କୋରାପୁଟ : ପ୍ରଥମଥର ପାଇଁ ଜୟପୁରରେ ପ୍ରିମିୟର ହୋଇଛି ଓଡ଼ିଆ ଚଳଚ୍ଚିତ୍ର ‘ମାଳିପୁଟ ମେଲୋଡିଜ୍’। କୋରାପୁଟର ମାଟି, ଜୀବନ ଓ ସଂଘର୍ଷକୁ ନେଇ ନିର୍ମିତ ଏହି ସିନେମାରେ ବଡ଼ ପରଦାରେ ଅଭିନୟ କରିଛନ୍ତି ଗାଁର ଅନେକ ସାଧାରଣ ପ୍ରତିଭା। ଜୟପୁରର ଏସ୍.ଆର୍. ନୋଭୋ ସିନେମା ହଲରେ ଅନୁଷ୍ଠିତ ପ୍ରିମିୟର ଶୋ’ରେ ଜମିଥିଲା ଦର୍ଶକଙ୍କ ଭିଡ଼। ସିନେମା ହଲ୍ ରେ ଦେଖିବାକୁ ମିଳିଥିଲା ଉତ୍ସାହ। କାରଣ ବଡ଼ ପରଦାରେ ଏଥର କୋରାପୁଟର ମାଟିର ମହକ। ‘ମାଳିପୁଟ ମେଲୋଡିଜ୍’ର ପ୍ରିମିୟର ଶୋ’ରେ ଫିଲ୍ମର କଳାକାର, ଟେକ୍ନିସିଆନ୍, ପ୍ରଯୋଜକ ଓ ନିର୍ଦ୍ଦେଶକଙ୍କ ସମେତ ଜୟପୁରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ବିଶେଷ କଥା ହେଉଛି, ଏହି ସିନେମାର ପ୍ରାୟ ୭୫ ପ୍ରତିଶତ କଳାକାର ହେଉଛନ୍ତି ଗାଁର ପ୍ରତିଭା। ଅନ୍ୟମାନେ ମଞ୍ଚ କଳାକାର। କୌସ୍ତଭ ଡ୍ରିମ୍ ୱାର୍କସ୍ ଷ୍ଟୁଡିଓଜ୍ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ପଟ୍ଟନାୟକ। ପ୍ରଯୋଜନାରେ କୌଶିକ ଦାସ ଏବଂ ପୂରା ଟିମ୍।‘

ମାଳିପୁଟ ମେଲୋଡିଜ୍’ କେବଳ ଏକ ଚଳଚ୍ଚିତ୍ର ନୁହେଁ, କୋରାପୁଟର ଜୀବନ, ସଂଘର୍ଷ, ପ୍ରକୃତି ଓ ଲୋକଙ୍କ ପ୍ରତିଭାକୁ ପରଦାରେ ଉପସ୍ଥାପନ କରିବାର ଏକ ପ୍ରୟାସ।ଗୋଆରେ ଅନୁଷ୍ଠିତ ୫୬ତମ ଭାରତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ-IFFI ୨୦୨୫ର ଇଣ୍ଡିଆନ୍ ପାନୋରାମା ଫିଚର୍ ଫିଲ୍ମ ବର୍ଗରେ ଏହା ପ୍ରଦର୍ଶିତ ହୋଇଥିବା ନିର୍ମାତା ପକ୍ଷରୁ କୁହାଯାଇଛି।ଏହା ସହ ଦେଶ ଓ ବିଦେଶର ବିଭିନ୍ନ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ସିନେମାଟି ମନୋନୀତ ହୋଇଥିବା ସୂଚନା ମିଳିଛି।

Also Read- Mithu Mukherjee : ବଙ୍ଗୀୟ ଅଭିନେତ୍ରୀ ମିଠୁ ମୁଖାର୍ଜୀଙ୍କ ପରଲୋକ, ୭୧ ବର୍ଷ ବୟସରେ ଆଖି ବୁଜିଲେ

କୋରାପୁଟର ମାଟିରୁ ବଡ଼ ପରଦା ପର୍ଯ୍ୟନ୍ତ। ଗାଁର ସାଧାରଣ ଲୋକଙ୍କ ଭିତରେ ଲୁଚିଥିବା ପ୍ରତିଭାକୁ ନେଇ ତିଆରି ‘ମାଳିପୁଟ ମେଲୋଡିଜ୍’ ଏବେ ଦର୍ଶକଙ୍କ ନିକଟରେ। ଜୟପୁର ପ୍ରିମିୟର ଶୋ’ରେ ଦର୍ଶକଙ୍କ ଉତ୍ସାହ ଏହି ସିନେମା ପ୍ରତି ଆଶାକୁ ଆହୁରି ବଢ଼ାଇଛି।