ନୂଆଦିଲ୍ଲୀ-;ଭାରତର ବାହ୍ୟ ଗୁପ୍ତଚର ସଂସ୍ଥା Research and Analysis Wing (R&AW)ର ପ୍ରତିଷ୍ଠାତା ରମେଶ୍ୱର ନାଥ କାଓ, ଅର୍ଥାତ ଆର୍.ଏନ୍. କାଓଙ୍କ ଜୀବନ ଏବେ ବଡ଼ ପରଦାରେ ଦେଖିବାକୁ ମିଳିବ। କରନ ଜୋହରଙ୍କ ଧରମା ପ୍ରଡକ୍ସନ ଏବଂ ଲିଓ ମିଡ଼ିଆ କଲେକ୍ଟିଭି ପକ୍ଷରୁ ତାଙ୍କ ଜୀବନ ଓ ଗୁପ୍ତଚର କାର୍ଯ୍ୟକୁ ନେଇ ନିର୍ମାଣ ହେଉଥିବା ଫିଲ୍ମର ରିଲିଜ୍ ତାରିଖ ଅଗଷ୍ଟ ୧୧, ୨୦୨୮ ଘୋଷଣା କରାଯାଇଛି।ଅନଲାଇନ ଟ୍ରୋଲିଙ୍ଗକୁ ନେଇ ମୁହଁ ଖୋଲିଲେ ସଲମାନ ଖାନ ,ସୋସିଆଲ ମିଡିଆରେ ନେହା ଲେଖିଲେ ''ଟାଇଗର ଜିନ୍ଦା ହେ

କିଏ ଥିଲେ ଆର ଏନ.କାଓ ?

୧୯୧୮ ମସିହାରେ ବାରାଣସୀରେ ଏକ କାଶ୍ମୀରୀ ପରିବାରରେ ଜନ୍ମ ନେଇଥିଲେ ରମେଶ୍ୱର ନାଥ କାଓ। ସେ Lucknow University ଓ Allahabad Universityରେ ଶିକ୍ଷା ଗ୍ରହଣ କରିଥିଲେ। ୧୯୪୦ରେ ସିଭିଲ ସର୍ଭିସ ପରୀକ୍ଷା ପାସ୍ କରି ସେ Indian Imperial Policeରେ ଯୋଗ ଦେଇଥିଲେ। ଭାରତ ସ୍ୱାଧୀନ ହେବା ପରେ ସେ Intelligence Bureau (IB) ସହ ଜଡ଼ିତ ହୋଇଥିଲେ। ଏଠାରେ ତାଙ୍କୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ସୁରକ୍ଷା ସମ୍ପର୍କିତ ଦାୟିତ୍ୱ ସହିତ ସମ୍ବେଦନଶୀଳ କାର୍ଯ୍ୟ ମିଳିଥିଲା। ୧୯୫୦ ଦଶକରେ କାଓ ଘାନାରେ ଏକ ଗୁପ୍ତଚର ଓ ସୁରକ୍ଷା ସଂଗଠନ ଗଠନରେ ସହାୟତା କରିଥିଲେ। ଏହାଛଡ଼ା Air Indiaର ‘Kashmir Princess’ ବିମାନ ବିସ୍ଫୋରଣ ଘଟଣାର ତଦନ୍ତରେ ମଧ୍ୟ ସେ ଭୂମିକା ନେଇଥିଲେ।

୧୯୬୨ ଯୁଦ୍ଧ ପରେ ବଦଳିଲା ଭୂମିକା୧୯୬୨ର ଭାରତ-ଚୀନ ଯୁଦ୍ଧ ସମୟରେ ଦେଶର ଗୁପ୍ତଚର ବ୍ୟବସ୍ଥାର କିଛି ଦୁର୍ବଳତା ସାମ୍ନାକୁ ଆସିଥିଲା। ଏହା ପରେ ସାମରିକ ଓ ବାହ୍ୟ ସୁରକ୍ଷା ସମ୍ପର୍କିତ ଗୁପ୍ତ ସୂଚନା ସଂଗ୍ରହ ପାଇଁ ଏକ ଅଲଗା ବ୍ୟବସ୍ଥା ବିକଶିତ କରିବାରେ କାଓଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଥିଲା।ସେ Aviation Research Centreର ପ୍ରଥମ ନିର୍ଦ୍ଦେଶକ ହୋଇଥିଲେ। ପରେ ୧୯୬୮ରେ ଭାରତ ସରକାର Research and Analysis Wing, ଅର୍ଥାତ୍ R&AWକୁ ଏକ ସ୍ୱତନ୍ତ୍ର ବାହ୍ୟ ଗୁପ୍ତଚର ସଂସ୍ଥା ଭାବେ ଗଠନ କଲା। ଆର .ଏନ .କାଓ ହେଲେ ଏହାର ପ୍ରଥମ ମୁଖ୍ୟ। ୧୯୭୭ ପର୍ଯ୍ୟନ୍ତ ସେ ଏହି ପଦରେ ରହିଥିଲେ।

