ମୁଜଫରନଗର: ଉତ୍ତରପ୍ରଦେଶ ୪ ଭାଗ ହେବ ବୋଲି ଓ.ପି. ରାଜଭରଙ୍କ ବୟାନକୁ ବିଜେପି ନେତା ସଞ୍ଜୀବ ବାଲିୟାନ ସମର୍ଥନ କରିଛନ୍ତି। ଗଣ ମାଧ୍ୟମ ସହ ଆଲୋଚନାରେ ସେ ଏହାର ‘ପକ୍ଷଧର’ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଉତ୍ତରପ୍ରଦେଶର ଜନସଂଖ୍ୟା ପାଖାପାଖି ୨୫ କୋଟି। ପ୍ରଶାସନ ହିସାବରେ ଏତେବଡ଼ ପ୍ରଦେଶକୁ ସମ୍ଭାଳିବା ବାସ୍ତବିକ କଷ୍ଟକର। ରାଜ୍ୟର ଅଲଗା ଅଲଗା କ୍ଷେତ୍ରର ଭାଷା ମଧ୍ୟ ପୃଥକ। ବୁନ୍ଦେଲଖଣ୍ଡ ଲୋକଙ୍କ ଭାଷା ଭିନ୍ନ, ପୂର୍ବ ଉତ୍ତରପ୍ରଦେଶର ବୋଲି ମଧ୍ୟ ଅଲଗା। ଏମିତି ଦେଖିଲେ ଛୋଟ ପ୍ରଦେଶମାନଙ୍କର ବିକାଶ ବେଶ୍ ଦ୍ରୁତ ହେଉଥିବା ବଲିୟାନ କହିଛନ୍ତି।

ସଞ୍ଜୀବ ବାଲିୟାନ କହିଛନ୍ତି ଯେ ପଞ୍ଜାବରୁ ବାହାରି ହରିୟାଣା ଓ ହିମାଚଳ ପ୍ରଦେଶର ବେଶ୍ ବିକାଶ ହେଉଛି। ଉତ୍ତପ୍ରଦେଶରୁ ପୃଥକ ହୋଇ ଉତ୍ତରାଖଣ୍ଡ ହେବା ପରେ ତା ଛବି ମଧ୍ୟ ଦେଖିବା ଯୋଗ୍ୟ। ଝାଡଖଣ୍ଡ ହେଉ ଅଥବା ଛତିଶଗଡ଼ ଛୋଟ ପ୍ରଦେଶ, ହେଲେ ସେମାନଙ୍କ ବିକାଶର ଗତି ବେଶ୍ ଦ୍ରୁତ। ପ୍ରଦେଶ ଛୋଟ ହେବା ଦରକାର ମୁଁ ତାଙ୍କ କଥାକୁ ସମର୍ଥନ କରୁଛି ବୋଲି ବାଲିୟାନ କହିଛନ୍ତି। ସେ କହିଛନ୍ତି ଯେ ୟୁପିର ୨୫ କୋଟି ଜନସଂଖ୍ୟା ପାଇଁ ୨ଟି ଏମସ୍ (ଗୋରଖପୁର ଓ ରାୟବରେଲୀ) ରହିଛି। ପଶ୍ଚିମ ୟୁପିରୁ ଗୋରଖପୁରର ଦୂରତା ୮୦୦ କିଲୋମିଟର ଓ ରାୟବରେଲୀର ଦୂରତା ୭୫୦ କିଲୋମିଟର। ଦୁଇଟି ଏମସ୍ ଥାଇ ମଧ୍ୟ ରାଜ୍ୟର କଣ ଲାଭ ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି ଯେ ଲକ୍ଷ୍ନୌରେ ଏକ ହାଇକୋର୍ଟ ବେଞ୍ଚ ଅଛି। ଏହା ଛଡା ମୋ ଠାରୁ ଏଲହାବାଦ ହାଇକୋର୍ଟ ୮୦୦ କିଲୋମିଟର ଦୂରରେ। ଯଦି ପ୍ରଦେଶ ଛୋଟ ହେବ ତେବେ ହାଇକୋର୍ଟ, ହସ୍ପିଟାଲ ଭଳି ସୁବିଧା ବେଶ ଭଲ ଭାବେ ମିଳିପାରିବ। ବିକାଶ ପାଇଁ ପ୍ରଦେଶ ଛୋଟ ହେବା ଜରୁରି। ଏଥି ପାଇଁ ଜନତାଙ୍କ ଦାବି ବଢିଲେ ସରକାର ମଧ୍ୟ ମାନିବେ। ଏଥିରେ ପଶ୍ଚିମ ଉତ୍ତରପ୍ରଦେଶକୁ ନା ତ ନ୍ୟାୟ ମିଳିପାରୁଛି ନା ଚିକିତ୍ସା ସୁବିଧା। ଏଥିରେ ଉତ୍ତରପ୍ରଦେଶ ସରକାରରେ ମନ୍ତ୍ରୀ ରାଜଭର କହିଛନ୍ତି ଯେ ପୂର୍ବାଞ୍ଚଳରେ ଜନସଂଖ୍ୟା ଖୁବ୍ ଅଧିକ, ଏଥିରେ ସବୁଠୁ ବଡ଼ କଥା ହେଉଛି ଉତ୍ତରପ୍ରଦେଶ ଦେଶର ସବୁଠୁ ବଡ଼ ରାଜ୍ୟ।

ଆଜି, କାଲି ନଚେତ ତା ପରଦିନ ଦିନେ ନା ଦିନେ ଉତ୍ତରପ୍ରଦେଶ ଭାଗଭାଗ ହେବ। ଯେଉଁଦିନ ୟୁପି ୪ ଭାଗରେ ବିଭାଜିତ ହେବ ପୂର୍ବଞ୍ଚଳର ଜନସଂଖ୍ୟାକୁ ଦେଖି ଆମେ କାହା ସହ ବି ମେଣ୍ଟ କରିପାରିବୁ। ହେଲେ ଏ କଥା ପକ୍କା ଯେ ପୂର୍ବାଞ୍ଚଳର ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ହେବ ସେ ନିଶ୍ଚିତ ରାଜଭର ଜାତିର ହୋଇଥିବ।