ମୁମ୍ବାଇ: ମା’ ହେବା ପରେ ପ୍ରଥମ ଥର ପାଇଁ ବଡ଼ ସାର୍ବଜନୀନ ଇଭେଣ୍ଟରେ ନଜର ଆସିଲେ ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ। ସ୍ୱାମୀ ଭିକି କୌଶଲଙ୍କ ସହ ମୁମ୍ବାଇରେ ଅମ୍ବାନୀ ପରିବାରର ଗଣେଶ ଚତୁର୍ଥୀ ଉତ୍ସବରେ ଯୋଗ ଦେଇଥିଲେ କ୍ୟାଟ୍ରିନା। କିନ୍ତୁ ତାଙ୍କର ଏହି ସାଧାରଣ ଉପସ୍ଥିତି ପରେ ସୋସିଆଲ ମିଡିଆରେ ଆରମ୍ଭ ହୋଇଗଲା ଟ୍ରୋଲିଂ। ବିଶେଷକରି ତାଙ୍କ ପ୍ରସବ ପରବର୍ତ୍ତୀ ଶରୀରକୁ ନେଇ କିଛି ୟୁଜର୍ କରିଥିଲେ ମନ୍ତବ୍ୟ।

କ୍ୟାଟ୍ରିନା ଓ ଭିକିଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେବା ପରେ କିଛି ସୋସିଆଲ ମିଡିଆ ୟୁଜର୍ ତାଙ୍କ ବର୍ତ୍ତମାନର ଲୁକ୍କୁ ପୁରୁଣା ଫଟୋ ସହ ତୁଳନା କରିଥିଲେ। ‘Before-After’ ଫଟୋ ଓ ଶରୀରକୁ ନେଇ ଟିପ୍ପଣୀ ମଧ୍ୟ ଦେଖିବାକୁ ମିଳିଥିଲା। ଏହାକୁ ନେଇ ଅନେକ ଫ୍ୟାନ୍ ଓ ସୋସିଆଲ ମିଡିଆ ୟୁଜର୍ ଟ୍ରୋଲର୍ମାନଙ୍କୁ ପ୍ରତିବାଦ କରିଥିଲେ।

 

also read - ଓସ୍କାର ୨୦୨୭ ପାଇଁ ଭାରତୀୟ ଫିଲ୍ମ ଚୟନ: ୩୩ ଫିଲ୍ମକୁ ପଛରେ ପକାଇ ଆଗକୁ ବଢ଼ିଲା ମରାଠୀ ସିନେମା ‘ଗୋନ୍ଧଳ’

ଏହି ବିବାଦ ମଧ୍ୟରେ କ୍ୟାଟ୍ରିନାଙ୍କ ସମର୍ଥନରେ ଆସିଛନ୍ତି ପାକିସ୍ତାନୀ ଅଭିନେତା ଓ ଗାୟକ ଅଲି ଜାଫର। ଏକ ଭିଡିଓ ମାଧ୍ୟମରେ ସେ ମହିଳାଙ୍କ ଶରୀର ଓ ଦେଖାଯିବାକୁ ନେଇ ଅନାବଶ୍ୟକ ମନ୍ତବ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ। ତାଙ୍କ ମତରେ, ଅନ୍ୟ ଜଣଙ୍କ ଶରୀର କିମ୍ବା ଚେହେରାକୁ ନେଇ ମନ୍ତବ୍ୟ କରିବା ପୂର୍ବରୁ ଲୋକଙ୍କୁ ନିଜ ଆଚରଣ ବିଷୟରେ ଚିନ୍ତା କରିବା ଉଚିତ।କ୍ୟାଟ୍ରିନାଙ୍କୁ ନେଇ ଚାଲିଥିବା ଟ୍ରୋଲିଂ ବିରୋଧରେ ଟିଭି ଅଭିନେତ୍ରୀ ଶ୍ରଦ୍ଧା ଆର୍ଯ୍ୟା ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ମହିଳାଙ୍କୁ କେବଳ ‘ପୂର୍ବରୁ କେମିତି ଦେଖାଯାଉଥିଲେ’ ଓ ‘ଏବେ କେମିତି ଦେଖାଯାଉଛନ୍ତି’ ଭଳି ତୁଳନାରେ ଦେଖିବା ଉଚିତ ନୁହେଁ ବୋଲି ସେ ମତ ରଖିଥିଲେ। ଅନ୍ୟପଟେ ଅଭିନେତା ହ୍ରିତିକ ରୋଶନ ମଧ୍ୟ କ୍ୟାଟ୍ରିନାଙ୍କ ସମର୍ଥନରେ ଥିବା ଏକ ସୋସିଆଲ ମିଡିଆ ପୋଷ୍ଟକୁ ଲାଇକ୍ କରିଥିବା ରିପୋର୍ଟ ଆସିଛି।

ସମ୍ପ୍ରତି ଏକ ସାକ୍ଷାତକାରରେ କ୍ୟାଟ୍ରିନା ନିଜ ପ୍ରସବ ପରବର୍ତ୍ତୀ ଅନୁଭୂତି ବିଷୟରେ କହିଛନ୍ତି। ପ୍ରେଗନାନ୍ସି ପରେ ତାଙ୍କ ତ୍ୱଚା ଅଧିକ ସମ୍ବେଦନଶୀଳ ହୋଇଥିବାରୁ ସେ ନିଜ ସ୍କିନ୍କେୟାର ରୁଟିନ୍ରେ ପରିବର୍ତ୍ତନ କରିଥିବା କହିଛନ୍ତି। ଏହା ସହିତ ‘ସୁନ୍ଦର ଦେଖାଯିବା’ ଅପେକ୍ଷା ‘ଭଲ ଅନୁଭବ କରିବା’ ତାଙ୍କ ପାଇଁ ଏବେ ଅଧିକ ଗୁରୁତ୍ୱ ରଖୁଛି ବୋଲି ସେ କହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

କ୍ୟାଟ୍ରିନା ଓ ଭିକି କୌଶଲ ନଭେମ୍ବର ୨୦୨୫ରେ ପୁଅ ବିହାନଙ୍କୁ ସ୍ୱାଗତ କରିଥିଲେ। ମା’ ହେବା ପରେ କ୍ୟାଟ୍ରିନାଙ୍କ ଏହି ପବ୍ଲିକ ଅପିଅରାନ୍ସ ତାଙ୍କୁ ପୁଣି ଥରେ ଲାଇମଲାଇଟ୍କୁ ଆଣିଛି। ଏହି ଘଟଣା ପୁଣି ଥରେ ସେଲିବ୍ରିଟିଙ୍କ ବ୍ୟକ୍ତିଗତ ଜୀବନ ଓ ଶରୀରକୁ ନେଇ ସୋସିଆଲ ମିଡିଆରେ ହେଉଥିବା ଟିପ୍ପଣୀକୁ ନେଇ ଚର୍ଚ୍ଚା ବଢ଼ାଇଛି। ବିଶେଷକରି ମା’ ହେବା ପରେ ଜଣେ ମହିଳାଙ୍କ ଶରୀରରେ ଆସୁଥିବା ପରିବର୍ତ୍ତନକୁ ନେଇ ସାର୍ବଜନୀନ ଆଲୋଚନା କେତେ ଦୂର ଉଚିତ—ତାହାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।