ନୂଆଦିଲ୍ଲୀ: ଦିଲ୍ଲୀ କ୍ୟାପିଟାଲ୍ସ (DC) ଏବଂ ବେଙ୍ଗଲର ୱିକେଟକିପର୍-ବ୍ୟାଟର୍ ଅଭିଷେକ ପୋରେଲ ମାସେରୁ ଅଧିକ ସମୟ ଜେଲ୍‌ରେ ବିତାଇବା ପରେ ଶେଷରେ ଜାମିନ୍ ପାଇଛନ୍ତି। ହୁଗୁଳି ଜିଲ୍ଲାର ଚିନସୁରା କୋର୍ଟଙ୍କ ନିର୍ଦ୍ଦେଶ ଏବଂ ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଆସନ୍ତା ଶୁକ୍ରବାର ଦିନ ସେ ଜେଲରୁ ମୁକ୍ତ ହେବା ନେଇ ରିପୋର୍ଟ ପ୍ରକାଶ ପାଇଛି।

କର୍ଣ୍ଣାଟକର ଜଣେ ମେଡିକାଲ୍ ଛାତ୍ରୀଙ୍କ ଅଭିଯୋଗ ଆଧାରରେ ଗତ ଅଗଷ୍ଟ ୧୧ ତାରିଖରେ ମଗରା ପୋଲିସ ଅଭିଷେକଙ୍କୁ ଗିରଫ କରିଥିଲା। ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ଦୁହିଁଙ୍କ ମଧ୍ୟରେ ପ୍ରାୟ ସାଢ଼େ ତିନି ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା ଏବଂ ବିବାହର ପ୍ରଲୋଭନ ଦେଖାଇ ସେ ଶାରୀରିକ ସମ୍ପର୍କ ରଖିଥିଲେ।

ଯୁବତୀ ଜଣକ ଜୁନ୍ ୨୩ ତାରିଖରେ ଏଫ୍‌ଆଇଆର୍ (FIR) ରୁଜୁ କରିଥିଲେ। ସେ ଦର୍ଶାଇଥିଲେ ଯେ, ସେମାନେ ଏକାଠି ବିଦେଶ ଭ୍ରମଣରେ ମଧ୍ୟ ଯାଇଥିଲେ, ମାତ୍ର ପରବର୍ତ୍ତୀ ସମୟରେ ଅଭିଷେକ୍ ସମ୍ପର୍କକୁ ଅସ୍ୱୀକାର କରିବା ସହ ତାଙ୍କୁ ଧମକପୂର୍ଣ୍ଣ ବ୍ୟବହାର କରିଥିଲେ। ଜୁନ୍ ମାସରେ ମାମଲା ରୁଜୁ ହେବା ପରେ ଚାନ୍ଦନଗରସ୍ଥିତ ଅଭିଷେକଙ୍କ ଘରେ ପୋଲିସ ଚଢ଼ାଉ କରିଥିଲେ ବି ସେ ମିଳିନଥିଲେ। ପରବର୍ତ୍ତୀ ସମୟରେ ଯୁବତୀ ଜଣକ କଲିକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାରୁ କୋର୍ଟ ଜୁଲାଇ ୨୦ରେ ଅଭିଷେକଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଭାରତୀୟ ନ୍ୟାୟ ସଂହିତା (BNS)ର ସେକ୍ସନ୍ ୬୯ (ଦୁଷ୍କର୍ମ ଓ ପ୍ରତାରଣା) ଏବଂ ଆଇଟି ଆକ୍ଟ ସମେତ ଆକ୍ରମଣ ଓ ଅପରାଧିକ ଧମକ୍‌ ସମ୍ବନ୍ଧୀୟ କଠୋର ଧାରାରେ ମାମଲା ପଞ୍ଜୀକୃତ ହୋଇଥିଲା। ଅଭିଷେକ୍ ଏବଂ ତାଙ୍କ ଆଇନଜୀବୀ ପ୍ରଥମରୁ ଏହି ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ଭିତ୍ତିହୀନ ଏବଂ ମିଥ୍ୟା ବୋଲି ଦାବି କରିଆସୁଥିଲେ। ଦୀର୍ଘଦିନର ଜେଲ୍ ଦଣ୍ଡ ଓ ଆଇନଗତ ଲଢ଼େଇ ପରେ ଜାମିନ୍ ମିଳିବା ଅଭିଷେକଙ୍କ କ୍ରିକେଟ୍ କ୍ୟାରିୟର୍ ପାଇଁ ଏକ ବଡ଼ ଆଶ୍ବସ୍ତି ।