ତରବରିଆ ଭାବରେ ଗୃହିତ ହୋଇଗଲା । କିନ୍ତୁ ଆମ ଓଡ଼ିଶାରୁ ଯାଇଥିବା ୨୦ ଜଣ ଯାକ ସଂସଦ କେହି ରାଜ୍ୟର ସ୍ୱାର୍ଥ ପାଇଁ ପାଟି ନ ଫିଟାଇବା ଅତ୍ୟନ୍ତ ବେଦନା ଦାୟକ । MMDR ସଂଶୋଧନ ଆଇନ ଆମର ଜମି ଉପରୁ, ଆମର ପ୍ରାକୃତିକ ସଂପଦ ଉପରୁ ଆମର ଅଧିକାର ଛଡାଇ ନେବା ସହିତ ଯୁବ ସମାଜର ସ୍ୱପ୍ନକୁ ଧ୍ୱଂସ କରାଯାଇଛି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ପତ୍ର ଲେଖିଥିଲେ ମଧ୍ୟ କିଛି ଫଳ ହେଲା ନାହିଁ । ଏହି ଘଟଣାରେ ବିଜେଡି କେବଳ ନୀରବ ଦର୍ଶକ ହୋଇ ନ ରହି ରାଜ୍ୟର ଅଧିକାର ଫେରାଇ ଆଣିବା ପାଇଁ ଲଢେଇ କରିବ ବୋଲି ସ୍ପଷ୍ଟ ସୂଚନା ଦେଇଥିଲେ ।

ପାଠ୍ୟପୁସ୍ତକ ପ୍ରସଙ୍ଗ

ସେହିଭଳି ପାଠ୍ୟ ପୁସ୍ତକ ତ୍ରୁଟି ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯଦି ଶିକ୍ଷା ବ୍ୟବସ୍ଥା ନଷ୍ଟ ହୋଇଯାଏ ତେବେ ଦେଶର ଭବିଷ୍ୟତ ନଷ୍ଟ ହୋଇଯାଏ । ପାଠ୍ୟ ପୁସ୍ତକରେ ତୃଟିକୁ ଏକ ବିରାଟ ଭୁଲ ଭାବରେ ବର୍ଣ୍ଣନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏହା ଏକ ଅପରାଧିକ ତୃଟି । ତେଣୁ ସରକାରଙ୍କୁ ଏଥିପାଇଁ ଉତ୍ତରଦାୟୀତ୍ୱ ନେବାକୁ ପଡିବ ଏବଂ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବାକୁ ପଡିବ ।

Also Read: ନୋଟିସ ଦେଲା ବିଜେଡି, MMDR ପ୍ରସଙ୍ଗରେ ମୋସନ ଆଣିବାକୁ ଦାବି କଲା ଦଳ

ଚାଷୀ ପ୍ରସଙ୍ଗ

ଚାଷୀମାନଙ୍କ ସମସ୍ୟା ଉପରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେପି ସରକାର ଅମଳରେ ରାଜ୍ୟର ଚାଷୀ ମାନେ ସବୁଠାରୁ ଅଧିକ ନିଷ୍ପେସିତ ହୋଇଛନ୍ତି । ଠିକ୍ ସମୟରେ ସାର ମିଳୁନି, ବିହନ ମିଳୁନି, ଧାନ ଉଠୁନି । ଡବଲ ଇଞ୍ଜିନ ସରକାର ଥାଇ ମଧ୍ୟ FCI ଧାନ ନେଉନାହିଁ । ଏଭଳି ଅବ୍ୟବସ୍ଥାକୁ ଆମେ ନୀରବରେ ସହ୍ୟ କରିପାରିବୁ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ଚେତାଇ ଦେଇଥିଲେ । ଦରବୃଦ୍ଧି ପ୍ରସଙ୍ଗରେ ସରକାରଙ୍କ ବିଫଳତାରେ ଶ୍ରୀ ପଟ୍ଟନାୟକ ଉଦ୍ବେଗ ପ୍ରକାଶ କରିବା ସହ ନିକଟରେ UPI Payment ଉପରେ MDR ଲାଗୁ କରାଯିବା ଦ୍ୱାରା ସାଧାରଣ ଲୋକ ଓ ଛୋଟ ବ୍ୟବସାୟୀମାନେ ଅଧିକ କ୍ଷତିଗ୍ରସ୍ତ ହେବେ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରି ଏଥିପାଇଁ ଅଧିକ ସୁରକ୍ଷା ବ୍ୟବସ୍ଥା ଏବଂ MDR ଉପରେ ସ୍ପଷ୍ଟତା ଆସିବା ଉପରେ ଗୁରୁତ୍ୱ ଦେଇଥିଲେ ।

ଏସଆଇଆର ପାଇଁ ଲଢ଼େଇ କରିବ ବିଜେଡି

ଭୋଟର ତାଲିକାର ଏସଆଇଆର ଉପରେ ଆଲୋଚନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବହୁ ସଂଖ୍ୟକ ଯୋଗ୍ୟ ଭୋଟରଙ୍କ ନାମ କଟିଯିବା ଏକ ଗୁରୁତର ବିଷୟ ଏବଂ ବିଜୁ ଜନତା ଦଳ ଭୋଟରଙ୍କୁ ନ୍ୟାୟ ଦେବା ପାଇଁ ତାର ଲଢେଇ ଜାରି ରଖିବ ।

ମୋଟ୍ ଉପରେ ବିଜେପି ସରକାର ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଛି । ତେଣୁ ବିରୋଧୀ ଦଳ ଭାବରେ ଡବଲ ଇଞ୍ଜିନ ସରକାରଙ୍କ ବିଫଳତା ବିଷୟରେ ଲୋକଙ୍କୁ ସଚେତନ କରାଯିବ ବୋଲି ସେ କହିଥିଲେ।