ନୂଆଦିଲ୍ଲୀ: ଜାପାନରେ ଅନୁଷ୍ଠିତ ଏସୀୟ କ୍ରୀଡ଼ାରେ ରହିବା-ଖାଇବା ବ୍ୟବସ୍ଥାକୁ ନେଇ ସମସ୍ୟା ହେବା ପରେ ବିସିସିଆଇ ଖେଳାଳିମାନଙ୍କର ରହଣୀ ବ୍ୟବସ୍ଥା ନିଜେ ଆୟୋଜନ କରିଛି। ଏହି ଖେଳ ପାଇଁ ଯେତିକି ଅନୁମତି ଥିଲା, ତା’ଠାରୁ ଅଧିକ ଷ୍ଟାଫ୍ ଯାଉଥିବାରୁ ବିସିସିଆଇ ନିଜେ ପୁରୁଷ ଟିମର ରହିବା ବ୍ୟବସ୍ଥା ଆୟୋଜନ କରିଛି ବୋଲି ବିସିସିଆଇ ସଚିବ ଦେବଜିତ ସାଇକିଆ ଟାଇମ୍ସ ଅଫ୍ ଇଣ୍ଡିଆକୁ ସୂଚନା ଦେଇଛନ୍ତି। ଟୁର୍ଣ୍ଣାମେଣ୍ଟ ସମୟରେ ଆମେ ପୁରୁଷ ଟିମକୁ ଅଲଗା ଅଲଗା ରଖିବାକୁ ଚାହୁଁ ନଥିଲୁ ବୋଲି ସାଇକିଆ କହିଛନ୍ତି।

ଅନ୍ୟପଟେ ଭାରତୀୟ ମହିଳା କ୍ରିକେଟ୍ ଟିମ୍ ଆୟୋଜକ କମିଟି ଯୋଗାଇଥିବା ରହଣି ବ୍ୟବସ୍ଥାରେ ରହିବ। ମହିଳା ଟିମ୍ର ସମୁଦାୟ ଦଳ ସଦସ୍ୟ ସଂଖ୍ୟା ଅନୁମୋଦିତ ୨୦ ଜଣଙ୍କ ସୀମା ମଧ୍ୟରେ ଥିବାରୁ ସେମାନେଙ୍କୁ ଏହି ସୁବିଧା ମିଳିବ ବୋଲି ସାଇକିଆ ସୂଚନା ଦେଇଛନ୍ତି।

ଏସିଆନ୍ ଗେମ୍ସରେ ମ୍ୟାଚ୍ ଭେନ୍ୟୁରେ ମିଳିବାକୁ ଥିବା ସୁବିଧାକୁ ନେଇ ଅନ୍ୟ କିଛି ଏସିଆନ୍ କ୍ରିକେଟ୍ ବୋର୍ଡ ପ୍ରଶ୍ନ ଉଠାଇଥିବା ଖବର ଆସିଥିଲେ ମଧ୍ୟ ବିସିସିଆଇ ଆୟୋଜକ କମିଟି ଉପରେ ଭରସା ରଖିଛି। ଦେବଜିତ ସାଇକିଆ କହିଛନ୍ତି ଯେ, ଆୟୋଜକ କମିଟି ଭାରତୀୟ ଟିମ୍କୁ ଆବଶ୍ୟକ ସମସ୍ତ ଭଲ ସୁବିଧା ଯୋଗାଇବ ବୋଲି ବିସିସିଆଇର ପୂର୍ଣ୍ଣ ବିଶ୍ୱାସ ରହିଛି। ସେ ଅକ୍ଟୋବର ୧ ତାରିଖରେ ଜାପାନରେ ପହଞ୍ଚିବେ ଏବଂ ସେତେବେଳେ ସେଠାକାର ପରିସ୍ଥିତି ସମ୍ପର୍କରେ ସ୍ପଷ୍ଟ ଚିତ୍ର ଦେଇପାରିବେ ବୋଲି ସାଇକିଆ ସୂଚନା ଦେଇଛନ୍ତି।

