ଭୁବନେଶ୍ୱର: ଦୀର୍ଘ ୨୦ ଘଣ୍ଟାର ଅଚଳାବସ୍ଥା ପରେ ଶେଷରେ ସ୍ବାଭାବିକ ହୋଇଛି ଏକାମ୍ର କ୍ଷେତ୍ରର ଆରାଧ୍ୟ ଦେବ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି। ମନ୍ଦିର ପ୍ରଶାସନର ହସ୍ତକ୍ଷେପ ଓ ବୁଝାସୁଝା ପରେ ସେବାୟତମାନେ ମହାଦେବଙ୍କ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି। ନୀତିକାନ୍ତି ସ୍ବାଭାବିକ ହେବା ନେଇ ବ୍ରାହ୍ମଣ ନିଯୋଗ ସଭାପତି ସୂଚନା ପ୍ରଦାନ କରିଛନ୍ତି। ଗତକାଲି (ଗୁରୁବାର) ରାତିରୁ ନୀତି ବନ୍ଦ ରହିଥିବାରୁ ପ୍ରଭୁ ଲିଙ୍ଗରାଜ ଉପାସରେ ରହିଥିଲେ।

ସୂଚନା ଅନୁଯାୟୀ, ଗତକାଲି ପଞ୍ଚବକ୍ରଙ୍କ ନୀତିକାନ୍ତିକୁ କେନ୍ଦ୍ର କରି ବ୍ରାହ୍ମଣ ନିଯୋଗ ଏବଂ ପୂଜାପଣ୍ଡା ନିଯୋଗ ମଧ୍ୟରେ ଏକ ବିବାଦ ମୁଣ୍ଡ ଟେକିଥିଲା। ଦୁଇ ନିଯୋଗ ମଧ୍ୟରେ ସମନ୍ୱୟ ଅଭାବରୁ ମନ୍ଦିରର ସମସ୍ତ ଦୈନନ୍ଦିନ ନୀତି ବାଧାପ୍ରାପ୍ତ ହୋଇ ପଡ଼ି ରହିଥିଲା। ଏହି ସମସ୍ୟାର ସମାଧାନ ପାଇଁ ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲା ଏଡିଏମ (ADM) ତଥା ଲିଙ୍ଗରାଜ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।

Also Read: ଉତ୍କଳ ବିଶ୍ୱବିଦ୍ୟାଳୟରେ +୩ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ: ତଦନ୍ତ ନିର୍ଦ୍ଦେଶ ଦେଲେ ପରୀକ୍ଷା ନିୟନ୍ତ୍ରକ

ମନ୍ଦିର ପରିଚାଳନା ବୋର୍ଡ, ବ୍ରାହ୍ମଣ ନିଯୋଗ ଏବଂ ପୂଜା ପଣ୍ଡା ନିଯୋଗର ପ୍ରତିନିଧିମାନଙ୍କୁ ନେଇ ଚାଲିଥିବା ଏହି ଆଲୋଚନା ଦୀର୍ଘ ୩ ଘଣ୍ଟା ଧରି ଚାଲିଥିଲା। ଆପୋଷ ବୁଝାମଣା ଏବଂ ଶାନ୍ତିପୂର୍ଣ୍ଣ ଭାବେ ମହାପ୍ରଭୁଙ୍କ ନୀତି ସମ୍ପାଦନ କରିବାକୁ ପରିଚାଳନା କମିଟି ପକ୍ଷରୁ ସେବାୟତମାନଙ୍କୁ ନିବେଦନ କରାଯାଇଥିଲା। ଶେଷରେ ବୈଠକ ସଫଳ ହେବା ସହ ମନ୍ଦିରରେ ପୁଣି ଥରେ ଶଙ୍ଖ ଓ ଘଣ୍ଟ ସଦୃଶ ଆଧ୍ୟାତ୍ମିକ ପରିବେଶ ଫେରିଆସିଛି।