also read -ଅନଲାଇନ ଟ୍ରୋଲିଙ୍ଗକୁ ନେଇ ମୁହଁ ଖୋଲିଲେ ସଲମାନ ଖାନ ,ସୋସିଆଲ ମିଡିଆରେ ନେହା ଲେଖିଲେ ''ଟାଇଗର ଜିନ୍ଦା ହେ

୧୯୭୧ ଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟଆର ଏନ କାଓଙ୍କ କ୍ୟାରିୟରର ସବୁଠାରୁ ଚର୍ଚ୍ଚିତ ଅଧ୍ୟାୟ ମଧ୍ୟରେ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ଅନ୍ୟତମ। ବାଂଲାଦେଶ ମୁକ୍ତି ସଂଗ୍ରାମ ସମୟରେ R&AW ପକ୍ଷରୁ ମୁକ୍ତି ବାହିନୀ କୁ ପ୍ରଶିକ୍ଷଣ ଓ ଅସ୍ତ୍ର ସହାୟତା ଦିଆଯାଇଥିବା ବିଷୟରେ ବିଭିନ୍ନ ଐତିହାସିକ ରିପୋର୍ଟରେ ଉଲ୍ଲେଖ ମିଳେ। ଏହି ସମୟରେ ଗୁପ୍ତଚର ସୂଚନା, ଯୁଦ୍ଧ ସମ୍ପର୍କିତ ଆକଳନ ଏବଂ ସରକାରର ଶୀର୍ଷ ସ୍ତରରେ ସମନ୍ୱୟରେ କାଓଙ୍କ ଭୂମିକା ଥିଲା ବୋଲି ତାଙ୍କ ଜୀବନୀ ଓ R&AW ସମ୍ପର୍କିତ ବିଭିନ୍ନ ଲେଖାରେ ଆଲୋଚନା କରାଯାଇଛି।

ଇନ୍ଦିରା ଗାନ୍ଧୀଙ୍କ ସହ ଥିଲା ଘନିଷ୍ଠ କାର୍ଯ୍ୟ ସମ୍ପର୍କ

ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହ ମଧ୍ୟ ଆର. ଏନ .କାଓ ଙ୍କ ଘନିଷ୍ଠ କାର୍ଯ୍ୟ ସମ୍ପର୍କ ଥିଲା। ୧୯୭୭ରେ ସରକାର ବଦଳିବା ପରେ ସେ R&AW ମୁଖ୍ୟ ପଦ ଛାଡ଼ିଥିଲେ।

୧୯୮୦ରେ ଇନ୍ଦିରା ଗାନ୍ଧୀ ପୁଣି କ୍ଷମତାକୁ ଫେରିବା ପରେ କାଓ ସରକାରୀ ବ୍ୟବସ୍ଥାକୁ ଫେରିଥିଲେ। ପରବର୍ତ୍ତୀ ସମୟରେ ସେ ଜାତୀୟ ସୁରକ୍ଷା ସମ୍ପର୍କିତ ପରାମର୍ଶଦାତା ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

