ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI)ର ମୁଖ୍ୟ ଚୟନକର୍ତ୍ତା ପଦରୁ ଅବସର ନେବା ପାଇଁ ଅଜିତ୍ ଅଗରକର ବୋର୍ଡକୁ ପତ୍ର ଲେଖିଛନ୍ତି। ନିଜର ଦୁଇ ବର୍ଷରୁ ଅଧିକ ସମୟର କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ ସେ ଆଗାମୀ ଦିନରେ ଏହି ପଦବୀରେ ଆଉ ଆଗକୁ ରହିବାକୁ ଚାହୁଁନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି।

ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ତାରିଖରେ ଶେଷ ହେବାକୁ ଯାଉଛି। ସେ ବିସିସିଆଇ ସମ୍ପାଦକ ଦେବଜିତ୍ ସାଇକିଆଙ୍କୁ ପତ୍ର ଲେଖି ଜଣାଇଛନ୍ତି ଯେ, କାର୍ଯ୍ୟକାଳ ଶେଷ ହେବା ପରେ ସେ ଆଉ ଚୁକ୍ତିର ସମ୍ପ୍ରସାରଣ  ଚାହୁଁନାହାନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଦଳର ସିନିୟର ଖେଳାଳିମାନଙ୍କୁ ନେଇ ଚୟନ କମିଟି ଏବଂ ବିସିସିଆଇର ଶୀର୍ଷ ଅଧିକାରୀଙ୍କ ମଧ୍ୟରେ କିଛି ମତଭେଦ ଦେଖାଦେଇଥିଲା। ବୋର୍ଡର କିଛି ଆଭ୍ୟନ୍ତରୀଣ ନିଷ୍ପତ୍ତି ଓ ହସ୍ତକ୍ଷେପ ଯୋଗୁଁ ଅଗରକର ଏହି ପଦବୀରୁ ଓହରିଯିବାକୁ ଶ୍ରେୟସ୍କର ମଣିଛନ୍ତି।

ଦୃଢ଼ ନିଷ୍ପତ୍ତି ପାଇଁ ଜଣାଶୁଣା ଅଗରକର ଜୁଲାଇ ୨୦୨୩ରେ ମୁଖ୍ୟ ଚୟନକର୍ତ୍ତା ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।
ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ୨୦୨୩ ଦିନିକିଆ ବିଶ୍ୱକପ୍ ଫାଇନାଲରେ ପହଞ୍ଚିବା ସହ ୨୦୨୪ ଟି-୨୦ ବିଶ୍ୱକପ୍ ବିଜେତା ହୋଇଥିଲା। ବିସିସିଆଇର ବାର୍ଷିକ ସାଧାରଣ ସଭା ପରେ ନୂଆ ଚୟନକର୍ତ୍ତା ବାଛିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବତନ ୱିକେଟକିପର୍-ବ୍ୟାଟର୍ ପାର୍ଥିବ ପଟେଲ ଏହି ମୁଖ୍ୟ ଚୟନକର୍ତ୍ତା ପଦବୀ ପାଇଁ ସବୁଠାରୁ ଆଗଧାଡ଼ିର ଦାବିଦାର ଭାବରେ ଉଭା ହୋଇଛନ୍ତି।