ନୂଆଦିଲ୍ଲୀ-; ଭାରତୀୟ ସିନେମା ପାଇଁ ଆସିଲା ବଡ଼ ଖବର। ଓସ୍କାର ୨୦୨୭ରେ ଭାରତର ଅଫିସିଆଲ୍ ଏଣ୍ଟ୍ରି ହେବ ମରାଠୀ ଫିଲ୍ମ ‘ଗୋନ୍ଧଳ’। ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ ଶୁକ୍ରବାର ଏହି ଘୋଷଣା କରିଛି। ୯୯ତମ ଏକାଡେମୀ ଆୱାର୍ଡସ୍ର International Feature Film ବର୍ଗରେ ଭାରତ ପକ୍ଷରୁ ଏହି ଫିଲ୍ମ କୁ ସ୍ଥିର କରାଯାଇଛି । ୩୩ ଫିଲ୍ମ ମଧ୍ୟରୁ ‘ଗୋନ୍ଧଳ’ କାହିଁକି?ଏଥର ଭାରତର ଓସ୍କାର ଏଣ୍ଟ୍ରି ପାଇଁ ମୋଟ ୩୩ଟି ଫିଲ୍ମ ବିଚାରକୁ ଆସିଥିଲା। ଏଥିରେ ୧୪ଟି ହିନ୍ଦୀ ଫିଲ୍ମ ଥିବାବେଳେ ମରାଠୀ, ତେଲୁଗୁ ଓ ଗୁଜରାଟୀ ଭାଷାର ୪ଟି ଲେଖାଏଁ ଫିଲ୍ମ ରହିଥିଲା। ତାମିଲ୍ରୁ ୩ଟି ଏବଂ ମଲୟାଲମ୍ ଓ ନାଗାମିଜ୍ରୁ ମଧ୍ୟ ଫିଲ୍ମ ବିଚାରକୁ ଆସିଥିଲା। ଏହି ତାଲିକାରେ ‘ଧୁରନ୍ଧର , ‘ବଡ଼ର୨ ’, ହକ , ୧୨୦ ବାହାଦୂର ,ହନୁମାନ ଅଂଶ , ପେଡି ଭଳି ଫିଲ୍ମ ମଧ୍ୟ ଥିଲା। କିନ୍ତୁ ଶେଷରେ ଜୁରିର ପସନ୍ଦ କଲେ ‘ଗୋନ୍ଧଳ’ କୁ ।

ତେବେ କ’ଣ ରହିଛି ‘ଗୋନ୍ଧଳ’ର କାହାଣୀରେ? ନାଁ ଯେମିତି, କାହାଣୀ ମଧ୍ୟ ସେମିତି ରୋଚକ। ‘ଗୋନ୍ଧଳ’ ହେଉଛି ମହାରାଷ୍ଟ୍ରର ଏକ ପାରମ୍ପରିକ ଧାର୍ମିକ ଲୋକାଚାରକୁ କେନ୍ଦ୍ର କରି ତିଆରି ହୋଇଥିବା ଥ୍ରିଲର୍। ଗ୍ରାମୀଣ ମହାରାଷ୍ଟ୍ରରେ ଗୋଟିଏ ରାତିର ‘ଗୋନ୍ଧଳ’ ଅନୁଷ୍ଠାନକୁ କେନ୍ଦ୍ର କରି ଫିଲ୍ମର କାହାଣୀ ଆଗକୁ ବଢ଼େ। ଏହି ପାରମ୍ପରିକ ରୀତିରେ ସଙ୍ଗୀତ, ନୃତ୍ୟ, ଭକ୍ତିଗୀତ ଓ ଦେବତାଙ୍କ ଆରାଧନାର ମିଶ୍ରଣ ଦେଖିବାକୁ ମିଳେ।

ଫିଲ୍ମର କେନ୍ଦ୍ରୀୟ ଚରିତ୍ର ସୁମନ। ଏକ ସମ୍ପନ୍ନ ପରିବାରରେ ବିବାହ ହୋଇଥିଲେ ମଧ୍ୟ ସେ ନିଜ ବୈବାହିକ ଜୀବନରେ ଖୁସି ନୁହନ୍ତି। ଏହା ଭିତରେ ଜଣେ 'ଗୋନ୍ଧଳି' କଳାକାର ସାହେବାଙ୍କ ସହ ତାଙ୍କ ସମ୍ପର୍କ ଗଢ଼ିଉଠେ। ବିବାହରୁ ବାହାରିବା ପାଇଁ ସୁମନ ଯେଉଁ ଯୋଜନା କରନ୍ତି, ତାହା ଧୀରେ ଧୀରେ ପ୍ରେମ, ପ୍ରତାରଣା, ଷଡ଼ଯନ୍ତ୍ର ଓ ହତ୍ୟାର ଏକ ଜଟିଳ ଖେଳରେ ପରିଣତ ହୁଏ

also read - ସିମ୍ପଲ ଲୁକ୍… ଆଉଟଫିଟ୍‌ର ଦାମ ୩୪ ଲକ୍ଷ ! ସଲମାନଙ୍କ ଷ୍ଟାଇଲ୍‌ରେ ଲୁଚିଛି କୋଟିପତି ଅନ୍ଦାଜ

ତେବେ ଏହି ଫିଲ୍ମର ନିର୍ଦ୍ଦେଶକ କିଏ?ସନ୍ତୋଷ ଦାଭାଖର ଏହି ଫିଲ୍ମର ଲେଖକ ଓ ନିର୍ଦ୍ଦେଶକ। ଫିଲ୍ମରେ ଇଶିତା ଦେଶମୁଖ, କିଶୋର କଦମ, ଯୋଗେଶ ସୋହୋନି ଓ ନିଶାଦ ଭୋଇର୍ ପ୍ରମୁଖ ଭୂମିକାରେ ଅଛନ୍ତି। ଭେଟେରାନ୍ ସଙ୍ଗୀତକାର ଇଲାୟାରାଜା ଫିଲ୍ମର ସଙ୍ଗୀତ ଦେଇଛନ୍ତି।

ଫିଲ୍ମଟି ପ୍ରଥମ ଥର ପାଇଁ ଚର୍ଚାକୁ ଆସିନି । ୨୦୨୫ର ୫୬ତମ International Film Festival of India (IFFI)ରେ ଏହାର ୱାର୍ଲ୍ଡ ପ୍ରିମିୟର୍ ହୋଇଥିଲା। ସେଠାରେ ନିର୍ଦ୍ଦେଶକ ସନ୍ତୋଷ ଦାଭାଖର Silver Peacock for Best Director ପୁରସ୍କାର ହାସଲ କରିଥିଲେ।

‘ଗୋନ୍ଧଳ ’ ହେଉଛି ଓସ୍କାର ପାଇଁ ଭାରତର ଅଫିସିଆଲ୍ ଏଣ୍ଟ୍ରି ହୋଇଥିବା ଚତୁର୍ଥ ମରାଠୀ ଫିଲ୍ମ। ଏଥର ମଧ୍ୟ ଏକ ଆଞ୍ଚଳିକ ଭାଷାର କାହାଣୀ ଭାରତୀୟ ସିନେମାକୁ ବିଶ୍ୱ ମଞ୍ଚରେ ନେଇଯିବାକୁ ପ୍ରସ୍ତୁତ।