NSG ଗଠନ ଓ ସିକ୍କିମ ପ୍ରସଙ୍ଗରେ ମଧ୍ୟ ଭୂମିକା

R&AWରୁ ଅବସର ନେବା ପରେ ମଧ୍ୟ ଭାରତର ସୁରକ୍ଷା ବ୍ୟବସ୍ଥା ସହ R.N. Kaoଙ୍କ ସମ୍ପର୍କ ଜାରି ରହିଥିଲା। ୧୯୮୦ ଦଶକରେ ଆତଙ୍କବାଦ ଓ counter-insurgency ମୁକାବିଲା ପାଇଁ National Security Guard (NSG) ଗଠନ ପ୍ରକ୍ରିୟାରେ ମଧ୍ୟ ସେ ଜଡ଼ିତ ଥିଲେ। ସିକ୍କିମର ଭାରତ ସହ ଏକୀକରଣ ସମ୍ପର୍କିତ ବିଷୟରେ ମଧ୍ୟ ତାଙ୍କ ଭୂମିକା ଥିବା ଉଲ୍ଲେଖ ମିଳେ। ୨୦୦୨ରେ ୮୩ ବର୍ଷ ବୟସରେ ଆର ଏନ . କାଓ ଙ୍କ ଦେହାନ୍ତ ହୋଇଥିଲା।

ଏବେ ପରଦାରେ ଦେଖାଯିବ ‘ଜେଣ୍ଟେଲମ୍ୟାନ ସ୍ପାଇମାଷ୍ଟରଙ୍କ ’ କାହାଣୀ

ଆର .ଏନ . କାଓ ଙ୍କ ଜୀବନୀ ଉପରେ ଲେଖକ ନିତିନ ଗୋଖଲେଙ୍କ ୨୦୧୯ର ପୁସ୍ତକ ଆର .ଏନ .କାଓ :‘ଜେଣ୍ଟେଲମ୍ୟାନ ସ୍ପାଇମାଷ୍ଟରଙ୍କଆଧାରରେ ଏହି ଫିଲ୍ମ ନିର୍ମାଣ ହେଉଛି। ୨୦୨୦ରେ ପ୍ରଥମେ ଫିଲ୍ମଟି ଘୋଷଣା ହୋଇଥିଲା। ଏବେ ଏହାକୁ ପୁଣି ଆଗକୁ ନେଇଯାଇ ଅଗଷ୍ଟ ୧୧, ୨୦୨୮ରେ ଥିଏଟରରେ ରିଲିଜ୍ କରିବାକୁ ଘୋଷଣା କରାଯାଇଛି। ଫିଲ୍ମର ନିର୍ଦ୍ଦେଶକ ଓ ମୁଖ୍ୟ ଅଭିନେତାଙ୍କ ନାମ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। ତେବେ ରିପୋର୍ଟ ଅନୁସାରେ ଜଣେ ଆଗଧାଡିର ଅଭିନେତା ଏଥିରେ ମୁଖ୍ୟ ଭୂମିକାରେ ଥିବା ସମ୍ଭାବନା ରହିଛି।

ଫିଲ୍ମର କାହାଣୀ ୧୯୫୫ରୁ ୧୯୭୧ ପର୍ଯ୍ୟନ୍ତର ଏକ ଗୁରୁତ୍ୱପୂର୍ଣ୍ଣ ସମୟକୁ କେନ୍ଦ୍ର କରିବ ବୋଲି ଜଣାପଡ଼ିଛି। ଅର୍ଥାତ୍ ଭାରତର ବାହ୍ୟ ଗୁପ୍ତଚର ବ୍ୟବସ୍ଥାର ବିକାଶରୁ ଆରମ୍ଭ କରି R&AW ଗଠନ ଏବଂ ଏହାର ପ୍ରାରମ୍ଭିକ କାର୍ଯ୍ୟକଳାପ ପର୍ଯ୍ୟନ୍ତ ଅନେକ ଘଟଣା ଏଥିରେ ସ୍ଥାନ ପାଇପାରେ। ଏହି କାରଣରୁ ଆର .ଏନ .କାଓ ଙ୍କ ଜୀବନ କେବଳ ଜଣେ ଗୁପ୍ତଚର ଅଧିକାରୀଙ୍କ କାହାଣୀ ନୁହେଁ, ବରଂ ଭାରତର ବାହ୍ୟ ଗୁପ୍ତଚର ବ୍ୟବସ୍ଥା କିପରି ଗଢ଼ିଉଠିଲା, ସେହି ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଭାବେ ମଧ୍ୟ ଦେଖାଯାଏ।