ନୂଆଦିଲ୍ଲୀ: ଆମେରିକା ସହ କୌଣସି ଚୁକ୍ତି ହୋଇଥିବା ଏବଂ ହର୍ମୁଜକୁ ପୁଣିଥରେ ଖୋଲିବା ନେଇ ଆସିଥିବା ଖବରକୁ ଇରାନ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ହେବାକୁ ଥିବା ଆକ୍ରମଣକୁ ରୋକିବା ସହ ଇରାନ ସହ ସ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଖୋଲିବା ନେଇ ସହମତି ହୋଇଥିବା ଦାବି କରିବାର କିଛି ଘଣ୍ଟା ପରେ ଇରାନ ଏହାକୁ ଖଣ୍ଡନ କରିଛି। ଇରାନର ସରକାରୀ ଗଣମାଧ୍ୟମ ଏହି ଦାବିକୁ ଭୁଲ୍ ଆଖ୍ୟା ଦେବା ସହ କଡ଼ା ଶବ୍ଦରେ ଆମେରିକାକୁ ସମାଲୋଚନା କରିଛି। ସାମ୍ବାଦିକ ବାରାକ ରବିଦ୍‌ଙ୍କ ଦ୍ୱାରା ଦିଆଯାଇଥିବା ରିପୋର୍ଟ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଇରାନ ସୈନ୍ୟବାହିନୀ ସୂଚନା ଦେଇଛି ।

ଇରାନର ସରକାରୀ ସମ୍ବାଦ ସଂସ୍ଥା 'ଫାର୍ସ'ର ରିପୋର୍ଟ ଅନୁଯାୟୀ, ‘ହର୍ମୁଜ ଖୋଲିବା ନେଇ କୌଣସି ଚୁକ୍ତି ହୋଇନାହିଁ। ଯେପର୍ଯ୍ୟନ୍ତ ଆମେରିକା ନିଜର ଶତ୍ରୁତାପୂର୍ଣ୍ଣ ମନୋଭାବ ଜାରି ରଖିବ, ସେପର୍ଯ୍ୟନ୍ତ ଏହି ସାମୁଦ୍ରିକ ପଥ ବନ୍ଦ ରହିବ।’ ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍ (IRGC) ନୌସେନା ସହ ସମନ୍ୱୟ ରକ୍ଷା କରି ଏବଂ ସେମାନଙ୍କ ଅନୁମତି କ୍ରମେ ନିର୍ଦ୍ଧାରିତ ମାର୍ଗ ଦେଇ ଯାତାୟାତ ସମ୍ଭବ ହେବ। ଅନ୍ୟ ମାର୍ଗଗୁଡ଼ିକ ଅସୁରକ୍ଷିତ ଏବଂ ବିନା ଅନୁମତିରେ ଯାଉଥିବା ଜାହାଜଗୁଡ଼ିକ ଦୁର୍ଘଟଣା ବା କାର୍ଯ୍ୟାନୁଷ୍ଠାନର ସାମ୍ନା କରିବେ।

ତେହେରାନ୍ ପକ୍ଷରୁ କୁହାଯାଇଛି ଯେ, ଏହି ଗୁରୁତ୍ୱପୂର୍ଣ୍ଣ ଜଳମାର୍ଗକୁ ନେଇ ସରକାରଙ୍କ ନୀତିରେ କୌଣସି ପରିବର୍ତ୍ତନ ହୋଇନାହିଁ।
ଶନିବାର ବିଳମ୍ବିତ ରାତିରେ ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈସଲ ବିନ୍ ଫରହାନଙ୍କ ସହ ଫୋନ୍‌ରେ କଥାବାର୍ତ୍ତା ବେଳେ ଇରାନର ବୈଦେଶିକ ମନ୍ତ୍ରୀ ଆରାଘଚି ନିଜ ଦେଶର ସାର୍ବଭୌମତ୍ୱ, ଆଞ୍ଚଳିକ ଅଖଣ୍ଡତା ଓ ଜାତୀୟ ସୁରକ୍ଷା ପାଇଁ ଇରାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ପ୍ରକାଶ କରିଛନ୍ତି। ଆମେରିକା କିମ୍ବା ଇସ୍ରାଏଲ୍‌ ପକ୍ଷରୁ କୌଣସି ପ୍ରକାରର ଆକ୍ରମଣ ବା ଶତ୍ରୁତାପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ହେଲେ, ଇରାନର ସଶସ୍ତ୍ର ବାହିନୀ ତରଫରୁ ଏହାର ଉଚିତ୍ ଏବଂ ଦୃଢ଼ ଜବାବ ଦିଆଯିବ ବୋଲି ଆରାଘଚି କହିଛନ୍ତି।

ଇରାନର କାର୍ଯ୍ୟକାରୀ ପ୍ରତିରକ୍ଷା ମନ୍ତ୍ରୀ ବ୍ରିଗେଡିୟର ଜେନେରାଲ ସୈୟଦ ମାଜିଦ ଇବ୍ନ-ଇ-ରେଜା ଅଭିଯୋଗ କରିଛନ୍ତି ଯେ, ଶତ୍ରୁ ପକ୍ଷ ମାନସିକ ଚାପ ସୃଷ୍ଟି କରିବା ପାଇଁ "ଯୁଦ୍ଧ କୌଶଳ" ଆପଣାଉଛନ୍ତି। ସେ କହିଛନ୍ତି ଯେ, ଇରାନ କଦାପି ଦୁର୍ବଳ ବା ଅସାବଧାନ ହେବନାହିଁ। ଶତ୍ରୁର ଯେକୌଣସି ଧମକକୁ ଇରାନ ନିଜର ପ୍ରସ୍ତୁତି, ସାମରିକ ପ୍ରତିରୋଧ ଶକ୍ତି ଏବଂ ସାମର୍ଥ୍ୟ ବୃଦ୍ଧି କରିବାର ସୁଯୋଗ ଭାବରେ ଗ୍ରହଣ କରୁଛି।