ମୁମ୍ବାଇ: କିଛି କାହାଣୀ ଏମିତି ଥାଏ, ଯାହା ଶୁଣିଲେ ଲୋମ ଟାଙ୍କୁରି ଉଠେ। ଆଉ ଆଖିରେ ଲୁହ ଆସିଯାଏ। କିଛି ସମୟ ପାଇଁ ବୁଝା ପଡ଼େଣି କଣ କରିବାକୁ ହେବ , କଣ କହିବାକୁ ହେବ। ଦୁଃଖ, ନିର୍ଯାତନା ଓ ସଂଘର୍ଷର ଏମିତି ଏକ କାହାଣୀ ‘କୌନ ବନେଗା କରୋଡପତି ୧୮’ରେ ଶୁଣିବାକୁ ମିଳିଛି।

ଛତିଶଗଡ଼ର ବିଲାସପୁରରୁ ଆସିଥିବା ଜଣେ ପ୍ରତିଯୋଗୀ ନିଜ ଜୀବନର ଭୟଙ୍କର ଅନୁଭୂତି ଶେୟାର କରିଥିଲେ। ଯାହାକୁ ମନେ ପକାଇବା ତାଙ୍କ ପାଇଁ ସହଜ ନଥିଲା। ତାହା ଶୁଣି ଶୋ’ର ହୋଷ୍ଟ ଅମିତାଭ ବଚ୍ଚନ ମଧ୍ୟ ଭାବବିହ୍ୱଳ ହୋଇ ପଡ଼ିଥିଲେ।ଛତିଶଗଡ଼ର ବିଲାସପୁରରୁ ଆସିଥିବା କଣ୍ଟେଷ୍ଟାଣ୍ଟ କପିଳା ତନେଜା। ସେ ଶୋରେ ନିଜ ଅନୁଭୂତି ସେଆର କରି କହିଥିଲେ, ସେ ଲଭ୍ ମ୍ୟେରେଜ କରିଥିଲେ। ଏହା ଇଣ୍ଟରକାଷ୍ଟ ମ୍ୟାରେଜ୍ ଥିଲା। ବିବାହର ଆରମ୍ଭରୁ ପରିସ୍ଥିତି ଠିକ୍ ଥିଲା। କିନ୍ତୁ ପରେ ଶାଶୁ ଘର ଲୋକଙ୍କ ବ୍ୟବହାର ବଦଳିଯାଇଥିଲା। ଯୌତୁକକୁ ନେଇ ତାଙ୍କୁ ମାନସିକ ଓ ଶାରୀରିକ ଭାବେ ନିର୍ଯାତନା ଦିଆଯାଇଥିଲା। ପରିସ୍ଥିତି ଏମିତି ହେଲା ଯେ, ତାଙ୍କ ଉପରେ ତେଲ ଢାଳି ମହମବତୀରେ ନିଆଁ ଲଗାଇବାକୁ ଚେଷ୍ଟା କରାଯାଇଥିଲା। ସେହି ସମୟରେ ଶୀତ ଦିନ ଥିବାରୁ , ତାଙ୍କ ପୋଷାକର କିଛି ଅଂଶ ଶରୀରରେ ଲାଗିଯାଇଥିଲା। ତଥାପି ସେ କୌଣସି ପ୍ରକାରେ ସେଠାରୁ ଖସି ଯାଇ ପାଣି ଟାଙ୍କି ନିକଟରେ ପହଞ୍ଚି ନିଜକୁ ବଞ୍ଚାଇଥିଲେ। ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା।

କପିଳାଙ୍କ ଜୀବନର ଯନ୍ତ୍ରଣା ଏଠାରେ ଶେଷ ହୋଇନଥିଲା। ସେ କହିଥିଲେ ଯେ ହସ୍ପିଟାଲରେ ଥିବା ସମୟରେ ସେ ତାଙ୍କ ଝିଅକୁ ଶେଷଥର ପାଇଁ ଦେଖିଥିଲେ। ଏହା ପରେ ଦୀର୍ଘ ୨୪ ବର୍ଷ ଧରି ସେ ନିଜ ଝିଅକୁ ଦେଖି ପାରିନାହାନ୍ତି। ତାଙ୍କ କହିବା ଅନୁସାରେ, ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ତାଙ୍କୁ ଝିଅଠାରୁ ଦୂରେ ରଖିଛନ୍ତି। KBCର ମଞ୍ଚରେ କପିଳା ଅମିତାଭ ବଚ୍ଚନଙ୍କୁ ତାଙ୍କ ଝିଅ ପାଇଁ ଆଶୀର୍ବାଦ ଦେବାକୁ ଅନୁରୋଧ କରିଥିଲେ। ଏହି ମୁହୂର୍ତ୍ତଟି ଶୋ’ର ସବୁଠାରୁ ଭାବପ୍ରବଣ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ ଥିଲା।କପିଳାଙ୍କ ସମ୍ପୂର୍ଣ୍ଣ କାହାଣୀ ଶୁଣିବା ପରେ ଅମିତାଭ ବଚ୍ଚନ ମଧ୍ୟ ଭାବବିହ୍ୱଳ ହୋଇ ପଡ଼ିଥିଲେ। ସେ ଦୁଃଖ ପ୍ରକାଶ କରିବା ସହ ଆଗକୁ ଯେମିତି କୌଣସି ମହିଳା ଏଭଳି ପରିସ୍ଥିତିର ସାମ୍ନା ନ କରନ୍ତୁ ସେ ନେଇ ଇଚ୍ଛା ବ୍ୟକ୍ତ କରିଥିଲେ।

KBC 18ରେ କେତେ ଟଙ୍କା ଜିତିଲେ କପିଳା?

‘କୌନ ବନେଗା କରୋଡପତି ୧୮’ରେ କପିଳା ତନେଜା ୭.୫ ଲକ୍ଷ ଟଙ୍କା ଜିତିଥିଲେ। ଏହା ବ୍ୟତୀତ ‘ସୁପର ସନ୍ଦୂକ’ରୁ ସେ ୯୦ ହଜାର ଟଙ୍କା ବୋନସ୍ ଭାବେ ପାଇଥିଲେ।