Also read- ମୁଖ୍ୟ ଚୟନକର୍ତ୍ତା ପଦ ଛାଡ଼ିବେ ଅଜିତ୍ ଅଗରକର: BCCIକୁ ଲେଖିଲେ ଚିଠି

ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ଉପରେ ଭାରତର ନଜର

ଏସିଆନ୍ ଗେମ୍ସ ପାଇଁ ପୂର୍ଣ୍ଣ କ୍ଷମତା ସମ୍ମନ୍ନ ଟି-୨୦ ଟିମ୍ ପଠାଇବାକୁ ନେଇ ଭାରତୀୟ କ୍ରିକେଟ୍ ମହଲରେ ଭିନ୍ନ ମତ ରହିଛି। କାରଣ, ଏହି ସମୟରେ ଭାରତ ଆସନ୍ତା ବର୍ଷର ଦିନିକିଆ ବିଶ୍ୱକପ୍ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିବ। ତା’ଛଡ଼ା ଭାରତକୁ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଘରୋଇ ମାଟିରେ ଦିନିକିଆ ସିରିଜ୍ ମଧ୍ୟ ଖେଳିବାକୁ ଅଛି। ତେଣୁ ଏଭଳି ସ୍ଥିତିରେ ଏସିଆନ୍ ଗେମ୍ସରେ ଭାରତର ଅତି କମ୍ରେ ୭ ଜଣ ପ୍ରଥମ ପସନ୍ଦର ଦିନିକିଆ ଖେଳାଳି ଅଂଶଗ୍ରହଣ କରିବା ନେଇ ଚର୍ଚ୍ଚା ହେଉଛି। ରୋଚକ କଥା ହେଲା ୨୦୨୩ ଏସିଆନ୍ ଗେମ୍ସରେ ଭାରତ ଦ୍ୱିତୀୟ ସିଲେକ୍ସନ ଟିମ୍ ସ୍ୱର୍ଣ୍ଣ ପଦକ ଜିତିଥିଲା। ସେତେବେଳେ ପ୍ରମୁଖ ଖେଳାଳିମାନେ ଦିନିକିଆ ବିଶ୍ୱକପ୍ ପ୍ରସ୍ତୁତି ପାଇଁ ରଖାଯାଇଥିଲା।

ତେବେ ଏଥର କିନ୍ତୁ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିବାକୁ ବୋର୍ଡ ଗୁରୁତ୍ୱ ଦେଉଛି। ଏସିଆନ୍ ଗେମ୍ସକୁ ଦ୍ୱିତୀୟ ପ୍ରାଥମିକତା ଦେବାକୁ ବିସିସିଆଇ ଚାହୁଁନାହିଁ ବୋଲି ବିସିସିଆଇ ସଚିବ ସାଇକିଆ ସ୍ପଷ୍ଟ କରିଛନ୍ତି। ଏହି କାରଣରୁ ଜସପ୍ରୀତ ବୁମରା ଓ ନିୟମିତ ଅଧିନାୟକ ଶ୍ରେୟସ ଆୟରଙ୍କ ସମେତ ପୂର୍ଣ୍ଣ କ୍ଷମତାର ସହ ଟିମ୍ ପଠାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।

ଜାପାନ ସହ ଟି-୨୦ ମ୍ୟାଚ୍ ପଛରେ ଜୟ ଶାହଙ୍କ ପଦକ୍ଷେପ

ଭାରତ ଓ ଜାପାନ ମଧ୍ୟରେ ସେପ୍ଟେମ୍ବର ୨୨ରେ ଏକ ଟି-୨୦ ମ୍ୟାଚ୍ ଖେଳାଯିବ। ଭାରତ-ଜାପାନ ମଧ୍ୟରେ କୂଟନୈତିକ ସମ୍ପର୍କର ୭୫ ବର୍ଷ ପୂର୍ତ୍ତି ଅବସରରେ ଏହି ମ୍ୟାଚ୍ ଆୟୋଜନ କରାଯାଉଛି। ସାଇକିଆଙ୍କ ଅନୁସାରେ, ଏହି ମ୍ୟାଚ୍ର ଚିନ୍ତାଧାରା ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କର। ବିଶ୍ୱର ପ୍ରତ୍ୟେକ କୋଣରେ କ୍ରିକେଟ୍କୁ ପହଞ୍ଚାଇବା ଲକ୍ଷ୍ୟରେ ଜୟ ଶାହ ଏହି ପଦକ୍ଷେପ ନେଇଥିବା ସେ କହିଛନ୍ତି। ଚଳିତ ବର୍ଷ ଜୁଲାଇରେ ଏଡିନବର୍ଗରେ ହୋଇଥିବା ଶେଷ ଆଇସିସି ବୈଠକ ସମୟରେ ଜାପାନ କ୍ରିକେଟ୍ ବୋର୍ଡର ଅଧିକାରୀଙ୍କ ସହ ଆଲୋଚନା ପାଇଁ ଜୟ ଶାହ ତାଙ୍କୁ କହିଥିବା ସାଇକିଆ ପ୍ରକାଶ କରିଛନ୍ତି। ଜାପାନରେ କ୍ରିକେଟ୍ ଧୀରେ ଧୀରେ ଲୋକପ୍ରିୟ ହେଉଥିବାରୁ ଏଭଳି ମ୍ୟାଚ୍ ମାଧ୍ୟମରେ ସେଠାରେ କ୍ରିକେଟ୍ର ପ୍ରସାରକୁ ଆହୁରି ବଢ଼ାଇବା ଉଦ୍ଦେଶ୍ୟ ରହିଛି।